ଭାରତରେ ପ୍ରତି ୫ ଜଣରେ ଜଣେ ଝିଅ କରୁଛନ୍ତି ବାଲ୍ୟବିବାହ, ଜାତିସଂଘ ଓ ବିଶେଷଜ୍ଞଙ୍କ ଉଦ୍‌ବେଗ

Oct 12, 2026 - 08:06
ଭାରତରେ ପ୍ରତି ୫ ଜଣରେ ଜଣେ ଝିଅ କରୁଛନ୍ତି ବାଲ୍ୟବିବାହ, ଜାତିସଂଘ ଓ ବିଶେଷଜ୍ଞଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ,୧୨ା୧୦(ପି.ଟି.): ୨୦୩୦ ମସିହା ସୁଦ୍ଧା ବିଶ୍ୱରୁ ବାଲ୍ୟବିବାହ ସମ୍ପୂର୍ଣ୍ଣ ନିର୍ମୂଳ କରିବା ପାଇଁ ଜାତିସଂଘ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ବିଶ୍ୱର ମୋଟ ବାଲ୍ୟବିବାହର ଏକ-ତୃତୀୟାଂଶ ଭାରତରେ ସଂଘଟିତ ହେଉଥିବା ଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଅକ୍ଟୋବର ୧୧ ଅନ୍ତର୍ଜାତୀୟ କନ୍ୟାରତ୍ନ ଦିବସ ଅବସରରେ ବିଶେଷଜ୍ଞମାନେ ସଚେତନ କରାଇ କହିଛନ୍ତି ଯେ, ଭାରତରେ ପ୍ରତ୍ୟେକ ୫ ଜଣ ଯୁବତୀଙ୍କ ମଧ୍ୟରୁ ଜଣେ ୧୮ ବର୍ଷ ବୟସ ପୂରଣ ହେବା ପୂର୍ବରୁ ବିବାହ କରୁଛନ୍ତି।
୧୯୯୬ ମସିହାରେ ଦେଶରେ ବାଲ୍ୟବିବାହ ହାର ୫୦ ପ୍ରତିଶତରୁ ଅଧିକ ଥିବା ବେଳେ ବର୍ତ୍ତମାନ ଏହା ୨୦ ପ୍ରତିଶତରୁ କିଛି ଅଧିକ ହ୍ରାସ ପାଇଛି। କିନ୍ତୁ ଜାତୀୟ ହାରାହାରି କମିବା ଦ୍ୱାରା ପ୍ରକୃତ ସଙ୍କଟ ଲୁଚି ରହୁଛି; କାରଣ କେତେକ ରାଜ୍ୟରେ ଏହି ସମସ୍ୟା ଅତ୍ୟନ୍ତ ଗମ୍ଭୀର ରହିଛି। ଜାତିସଂଘ ଶିଶୁ ପାଣ୍ଠି (ୟୁନିସେଫ୍‌) ଏବଂ ସରକାରୀ ତଥ୍ୟ ଅନୁଯାୟୀ, ଦେଶର ମୋଟ ବାଲ୍ୟବିବାହର ଅଧାରୁ ଅଧିକ କେବଳ ୫ଟି ରାଜ୍ୟରେ ହେଉଛି। ସେଗୁଡ଼ିକ ହେଲା ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ। ଅନ୍ୟପକ୍ଷରେ କେରଳ ଏବଂ ଲାକ୍ଷାଦ୍ୱୀପ ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଏହି ସ୍ଥିତିରେ ଯଥେଷ୍ଟ ସୁଧାର ଆସିଛି।
ୟୁନିସେଫ୍‌ ତଥ୍ୟ ଅନୁଯାୟୀ, ଭାରତରେ ୨୦ରୁ ୨୪ ବର୍ଷ ବୟସ୍କା ମହିଳାଙ୍କ ମଧ୍ୟରେ ପ୍ରାୟ ୨୨.୪ କୋଟି (୨୨୪ ମିଲିୟନ) ଏପରି ଅଛନ୍ତି, ଯେଉଁମାନଙ୍କର ୧୭ ବର୍ଷ ବୟସ ପୂର୍ବରୁ ବିବାହ ହୋଇସାରିଥିଲା। ଏଥିମଧ୍ୟରୁ ୯ କୋଟିରୁ ଅଧିକ କିଶୋରୀଙ୍କ ବିବାହ ୧୫ ବର୍ଷ ହେବା ପୂର୍ବରୁ କରାଯାଇଥିଲା। ବିଶ୍ୱସ୍ତରରେ ପ୍ରତ୍ୟେକ ୩ ସେକେଣ୍ଡରେ ଜଣେ କନ୍ୟା ସନ୍ତାନର ବିବାହ ହେଉଛି।
