କଳାହାଣ୍ଡିରେ ଲଗାଣ ବର୍ଷା: ୨୪ ଘଣ୍ଟାରେ ୧୦୭୦ ମିମି ବର୍ଷା,ହାତୀ ନଦୀରେ ବନ୍ୟା
କଳାହାଣ୍ଡି:ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାର ସ୍ଥିତି ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମୋଟ ୧୦୭୦ ମିମି ବର୍ଷା ରେକର୍ଡ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ରେଡ୍ ୱର୍ଣ୍ଣିଂ ଜାରି ହୋଇଥିବାବେଳେ, ଗତକାଲି ସକାଳଠାରୁ ଆଜି ସକାଳ ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷା ସାଙ୍ଗକୁ ଝଟକା ପବନ ଲାଗିରହିଥିଲା। ଏଥିରେ ତଳିଆ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି।
ବ୍ଲକ୍ୱାରୀ ବର୍ଷା ତଥ୍ୟ ଅନୁଯାୟୀ, ଗୋଲାମୁଣ୍ଡାରେ ସର୍ବାଧିକ ୨୦୨ ମିମି, କୋକସରାରେ ୧୫୨ ମିମି, ଜୟପାଟଣାରେ ୧୨୬ ମିମି ଏବଂ ଥୁଆମୂଳ ରାମପୁରରେ ୧୧୫ ମିମି ବର୍ଷା ହୋଇଛି। ତେବେ ବର୍ଷାଜନିତ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ରିପୋର୍ଟ ଆଜି ସନ୍ଧ୍ୟା ସୁଦ୍ଧା ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚିନଥିବା ଜଣାପଡ଼ିଛି।ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ବଢ଼ିବା ପରେ ଜଳ ନିଷ୍କାସନକୁ ନିୟନ୍ତ୍ରଣ କରାଯାଇଛି। ଗତ ରାତିରେ ଇନ୍ଦ୍ରାବତୀ ପ୍ରକଳ୍ପର ମେନ୍ ଡ୍ୟାମ୍ର ୪ଟି ଗେଟ୍ ଖୋଲାଯାଇ ୧୦୫୦ କ୍ୟୁମେକ୍ସ ପାଣି ଇନ୍ଦ୍ରାବତୀ ନଦୀକୁ ଛଡ଼ାଯାଉଛି। ଏହାପରେ ଜଳଭଣ୍ଡାରର ଜଳସ୍ତର ୬୪୧.୦୫ ମିଟରକୁ ଖସିଛି।ସେହିପରି ମଙ୍ଗଳପୁର ବ୍ୟାରେଜ୍ର ୪ଟି ଗେଟ୍ ଖୋଲାଯାଇ ହାତୀ ନଦୀକୁ ୧୭୦ କ୍ୟୁମେକ୍ସ ପାଣି ଛଡ଼ାଯାଉଛି। ଏହା ଫଳରେ ବଡ଼ ଧରଣର ବନ୍ୟା ପରିସ୍ଥିତି ଟଳିଥିବା କୁହାଯାଉଛି।
ତଥାପି ଗତକାଲି ବିଳମ୍ବିତ ରାତିରେ ହାତୀ ନଦୀରେ ବନ୍ୟା ଆସିବାରୁ କଲମପୁର ବ୍ଲକ୍ର ବାଲିଛଡ଼ା ସମେତ କେତେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିଲା। ଆଜି ଅପରାହ୍ନରେ ଇଚ୍ଛାପୁରରୁ ବାଲିଛଡ଼ାକୁ ସଂଯୋଗ କରୁଥିବା ରାସ୍ତା ଉପରେ ପାଣି ଚାଲୁଥିବା ଦେଖାଯାଇଛି।ବ୍ଲକ୍ ପ୍ରଶାସନ ପକ୍ଷରୁ ବାଲିଛଡ଼ା ଗାଁର ୨୫୦ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିବାବେଳେ ୬ଟି ପରିବାରକୁ ସ୍ଥାନାନ୍ତର କରାଯାଇଛି। ଖବର ଲେଖାଯିବା ସୁଦ୍ଧା ଗାଁର କେତେକ ଘରେ ପାଣି ପଶିଥିବା ଏବଂ ବାହାର ଅଞ୍ଚଳ ସହ ଯୋଗାଯୋଗ ବିଚ୍ଛିନ୍ନ ରହିଥିବା ସୂଚନା ମିଳିଛି।ଅନ୍ୟପକ୍ଷରେ, ଜୟପାଟଣା ବ୍ଲକ୍ର ଧନସୁଲି ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଓ ନଦୀନାଳରେ ଜଳସ୍ତର ବୃଦ୍ଧି ଯୋଗୁଁ ତଳିଆ ଅଞ୍ଚଳର ଲୋକଙ୍କ ଚିନ୍ତା ବଢ଼ିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ଆବଶ୍ୟକ ସ୍ଥଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରସ୍ତୁତି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।