କାହିଁକି ଜଳୁଛି ଫ୍ରାନ୍ସ

Nov 07, 2026 - 08:38
କାହିଁକି ଜଳୁଛି ଫ୍ରାନ୍ସ

ବିକଶିତ ଦେଶ ଫ୍ରାନ୍ସ ଏବେ ଅଶାନ୍ତ। ରାସ୍ତାଘାଟରେ ଲକ୍ଷ ଲକ୍ଷ ଜନତାଙ୍କ ବିକ୍ଷୋଭ। ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ଓ ପ୍ରତିବାଦକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ। ଦେଶରେ ଲଗାମଛଡ଼ା ଦରଦାମ୍‌ ବୃଦ୍ଧି, ସାଧାରଣ ଶିକ୍ଷା ବ୍ୟବସ୍ଥା ପାଇଁ ବଜେଟ କାଟ୍‌ , ଘରଭଡ଼ା ବୃଦ୍ଧି, ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସର ଦର ବୃଦ୍ଧି ସାଧାରଣ ଲୋକଙ୍କ ଜୀବନକୁ ଯନ୍ତ୍ରଣାମୟ କରିଦେଇଛି। ରାସ୍ତାରେ ପ୍ରତିବାଦକାରୀମାନେ ବିଭିନ୍ନ ବେସରକାରୀ ଓ ସରକାରୀ ପ୍ରତିଷ୍ଠାନରେ ନିଆଁ ଲଗାଇ ଦେଇଛନ୍ତି। ଦୋକାନ ବଜାର, ମଲ୍‌ଗୁଡିକରୁ ଲୁଟ୍‌ପାଟ ହେଉଛି। ପ୍ୟାରିସ୍‌ ସମେତ ମାର୍ସାଇଲେ, ଲିମୋଜେସ୍‌ ଭଳି ସହରରେ ସ୍ଥିତି ନିୟନ୍ତ୍ରଣ ବାହାରେ। ଲିମୋଜେସ୍‌ ସହରରେ ପ୍ରଦର୍ଶନକାରୀମାନେ ୧୪୩ ବର୍ଷ ପୁରୁଣା ଟାଉନ୍‌ ହଲରେ ନିଆଁ ଲଗାଇ ଦେଇଛନ୍ତି। ଆନ୍ଦୋଳନକୁ ଦମନ କରିବା ପାଇଁ ସୁରକ୍ଷାକର୍ମୀ ଅନେକ ହଜାର ଲୋକଙ୍କୁ ଗିରଫ କରୁଛନ୍ତି, ହେଲେ ଆନ୍ଦୋଳନ ନିୟନ୍ତ୍ରଣକୁ ଆସୁନି। ଫ୍ରାନ୍ସ ଅର୍ଥନୀତି ଅତି ଦୁର୍ବଳ ଅବସ୍ଥାକୁ ଚାଲିଯାଇଥିବାରୁ ସେଠାକାର ସର୍ବସାଧାରଣ ଋଣ ମୋଟ ଘରୋଇ ଉତ୍ପାଦ( ଜିଡିପି)ର ୧୧୯ ପ୍ରତିଶତକୁ ବୃଦ୍ଧି ପାଇଛି। ଇରାନ୍‌- ଆମେରିକା ଯୁଦ୍ଧ ସ୍ଥିତି ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ଫ୍ରାନ୍ସ ଅର୍ଥନୀତିକୁ ବଡ଼ କ୍ଷତି ପହଞ୍ଚାଇଛି। ରାଷ୍ଟ୍ରପତି ଇମାନୁଏଲ ମାକଁର ଆଖିଦୃଶିଆ ବିକାଶ କରି ନ ଥିବା ଅଭିଯୋଗ ଉଠିିଛି। ମାକଁର ନିଜକୁ ଜଣେ ଉଦାରବାଦୀ ବୋଲି ଦାବି କରୁଥିଲେ ମଧ୍ୟ ତାଙ୍କ କାର୍ଯ୍ୟକାଳରେ ସେ ଦେଶବାସୀଙ୍କ ଆଶା ପୂରଣ କରିବାରେ ବିଫଳ ହୋଇଛନ୍ତି, ଯାହା ଏହି ପ୍ରତିବାଦରୁ ସ୍ପଷ୍ଟ ହୋଇଛି।
