ଶିକ୍ଷାନୁଷ୍ଠାନ ନେତୃତ୍ୱର ଅନ୍ତୁଡ଼ିଶାଳ

Oct 26, 2026 - 08:40
ଶିକ୍ଷାନୁଷ୍ଠାନ ନେତୃତ୍ୱର ଅନ୍ତୁଡ଼ିଶାଳ

ଭଗବାନଙ୍କୁ ପୂଜା କରିବା ପାଇଁ ଆମେ ମନ୍ଦିରକୁ ଯାଉ। ଜ୍ଞାନ ଓ ଶିକ୍ଷା ରୂପକ ଅମୂଲ୍ୟ ରତ୍ନ ହାସଲ କରିବା ପାଇଁ ପିଲାମାନେ ବିଦ୍ୟାଳୟକୁ ଯାଆନ୍ତି। ଏହି କାରଣରୁ ବିଦ୍ୟାଳୟକୁ ବିଦ୍ୟାର ମନ୍ଦିର ବୋଲି ବିବେଚନା କରାଯାଏ। ସେଠାରେ ମାତାପିତାଙ୍କର ଯୋଗ୍ୟ ସନ୍ତାନ ତଥା ଦେଶର ସୁନାଗରିକ ତିଆରି ହୁଅନ୍ତି। ଏଣୁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ହେଉଛି ‘ମଣିଷ ତିଆରି କାରଖାନା’। ଜାତି, ଧର୍ମ, ବର୍ଣ୍ଣ, ରଙ୍ଗ, ଆଞ୍ଚଳିକତା ଓ ଧନୀ-ନିର୍ଦ୍ଧନ ନିର୍ବିଶେଷରେ ଏଠାରେ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି। ମାତାପିତା ତଥା ଅଭିଭାବକମାନେ ପିଲାମାନଙ୍କୁ ଯୋଗ୍ୟ ମଣିଷ କରିବା ପାଇଁ ଶିକ୍ଷାନୁଷ୍ଠାନକୁ ପଠାଇଥାନ୍ତି। ସେଠାରେ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନେ ପିଲାଙ୍କୁ ପାଠ୍ୟପୁସ୍ତକ ବିଷୟରେ ଚର୍ଚ୍ଚା କରିବାଠାରୁ ଆରମ୍ଭ କରି ସମାଜସେବା ତଥା ଦେଶ ଶାସନ ପର୍ଯ୍ୟନ୍ତ ଶିକ୍ଷାଦାନ କରନ୍ତି। ଛାତ୍ରୀଛାତ୍ରମାନେ କିଭଳି ସୁନାଗରିକ ହେବେ, ସେଥିପାଇଁ ଚେଷ୍ଟା କରନ୍ତି। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଗଢ଼ିବାକୁ ପ୍ରଚେଷ୍ଟା ଜାରି ରଖିଥାନ୍ତି। ରାଷ୍ଟ୍ର ନିର୍ମାଣରେ ଛାତ୍ରୀଛାତ୍ରଙ୍କ ଭୂମିକା ସମ୍ପର୍କରେ ଶ୍ରେଣୀଗୃହରେ ପାଠପଢ଼ା ଯାଉଥିବା ବେଳେ ସେହି ବିଦ୍ୟାର୍ଥୀମାନେ ଅନେକ ରାଜନୈତିକ ରାଜନେତାଙ୍କ ଦର୍ଶନତତ୍ତ୍ୱ ଓ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଗଣତାନ୍ତ୍ରିକ ପଦ୍ଧତିରେ ନିଜକୁ ସାମିଲ କରିବା ପାଇଁ ପ୍ରଚେଷ୍ଟା କରିଥାନ୍ତି। ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଓ ସରକାରୀ ବିଶ୍ବବିଦ୍ୟାଳୟକୁ ‘ନେତା ତିଆରି କାରଖାନା’ ରୂପେ ବିବେଚନା କରାଯାଏ।
ଭାରତବର୍ଷର ଖ୍ୟାତନାମା ଜନପ୍ରିୟ ରାଜନେତାଙ୍କ ରାଜନୈତିକ ଚିନ୍ତାଧାରା ଆରମ୍ଭ ହୁଏ ପ୍ରତିଷ୍ଠିତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଶିକ୍ଷାନୁଷ୍ଠାନରୁ। ‘ନେତା ତିଆରି କାରଖାନା’ ବାସ୍ତବରେ କୌଣସି ଯାନ୍ତ୍ରିକ କାରଖାନା ନୁହେଁ, ବରଂ ଏହା ଏକ ରାଜନୈତିକ ଏବଂ ସାମାଜିକ ରୂପକ। ସାଧାରଣତଃ ଯେଉଁ ଅନୁଷ୍ଠାନ, ସଙ୍ଗଠନ କିମ୍ବା ପରିବେଶରୁ ଦକ୍ଷ, ପ୍ରଭାବଶାଳୀ ଏବଂ ଜନହିତକର ନେତୃତ୍ୱ ଗଢ଼ିଉଠନ୍ତି, ତାହାକୁ ‘ନେତା ତିଆରି କାରଖାନା’ କୁହାଯାଏ। ଛାତ୍ର ଜୀବନରୁ ଆରମ୍ଭ ହୋଇଥାଏ ନେତୃତ୍ୱ ନେବାର ଜିଜ୍ଞାସା। ରାଷ୍ଟ୍ର ଗଠନ ଏବଂ ସମାଜ ବିକାଶରେ ଛାତ୍ରନେତାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରେରଣାଦାୟକ। ଛାତ୍ରନେତାଙ୍କ ମୁଖ୍ୟ ଭୂମିକାଗୁଡ଼ିକ ମଧ୍ୟରେ ଯୁବପିଢ଼ିକୁ ଏକାଠି କରି ସାମାଜିକ ଓ ରାଜନୈତିକ ସଚେତନତା ସୃଷ୍ଟି କରନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସାମାଜିକ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରନ୍ତି। ବିପର୍ଯ୍ୟୟ ସମୟରେ ରିଲିଫ୍‌ ବଣ୍ଟନ, ରକ୍ତଦାନ ଶିବିର ଏବଂ ସଚେତନତା ଅଭିଯାନରେ ନେତୃତ୍ୱ ନିଅନ୍ତି। ଛାତ୍ର ସଙ୍ଗଠନ ମାଧ୍ୟମରେ ସେମାନେ ଭବିଷ୍ୟତର ଦକ୍ଷ ରାଜନୈତିକ ଓ ସାମାଜିକ ନେତା ଭାବେ ଗଢ଼ି ହୋଇଥାଆନ୍ତି। ଦୀର୍ଘ ଆଠବର୍ଷ ପରେ ଓଡ଼ିଶାର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ନିର୍ବାଚନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ବାଚନ ପାଇଁ ଅକ୍ଟୋବର ପ୍ରଥମ ସପ୍ତାହରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୫ ଅକ୍ଟୋବର ୨୦୨୬ରେ ସାରା ରାଜ୍ୟରେ ଏକ ସମୟରେ ମତଦାନ ଓ ଚୟନ ପ୍ରକ୍ରିୟାରେ ଛାତ୍ରୀଛାତ୍ର ବାଛିଥିଲେ ନିଜ ପସନ୍ଦର ଛାତ୍ରନେତା ଏବଂ ସେହିଦିନ ହିଁ ଫଳାଫଳ ପ୍ରକାଶ ପାଇଥିଲା। ରାଜ୍ୟର ପ୍ରାୟ ୧୩ଟି ବିଶ୍ୱବିଦ୍ୟାଳୟ ଏବଂ ୩୪୬ଟି ମହାବିଦ୍ୟାଳୟ ସମେତ ମୋଟ ୩୫୯ଟି ଶିକ୍ଷାନୁଷ୍ଠାନ ଏଥିରେ ସାମିଲ ହୋଇଥିଲେ। ନିର୍ବାଚନ ଶେଷ ହେବା ପରେ ବିଜୟୀ ପ୍ରାର୍ଥୀମାନେ ନିଜ ନିଜ ଛାତ୍ର ସଙ୍ଗଠନ ଯେପରିକି ଏବିଭିପି, ବିସିଜେଡି ଓ ଏନ୍‌ଏସ୍‌ୟୁଆଇର ପ୍ରମୁଖ ନେତା ଓ ଦଳୀୟ ମୁଖିଆମାନଙ୍କୁ ଭେଟିବା ଆରମ୍ଭ କରିଛନ୍ତି, ଯାହାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି।