ୟୁନିସେଫ୍‌ର ଭାରତ ପ୍ରତିନିଧି ସିନ୍ଥିଆ ମ୍ୟାକ୍‌କାଫ୍ରି କହିଛନ୍ତି, ଚଳିତବର୍ଷର କନ୍ୟାରତ୍ନ ଦିବସର ମୁଖ୍ୟ ବିଷୟବସ୍ତୁ ହେଉଛି ‘ବାଲ୍ୟବିବାହର ଅନ୍ତ କରନ୍ତୁ ଏବଂ କିଶୋରୀଙ୍କ ଅଧିକାରରେ ନିବେଶ କରନ୍ତୁ’। କିଶୋରୀମାନେ କେବଳ ବିକାଶର ଲାଭାର୍ଥୀ ନୁହନ୍ତି, ସେମାନେ ସମାଜ ଓ ଦେଶ ଗଠନର ମୁଖ୍ୟ ଯୋଗଦାନକାରୀ ବୋଲି ମ୍ୟାକ୍‌କାଫ୍ରି କହିଛନ୍ତି। ‘ସିଆର୍‌ୱାଇ’ (କ୍ରାଏ- ଚାଇଲ୍ଡ ରାଇଟ୍ସ ଆଣ୍ଡ୍‌ ୟୁ)ର ସିଇଓ ପୂଜା ମାରୱାହା ଏବଂ ‘ଜଷ୍ଟ ରାଇଟ୍ସ ଫର୍‌ ଚିଲ୍‌ଡ୍ରେନ’ (ଜେଆର୍‌ସି)ର ଜାତୀୟ ଆବାହକ ରବି କାନ୍ତ କହିଛନ୍ତି, ବାଲ୍ୟବିବାହ ବିରୋଧରେ ଅନେକ କଠୋର ଆଇନ ରହିଥିଲେ ବି ଦାରିଦ୍ର୍ୟ ଏବଂ ସାମାଜିକ ସଂସ୍କାର ଅଭାବରୁ ଏହା ଆଜି ବି ଜାରି ରହିଛି। ଅତ୍ୟନ୍ତ ଗରିବ ପରିବାରଗୁଡ଼ିକ ଆର୍ଥିକ ବୋଝ ଏଡ଼ାଇବା ପାଇଁ କମ୍‌ ବୟସରୁ ଝିଅମାନଙ୍କୁ ବିବାହ ଦେଇଦିଅନ୍ତି। ଏହାଦ୍ୱାରା କମ୍‌ ବୟସରୁ ଗର୍ଭଧାରଣ, ସ୍ବାସ୍ଥ୍ୟଗତ ଜଟିଳତା, ଘରୋଇ ହିଂସା ଏବଂ ଶିକ୍ଷାରୁ ବଞ୍ଚିତ ହେବା ଭଳି ଗମ୍ଭୀର ସମସ୍ୟା ସୃଷ୍ଟି ହୁଏ। ଭାରତୀୟ ଆଇନ ଅନୁଯାୟୀ ୧୮ ବର୍ଷରୁ କମ୍‌ ବୟସର ଝିଅ ଏବଂ ୨୧ ବର୍ଷରୁ କମ୍‌ ବୟସର ପୁଅଙ୍କ ବିବାହ ବେଆଇନ। ଭାରତୀୟ ନ୍ୟାୟିକ ସଂହିତା(ବିଏନ୍‌ଏସ୍‌) ୨୦୨୩ ଅନୁଯାୟୀ, ୧୮ ବର୍ଷରୁ କମ୍‌ ବୟସର ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବା ‘ଶିଶୁ ବଳାତ୍କାର’ ଭାବେ ଗଣ୍ୟ ହେବ।
୧୯ଶ ଶତାବ୍ଦୀରେ ରାଜା ରାମମୋହନ ରାୟ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଏବଂ ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ଭଳି ସମାଜ ସଂସ୍କାରକମାନେ ବାଲ୍ୟବିବାହ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ। ୧୮୯୧ର ଆପୋସ ବୟସ ଆଇନ ଏବଂ ୧୯୨୯ର ‘ଶାରଦା ଆକ୍ଟ’ ମାଧ୍ୟମରେ ବିବାହ ବୟସ ବୃଦ୍ଧି କରାଯାଇଥିଲା, ଯାହା ପରବର୍ତ୍ତୀ ସମୟରେ ଝିଅଙ୍କ ପାଇଁ ୧୮ ଓ ପୁଅଙ୍କ ପାଇଁ ୨୧ ବର୍ଷ କରାଯାଇଥିଲା। ୨୦୨୪ ମସିହାରେ କେନ୍ଦ୍ର ସରକାର ‘ବାଲ୍ୟବିବାହ ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରିଛନ୍ତି, ଯାହା ଜାତିସଂଘର ‘ନିରନ୍ତର ବିକାଶ ଲକ୍ଷ୍ୟ’ (ଏସ୍‌ଡିଜି) ୨୦୩୦ ସହ ସଂଯୁକ୍ତ। ବଣ୍ଡ ସ୍ବାକ୍ଷର, ପଞ୍ଚାୟତ ସ୍ତରୀୟ ସଚେତନତା ଏବଂ ଆବଶ୍ୟକସ୍ଥଳେ ଏଫ୍‌ଆଇଆର୍‌ ରୁଜୁ କରି ବାଲ୍ୟବିବାହ ରୋକିବା ପାଇଁ ପ୍ରଶାସନ ଓ ସ୍ବେଚ୍ଛାସେବୀ ସଂସ୍ଥାଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।