୨୦୨୭ ଏପ୍ରିଲରେ ଫ୍ରାନ୍ସରେ ସାଧାରଣ ନିର୍ବାଚନ। ସେଠାରେ ଦକ୍ଷିଣପନ୍ଥୀ ମାରିନ୍‌ ଲ’ ପେନ୍‌ ଓ ବାମପନ୍ଥୀ ନେତା ରାଫେଲ ଗ୍ଲୁକ୍ସମ୍ୟାନ ଜନଅସନ୍ତୋଷରୁ ସୁଯୋଗ ନେବାକୁ ପ୍ରୟାସ କରୁଛନ୍ତି। ଗତ ସେପ୍ଟମ୍ବରରେ ପ୍ୟାରିସର ଏକ ଛୋଟ ସ୍କୁଲରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନର ନିଆଁ ସାରା ଫ୍ରାନ୍ସକୁ ବ୍ୟାପିଯାଇଛି। ପ୍ୟାରିସର ଲାଇସି ସେଣ୍ଟ-ଏକ୍ସୁପେରୀ ସ୍କୁଲର ଛାତ୍ରମାନେ ଦାବି କରିଥିଲେ ଯେ ସ୍କୁଲରେ ଶିକ୍ଷକ ନିଯୁକ୍ତି ଏବଂ ସମ୍ବଳର ଅଭାବ ଦୂର କରାଯାଉ। ଏହାର ଆଠ ଦିନ ମଧ୍ୟରେ ଦେଶରେ ୪୧୦ ସ୍କୁଲରେ ସମାନ ଧରଣର ଆନ୍ଦୋଳନ ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ବିଶ୍ବବିଦ୍ୟାଳୟର ଛାତ୍ରୀଛାତ୍ର ଆନ୍ଦୋଳନରେ ସାମିଲ ହୋଇଥିଲେ। ଛାତ୍ରମାନେ ସେମାନଙ୍କ ମାତାପିତା, ଶିକ୍ଷକ ଏବଂ ଶ୍ରମିକ ସଙ୍ଗଠନଠାରୁ ସମର୍ଥନ ପାଇଥିଲେ। ଛାତ୍ରମାନଙ୍କ ପ୍ରତିବାଦରେ ମୁଦ୍ରାସ୍ଫୀତି ଦ୍ବାରା ଅତିଷ୍ଠ ସାଧାରଣ ଜନତା ମଧ୍ୟ ସାମିଲ ହୋଇଯାଇଛନ୍ତି। ଆନ୍ଦୋଳନକାରୀଙ୍କ ଚାରୋଟି ପ୍ରମୁଖ ଦାବି ମଧ୍ୟରେ ରହିଛି ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି, ପେନସନଧାରୀଙ୍କୁ ବର୍ଦ୍ଧିତ ଅର୍ଥ ପ୍ରଦାନ, ଦେଶରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣକୁ ଆଣିବା, ସରକାରୀ ସେବାରେ ଗୁଣାତ୍ମକ ମାନର ଉନ୍ନତି, ହାଇସ୍କୁଲଗୁଡ଼ିକରେ ଶିକ୍ଷକ ଅଭାବ ଦୂର, ଶିକ୍ଷାନୁଷ୍ଠାନ ଭିତ୍ତିଭୂମିର ଉନ୍ନତି। ଅକ୍ଟୋବର ୫ରେ ଫ୍ରାନ୍ସର ଉତ୍ତର ସହର ଲେନ୍ସରେ ଏକ ପ୍ରଦର୍ଶନ ସମୟରେ ବିକ୍ଷୋଭକାରୀଙ୍କ ଉପରକୁ ପୋଲିସ ଗ୍ରେନେଡ୍‌ ମାଡ଼ କରିଥିଲା। ଏଥିରେ ଜଣେ ୧୫ ବର୍ଷୀୟ ଛାତ୍ରଙ୍କ ହାତ ଛିଣ୍ଡି ପଡ଼ିଥିଲା। ଏହି ଘଟଣା ପରେ ପ୍ରାନ୍ସର ପ୍ରାୟ ୧୦ଟି ସହରର ବିଭିନ୍ନ ସୁପର ମାର୍କେଟ୍‌, ବ୍ରାଣ୍ଡ୍‌ ଶୋରୁମ୍‌, ଔଷଧ ଦୋକାରୁ ଜୋରଜବରଦସ୍ତ ଲୁଟ୍‌ପାଟ ଆରମ୍ଭ କରି ଦେଇଥିଲେ ବିକ୍ଷୋଭକାରୀ। ଏବେ ବି ଫ୍ରାନ୍ସରେ ନିୟନ୍ତ୍ରଣ ବାହାରେ ରହିଛି ଆନ୍ଦୋଳନ। ପ୍ୟାରିସ ସମେତ ବୋର୍ଡୋ, ନିସ୍‌ ଏବଂ ଉତ୍ତର ଫ୍ରାନ୍ସର ଅନେକ ସହରରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିଛି। କିଛି ସ୍ଥାନରେ କିଶୋର ଓ ଛୋଟ ପିଲାମାନଙ୍କୁ ରାତିରେ ବାହାରକୁ ଯିବାକୁ ବାରଣ କରାଯାଇଛି। ବାମପନ୍ଥୀ ଦଳ ଲା ଫ୍ରାନ୍ସ ଇନ୍‌ସୁମାଇଜ(ଫ୍ରାନ୍ସ ଅନବୋଉଡ) କଟକଣାକୁ ସମାଲୋଚନା କରିଛି। ଦଳର ନେତା ଜିନ୍‌-ଲକ୍‌ ମେଲେନଚନ୍‌ କହିଛନ୍ତି ଯେ, ସରକାର ଏବଂ ପୋଲିସ ପରିସ୍ଥିତି ପରିଚାଳନାରେ ବିଫଳ। ଫ୍ରାନ୍ସରେ ହିଂସାକାଣ୍ଡ ପାଇଁ ରାଷ୍ଟ୍ରପତି ମାକଁର ମୌଳବାଦୀ ବାମପନ୍ଥୀ ଗୋଷ୍ଠୀ ଏବଂ ଲୁଟେରାଙ୍କୁ ଦାୟୀ କରିଛନ୍ତି। ପ୍ରଧାନମନ୍ତ୍ରୀ ସେବାଷ୍ଟିନ୍‌ ଲେକୋର୍ନୁ ଅଭିଯୋଗ କରିଛନ୍ତି ଯେ, କିଛି ଲୋକ ଜାଣିଶୁଣି ପୋଲିସ କାର୍ଯ୍ୟାଳୟ, ସରକାରୀ କୋଠା ଏବଂ ସମ୍ପତ୍ତିକୁ ଟାର୍ଗେଟ କରିଛନ୍ତି। ମୁଖ୍ୟ ବିରୋଧୀ ଦଳର ନେତା ମାରିନ୍‌ ଲେ ପେନ୍‌ କହିଛନ୍ତି, ସରକାର ଆଇନ ଶୃଙ୍ଖଳା ବଜାୟ ରଖିବାରେ ବିଫଳ ହୋଇଛନ୍ତି।
ଫ୍ରାନ୍ସ ବିଶ୍ୱର ଏକ ପ୍ରମୁଖ ଅର୍ଥନୀତି। ଆଧୁନିକ ସହର ସହ ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା ଏଠି ଗୁଣାତ୍ମକ। କିନ୍ତୁ ଏହା ସତ୍ତ୍ୱେ ସରକାରୀ ନିଷ୍ପତ୍ତିକୁ ନେଇ ଏଠାରେ ସମୟ ସମୟରେ ବଡ଼ ପ୍ରତିବାଦ ମୁଣ୍ଡ ଟେକିଥାଏ। କେତେବେଳେ ପେନସନ୍‌ ପରିବର୍ତ୍ତନକୁ ବିରୋଧ ତ ଅନ୍ୟ କେତେବେଳେ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ନେଇ ଲୋକେ ରାସ୍ତାକୁ ଓହ୍ଲାଇଥାନ୍ତି। କିନ୍ତୁ ଚଳିତ ବର୍ଷର ଆନ୍ଦୋଳନ ସ୍କୁଲଗୁଡ଼ିକର ଖରାପ ସ୍ଥିତିକୁ ନେଇ ଆରମ୍ଭ ହୋଇଛି, ଯାହା ଫ୍ରାନ୍ସକୁ ଏକ ବ୍ୟାପକ ଜନଆନ୍ଦୋଳନ ଭିତରକୁ ଠେଲି ଦେଇଛି। କେବଳ ଫ୍ରାନ୍ସ କାହିଁକି କେତେକ ୟୁରୋପୀୟ ଦେଶରେ ମଧ୍ୟ ସେମାନଙ୍କ ସମସ୍ୟାକୁ ନେଇ ପ୍ରତିବାଦ ସ୍ବର ଉଠିଛି। ବେଲଜିୟମରେ ଶିକ୍ଷା