ମିଶ୍ରିତ ୪୦୦ମି. ରିଲେରେ ଭାରତକୁ ରୌପ୍ୟ

Sep 25, 2026 - 14:23

ନାଗୋୟା : ଏସୀୟ କ୍ରୀଡ଼ାରେ ଗୁରୁବାର ଆଥ୍‌ଲେଟିକ୍‌ସ ବା ଦୌଡ଼କୁଦ ଆରମ୍ଭ ହୋଇଥିବା ବେଳେ ଭାରତୀୟମାନେ ପ୍ରଥମ ଦିନରେ ଭଲ ପ୍ରଦର୍ଶନ କରିଛନ୍ତି। ୪ ଗୁଣା ୪୦୦ ମିଟର ମିଶ୍ରିତ ରିଲେ ଦୌଡ଼ରେ ଭାରତୀୟ ଦଳ ରୌପ୍ୟ ପଦକ ଜିତିଛି। ଦୁଇ ଜଣ ଲେଖାଏଁ ପୁରୁଷ ଓ ମହିଳାଙ୍କୁ ନେଇ ଏହି ଇଭେଣ୍ଟର ଫାଇନାଲରେ ବିଶାଳ ଟି.କେ., ବିତ୍ୟା ରାମରାଜ, ମନୁ ସାଜି ଓ ଏମ୍.ଆର୍. ପୁବାମ୍ମାଙ୍କୁ ନେଇ ଗଠିତ ଭାରତୀୟ ଦଳ ୩ ମିନିଟ୍‌ ୧୪.୪୬ ସେକେଣ୍ଡ ସମୟ ନେଇ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟପଦକ ଜିତିଛନ୍ତି। ଭାରତ ପାଇଁ ପ୍ରଥମେ ମନୁ ସାଜି ଦୌଡ଼ିଥିବା ବେଳେ ୨ୟ ଧାବିକା ଭାବେ ଏମ୍.ଆର୍. ପୁବାମ୍ମା ମଧ୍ୟ ଦୁର୍ବଳ ପ୍ରଦର୍ଶନ କରିଥିଲେ। ଫଳରେ ରେସ୍‌ ଅଧାରେ ଭାରତ ୬ଷ୍ଠ ସ୍ଥାନରେ ଥିଲା। ହେଲେ ଭାରତର ଶେଷ ଦୁଇ ଜଣ ବାଜି ଓଲଟାଇ ଦେଇଥିଲେ। ବିଶାଳ ନିଜର ଗତି ବଢ଼ାଇ ଭାରତକୁ ପଦକ ଦୌଡ଼ରେ ସାମିଲ କରିଥିଲେ। ଶେଷ ପର୍ଯ୍ୟାୟରେ ବିତ୍ୟା ରାମରାଜ ଗତି ବଜାୟ ରଖି ଶେଷ ମୁହୂର୍ତ୍ତରେ ଭାରତକୁ ଭିଏତ୍‌ନାମଠାରୁ ଆଗକୁ ନେଇ ୨ୟ ସ୍ଥାନରେ ପହଞ୍ଚାଇବା ନିଶ୍ଚିତ କରିଥିଲେ। ଏସୀୟ କ୍ରୀଡ଼ା ରେକର୍ଡ ୩ ମିିନିଟ ୧୨.୮୭ ସେକେଣ୍ଡ ସମୟ ନେଇ ବାହାରେନ୍ ସ୍ବର୍ଣ୍ଣ ଜିତିଥିବା ବେଳେ ୩ ମିନିଟ୍‌ ୧୪.୫୪ ସେକେଣ୍ଡ ସମୟ ନେଇ ଭିଏତ୍‌ନାମ କାଂସ୍ୟ ପଦକ ଜିତିଥିଲା। ସକାଳେ ହିଟ୍‌-୨ରେ ୨ୟ ସ୍ଥାନରେ ରହି ଭାରତ ଫାଇନାଲରେ ପ୍ରବେଶ କରିଥିଲା। ଚଳିତ କ୍ରୀଡ଼ାରେ ଏହା ଦୌଡ଼କୁଦରେ ଏହା ଭାରତର ପ୍ରଥମ ରୌପ୍ୟପଦକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।