କାଳ ସାଜିଲା ନଦୀ ଗାଧୁଆ: ୩ ମୁଣ୍ଡ ନେଲା ଚୋରାବାଲି !
ନନ୍ଦିଘୋଷ ବ୍ୟୁରୋ: କାଳ ସାଜିଲା ନଦୀ ଗାଧୁଆ। ଲୁଣା ନଦୀକୁ ଗାଧୋଇବାକୁ ଯାଇ ୩ ନାବାଳକ ବୁଡ଼ି ମୃତ। କେନ୍ଦ୍ରାପଡ଼ା ସଦର ଥାନା ଗହଗା ଗାଁରେ ଘଟିଛି ହୃଦୟ ବିଦାରକ ଘଟଣା। ମୃତ ୩ ନାବାଳକ ସ୍ଥାନୀୟ ଗହଗା ଗାଁର ହିମାଂଶୁ ଶେଖର ସତପଥି, ଚିରଞ୍ଜୀବ ପରିଡା, ସବ୍ୟସାଚୀ ସ୍ୱାଇଁ ବୋଲି ଜଣାପଡିଛି।
ମିଳିଥିବା ସୂଚନା ମୁତାବକ,ଆଜି ଦିନ ୧୧ ଟା ସମୟରେ ଗହଗା ଗାଁର ୩ ଜଣ ନାବାଳକ ସ୍ଥାନୀୟ ଲୁଣା ନଦୀର ଗହଗା ଘାଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ଅସାବଧାନତାବଶତଃ ଗଭୀର ପାଣିକୁ ଚାଲିଯିବାରୁ ଚୋରା ବାଲିରେ ପାଦ ଖସି ଯାଇଥିଲା । ଫଳରେ ସେମାନେ ନଦୀର ସ୍ରୋତରେ ଭାସି ଯାଇ ବୁଡ଼ି ଯାଇଥିଲେ। ଅନେକ ସମୟ ପର୍ଯ୍ୟନ୍ତ ନାବାଳକମାନେ ଘରକୁ ନଫେରିବାରୁ ଏବଂ ନଦୀଘାଟରେ ସେମାନଙ୍କ ପୋଷାକ ଓ ଅନ୍ୟାନ୍ୟ ଜିନିଷ ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା।ଏହାପରେ ପରିବାର ଲୋକ ଓ ଗ୍ରାମବାସୀ ପ୍ରଥମେ ନିଜସ୍ୱ ଉଦ୍ୟମରେ ଖୋଜାଖୋଜି ଆରମ୍ଭ କରିଥିଲେ। ଖବର ପାଇ କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।ନିଖୋଜ ନାବାଳକମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଦୁଇଟି ବୋଟ୍ ମୁତୟନ କରାଯାଇ ନଦୀରେ ବ୍ୟାପକ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ଆଉ କିଛି ଘଣ୍ଟାର ପରିଶ୍ରମ ପରେ ଶେଷରେ ୩ ଜଣଙ୍କ ମୃତଦହେ ଉଦ୍ଧାର କରାଯାଇଛି । ଅଗ୍ନିଶ୍ରମ ଟିମ୍ ସେମାନଙ୍କ ମୃତଦେହ ଉଦ୍ଧାର କରିଛି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।ନିଖୋଜ ନାବାଳକଙ୍କ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଗହଗା ଗାଁର ପରିବେଶ ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡ଼ିଛି । ସ୍ଥାନୀୟ ସଦର ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।