ମହିଳାଙ୍କ ଫଟୋ ବିକୃତ କରିବା ମାମଲା: ସିଜେପି ନେତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ

Sep 25, 2026 - 19:17

ସମାଜ ଲାଇଭ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ସହ ଅନ୍ୟ ଜଣେ ମହିଳାଙ୍କ ଫଟୋକୁ ବିକୃତ କରି ଯୋଡି ତାକୁ ପ୍ରଦର୍ଶନ କରିବା ଅଭିଯୋଗରେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର କକ୍ରୋଚ ଜନତା ପାର୍ଟିର ଆବାହକ ଅଭିଜିତ ଦୀପ୍‌କେ ଏବଂ ମୁଖପାତ୍ର ସୌରଭ ଦାସ ଓ ଅଶୁତୋଷ ରାଙ୍କାଙ୍କୁ ନୋଟିସ ଜାରି କରିଛନ୍ତି । ନିଜ ରାୟରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଗିରିଶ କାଠପାଲିଆ ଦର୍ଶାଇଛନ୍ତି ଯେ, ଏହା କେବଳ ଜଣେ ମହିଳାଙ୍କ ଆତ୍ମସମ୍ମାନର କଥା ନୁହେଁ, ଏହା ଦେଶର ପ୍ରଧାନମନ୍ତ୍ରୀଙ୍କ ପଦ ମର୍ଯ୍ୟାଦାର କଥା । ଦିଲ୍ଲୀ ପୁଲିସ ଘଟଣାଟିକୁ ଗମ୍ଭୀରତାର ସହ ନେଇ ତଦନ୍ତ କରିବ । ଉକ୍ତ ଅଭିଯୋଗକାରୀ ମହିଳାଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟ ଏହି ମର୍ମରେ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଅକ୍‌ଟୋବର ୧୪ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
ମହିଳା ଜଣକ ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ, ସିଜେପିର ନେତାମାନେ ତାଙ୍କ ଫଟକୁ ବିକୃତ କରି ସୋସିଆଲ ମିଡିଆରେ ବ୍ୟବହାର କରିଛନ୍ତି । ଗତ କିଛିଦିନ ତଳେ ଦିଲ୍ଲୀର ଜନ୍ତରମନ୍ତରଠାରେ ସିଜେପି ନେତାମାନେ ଯେଉଁ ପ୍ରତିବାଦ ସମାବେଶ କରିଥିଲେ, ସେଠାରେ ସେମାନେ ତାଙ୍କ ଫଟୋକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହାୟତାରେ ବିକୃତ କରି ପ୍ରଧାନମନ୍ତ୍ରୀଙ୍କ ଫଟୋ ସହ ଯୋଡିଥିଲେ, ଯାହା ତାଙ୍କ ଜ୍ଞାତସାରର ବାହାରେ ବୋଲି ଉକ୍ତ ମହିଳା ଜଣକ ଦର୍ଶାଇଛନ୍ତି । ତୁରନ୍ତ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ମହିଳା ଜଣକ ନିଜ ଓକିଲ ଉମେଶ ଚନ୍ଦ୍ର ଶର୍ମାଙ୍କ ଜରିଆରେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।