କମାଲ କଲେ ବୈଭବଙ୍କ ଭାଇ ଆଶୀର୍ବାଦ, ଚୌକା-ଛକା ବର୍ଷା କରି ଦଳକୁ ଦେଲେ ରୋମାଞ୍ଚକ ବିଜୟ

Oct 26, 2026 - 13:54
କମାଲ କଲେ ବୈଭବଙ୍କ ଭାଇ ଆଶୀର୍ବାଦ, ଚୌକା-ଛକା ବର୍ଷା କରି ଦଳକୁ ଦେଲେ ରୋମାଞ୍ଚକ ବିଜୟ

ନୂଆଦିଲ୍ଲୀ, ୨୬।୧୦: ବୈଭବ ସୂର୍ଯ୍ୟବଂଶୀ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ଦ୍ୱିତୀୟ ଟି-୨୦ ମ୍ୟାଚରେ ସେ ମାତ୍ର ୪ ରନ କରି ଆଉଟ ହୋଇଯାଇଥିଲେ। କିନ୍ତୁ ତାଙ୍କ ଭାଇ ଆଶୀର୍ବାଦ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଧମାଲ କରୁଛନ୍ତି। ଆଶୀର୍ବାଦ ୧୦୭ ରନର ଶତକୀୟ ପାଳି ଖେଳି ନିଜ ଦଳକୁ ୨ ଉଇକେଟ୍‌ରେ ବିଜୟୀ କରାଇବାରେ ବଡ଼ ଯୋଗଦାନ ଦେଇଛନ୍ତି। ଆଶୀର୍ବାଦଙ୍କ ପିତା ସଞ୍ଜୀବ ସୂର୍ଯ୍ୟବଂଶୀ ସୋସିଆଲ ମିଡିଆରେ ମ୍ୟାଚର ସ୍କୋରକାର୍ଡ ମଧ୍ୟ ଶେୟାର କରିଛନ୍ତି।

ଆଶୀର୍ବାଦ ମାତ୍ର ୮୭ଟି ବଲରେ ଅପରାଜିତ ୧୦୭ ରନ କରି ଏକାକୀ ନିଜ ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲେ। ତାଙ୍କ ଏହି ଇନିଂସରେ ୧୪ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଆଶୀର୍ବାଦଙ୍କ ଦଳରୁ ମୋଟ ୧୦ ଜଣ ବ୍ୟାଟର୍‌ ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ଆଶୀର୍ବାଦଙ୍କୁ ଛାଡ଼ି ଅନ୍ୟ ୯ ଜଣ ବ୍ୟାଟର୍ସଙ୍କ ମଧ୍ୟରୁ କେହି ବି ୨୦ ରନର ସଂଖ୍ୟା ଛୁଇଁ ପାରି ନ ଥିଲେ।

ଉଜ୍ଜ୍ୱଳ ସୂର୍ଯ୍ୟବଂଶୀ ଆଶୀର୍ବାଦଙ୍କ ବ୍ୟାଟିଂ ଏବଂ ଶତକ ପୂରଣ ପରେ ତାଙ୍କ ସେଲିବ୍ରେସନର ଭିଡିଓ ଶେୟାର କରାଯାଇଛି। ବୈଭବ ଇତିମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି। ଅନ୍ୟପଟେ ଆଶୀର୍ବାଦ ମଧ୍ୟ ଧୀରେ ଧୀରେ ଭାରତୀୟ କ୍ରିକେଟରେ ନିଜ ପରିଚୟ ସୃଷ୍ଟି କରୁଛନ୍ତି। ଏହି କାରଣରୁ ତାଙ୍କୁ ବୈଭବଙ୍କ ପରବର୍ତ୍ତୀ ସଂସ୍କରଣ ବୋଲି କୁହାଯାଉଛି। ତେବେ ଉଭୟଙ୍କ ଖେଳିବାର ଶୈଳୀ ଭିନ୍ନ। ବୈଭବ ବାମହାତୀ ବ୍ୟାଟର୍‌ ହେବା ସହ ସ୍ପିନ ବୋଲିଂ ମଧ୍ୟ କରନ୍ତି। ଅନ୍ୟପଟେ ଆଶୀର୍ବାଦ ଜଣେ ଡାହାଣହାତୀ ବ୍ୟାଟର୍‌ ଏବଂ ମଧ୍ୟମ ଗତିର ବୋଲିଂ କରନ୍ତି।

ଅନ୍ୟପଟେ ବୈଭବ ସୂର୍ଯ୍ୟବଂଶୀଙ୍କ କଥା କହିବାକୁ ଗଲେ, ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଆହତ ଇଶାନ କିଶନଙ୍କ ସ୍ଥାନରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଥିଲା। କିନ୍ତୁ ସେ ମାତ୍ର ୪ ରନ କରି ଆଉଟ ହୋଇଥିଲେ। ନିକଟରେ ବିସିସିଆଇ ଏକ ବିବୃତି ଜାରି କରି ଜଣାଇଛି ଯେ, ୱେଲିଂଟନରେ ହେବାକୁ ଥିବା ତୃତୀୟ ଟି-୨୦ ମ୍ୟାଚରୁ ମଧ୍ୟ ଇଶାନ କିଶନ ବାଦ ପଡ଼ିଛନ୍ତି। ଏଭଳି ସ୍ଥିତିରେ ତୃତୀୟ ମ୍ୟାଚରେ ମଧ୍ୟ ବୈଭବଙ୍କୁ ଖେଳିବାର ସୁଯୋଗ ମିଳିପାରେ। ତେବେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ପାଇଁ ତାଙ୍କୁ କୁମାର କୁଶାଗ୍ରଙ୍କଠାରୁ କଡ଼ା ପ୍ରତିଦ୍ୱନ୍ଦ୍ୱିତାର ସାମ୍ନା କରିବାକୁ ପଡ଼ିପାରେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।