କଲ୍ୟାଣସିଂହପୁର: ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୩ ଜଣ

Sep 25, 2026 - 19:16

​କଲ୍ୟାଣସିଂହପୁର,: ଅର୍ଣ୍ଣବ ର ତାଣ୍ଡବରେ ବିଗତ ତିନି ଦିନ ଧରି ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାତାର ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏକ ବଡ଼ ଧରଣର ଅଘଟଣରୁ ଗୋଟିଏ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି।​ ମିଳିଥିବା ସୂଚନା ଅନୁଯାୟୀ, କଲ୍ୟାଣସିଂହପୁର ସଦର ସାଇ ନଗର ନିବାସୀ ଲଷ୍ମୀ ନାଗଙ୍କ ମାଟି ତିଆରି କାନ୍ଥଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ସୌଭାଗ୍ୟବଶତଃ ଘରେ ଉପସ୍ଥିତ ଥିବା ଲଷ୍ମୀ ନାଗ, ତାଙ୍କ ଝିଅ ଦିବ୍ୟା ନାଗ (୨୦) ଏବଂ ପୁଅ ମୁନା ନାଗ (୧୬) ଅଳ୍ପକେ ବର୍ତ୍ତି ଯାଇଥିବାରୁ କୌଣସି ଜୀବନହାନି ଘଟିନାହିଁ। ବର୍ତ୍ତମାନ ଉକ୍ତ ଘରର କାନ୍ଥ ପଡିବା ସହ ଛାତ ସମ୍ପୂର୍ଣ୍ଣ ଭୁଶୁଡି ପଡିଲା।ସେହିପରି ପୁରୁଣାଭଟ୍ଟା ସାହିର ସାଙ୍ଗନା ୱାଡକା ଓ ଜଗନ୍ନାଥ ମାଣ୍ଡିକା ଙ୍କ ଘର ମଧ୍ୟ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଭାବେ ଭାଙ୍ଗି କ୍ଷତିଗ୍ରସ୍ତ ହୋଇଛି।​ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି , ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଗଗନ ବିହାରୀ ପାଲାକା, ଏଡିଓ ରବୀନ୍ଦ୍ର ନାୟକ ଏବଂ ଜିଆରଏସ୍ ରଞ୍ଜିତା ହିମିରିକା ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇଛି। ଅପରପକ୍ଷରେ, ବାସହୀନ ତଥା କ୍ଷତିଗ୍ରସ୍ତ ହୋଇଥିବା ଏହି ଗରିବ ପରିବାରଗୁଡ଼ିକୁ ସରକାରୀ ନିୟମ ଅନୁସାରେ ତୁରନ୍ତ ଆର୍ଥିକ କ୍ଷତିପୂରଣ ଓ ରିଲିଫ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଜୋରଦାର ଦାବି ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।