ଭାରତୀୟ ରାଜନୀତିରେ ଏମିତି ଅନେକ ପ୍ରଭାବଶାଳୀ ନେତା ଅଛନ୍ତି, ଯେଉଁମାନେ ନିଜର ରାଜନୈତିକ ଜୀବନ ଛାତ୍ର ପ୍ରତିନିଧି ବା ଛାତ୍ରନେତା ଭାବେ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଜାତୀୟ ତଥା ଆଞ୍ଚଳିକ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି। ଭାରତର କିଛି ପ୍ରମୁଖ ଏବଂ ଜନପ୍ରିୟ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ରନେତାମାନଙ୍କ ମଧ୍ୟରେ ଜାତୀୟସ୍ତରରେ ଚର୍ଚ୍ଚିତ ସାମ୍ପ୍ରତିକ ଛାତ୍ରନେତା କହ୍ନେୟା କୁମାର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ସାରା ଦେଶରେ ପରିଚିତ ହୋଇଥିଲେ। ଓଜସ୍ବିନୀ ଭାଷଣ ଶୈଳୀ ପାଇଁ ସେ ବେଶ୍‌ ଜନପ୍ରିୟ ଏବଂ ବର୍ତ୍ତମାନ କଂଗ୍ରେସ ଦଳର ଜଣେ ପ୍ରମୁଖ ଯୁବ ନେତା। ସେହିଭଳି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଛାତ୍ର ଆନ୍ଦୋଳନ ଆରମ୍ଭ କରିଥିବା ଉମର ଖାଲିଦ, ବିଭିନ୍ନ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ନିଜର ସ୍ବର ଉତ୍ତୋଳନ କରି ଚର୍ଚ୍ଚାକୁ ଆସିଥିଲେ। ଶେହଲା ରଶିଦ ମଧ୍ୟ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ଉପସଭାପତି ଭାବେ କଶ୍ମୀର ତଥା ଦେଶର ବିଭିନ୍ନ ଛାତ୍ର ସମସ୍ୟାକୁ ନେଇ ସକ୍ରିୟ ଥିଲେ। ପ୍ରାକ୍ତନ ଛାତ୍ରନେତାଙ୍କ ମଧ୍ୟରେ ଅରୁଣ ଜେଟ୍‌ଲୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଭାରତର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଲାଲୁ ପ୍ରସାଦ ଯାଦବ ପାଟ୍‌ନା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଥିଲେ। ୧୯୭୪ରେ ଜେ.ପି. (ଜୟପ୍ରକାଶ ନାରାୟଣ) ଆନ୍ଦୋଳନର ସେ ଜଣେ ପ୍ରମୁଖ ଛାତ୍ରନେତା ଥିଲେ ଏବଂ ପରେ ବିହାରର ମୁଖ୍ୟମନ୍ତ୍ରୀ ଓ ଦେଶର ରେଳମନ୍ତ୍ରୀ ହୋଇଥିଲେ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ପାଟ୍‌ନା ବିଶ୍ୱବିଦ୍ୟାଳୟରୁ ଜେ.ପି. ଆନ୍ଦୋଳନ ସମୟରେ ଜଣେ ସକ୍ରିୟ ଛାତ୍ରନେତା ଭାବେ ଉଭା ହୋଇଥିଲେ। ମମତା ବାନାର୍ଜୀ କଲିକତା ବିଶ୍ୱବିଦ୍ୟାଳୟରୁ କଂଗ୍ରେସର ଛାତ୍ର ସଂଗଠନ (ଛାତ୍ର ପରିଷଦ) ଜରିଆରେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପଶ୍ଚିମବଙ୍ଗର ତିନିଥର ମୁଖ୍ୟମନ୍ତ୍ରୀ ସଫଳତାର ସହ କାର୍ଯ୍ୟଭାର ତୁଲାଇଥିଲେ।

କିଶୋର ଚନ୍ଦ୍ର ବେହେରା
ଅଧ୍ୟାପକ, ରାଜନୀତି ବିଜ୍ଞାନ ବିଭାଗ
ସିନ୍ଧେଦେବୀ ସ୍ନାତକ ମହାବିଦ୍ୟାଳୟ
ନନ୍ଦପୁର, କୋରାପୁଟ
ମୋ: ୯୪୩୭୯୫୫୫୬୮

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।