ବଜେଟ୍‌ ହ୍ରାସ ଯୋଗୁ ଛାତ୍ରୀଛାତ୍ରଙ୍କ ପ୍ରଦର୍ଶନ ଏବଂ ଆର୍ଜେଣ୍ଡିନା, ଆଲବେନିଆ, ପର୍ତ୍ତୁଗାଲ ଭଳି ଦେଶରେ ମଧ୍ୟ ସମାନ ଧରଣର ଆନ୍ଦୋଳନ ତୀବ୍ର ହୋଇଛି। କିନ୍ତୁ ଫ୍ରାନ୍ସ ଏବଂ ଆଲବାନିଆ ସବୁଠାରୁ ଗମ୍ଭୀର ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ବେଲଜିୟମରେ ବର୍ଦ୍ଧିତ ଘରୋଇ ଖର୍ଚ୍ଚ ଏବଂ ସାର୍ବଜନୀନ ଖର୍ଚ୍ଚ ହ୍ରାସ ନେଇ ଛାତ୍ରମାନେ ବିକ୍ଷୋଭ କରିଥିବା ବେଳେ ବ୍ରସେଲ୍ସ ଓ ଲିଏଜ୍‌ରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ଭିତରେ ଖଣ୍ଡ ଯୁଦ୍ଧ ସ୍ଥିତି ଉପୁଜିଥିଲା। ଇଟାଲୀ ଓ ଆଲବାନିଆରେ ଲୋକେ ମଧ୍ୟ ସରକାର ବିରୋଧରେ ବିକ୍ଷୋଭ କରିଛନ୍ତି।
ଆମେରିକାରେ ନୋ କିଙ୍ଗ୍‌ସ ଶୋଭାଯାତ୍ରା ମାଧ୍ୟମରେ ଟ୍ରମ୍ପ ପ୍ରଶାସନକୁ ଚେତାବନୀ ଦିଆଯାଇଛି। ଡିଜେଲ ଦର ବୃଦ୍ଧିକୁ ନେଇ କୃଷକ ସଂଗଠନ ଆନ୍ଦୋଳନ କରିଛନ୍ତି। ଆମେରିକାର ବଡ଼ ବଡ଼ ଆଇଟି କମ୍ପାନୀ ଅନେକ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରିଛି। ତେଣୁ ବିଶ୍ବରେ ଏଭଳି ଅସ୍ଥିର ସ୍ଥିତି ଅସମ୍ଭାଳ କରିସାରିଲାଣି। ଯୁଦ୍ଧ ସ୍ଥିତି ଯୋଗୁ ବିଶ୍ବ ଅର୍ଥନୀତି ମନ୍ଥର ସହ ପୁଞ୍ଜି ନିବେଶ କମୁଛି, ବେକାରି ବଢୁଛି। ବିଶ୍ବ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଏନେଇ ବିଭିନ୍ନ ଦେଶ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ବିଶେଷଜ୍ଞଙ୍କ କହିବା କଥା ମଧ୍ୟପ୍ରାଚ୍ୟ ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ନ ହେଲେ ବିଶ୍ବ ଆହୁରି ସାଂଘାତିକ ସ୍ଥିତିକୁ ଚାଲିଯାଇ ପାରେ। କାରଣ ଯୁଦ୍ଧ ଯୋଗୁ ତୈଳସଙ୍କଟ ପ୍ରମୁଖ କାରଣ ହୋଇଛି। ଏଭଳି ସ୍ଥିତିରେ ବଡ଼ ଦେଶଗୁଡ଼ିକ ଯୁଦ୍ଧକୁ ପ୍ରୋତ୍ସାହନ ନ ଦେଇ ସଂଯମ ଓ ଶାନ୍ତି ରକ୍ଷା ପାଇଁ ପ୍ରୟାସ ଆରମ୍ଭ କଲେ ସମସ୍ତଙ୍କ ପାଇଁ ମଙ୍ଗଳ ନିଶ୍ଚୟ।

ଲଳିତେନ୍ଦୁ ପଲାଉରୀ
ବାଲିପନ୍ତାଳ, ନଗର , ଅସ୍ତରଙ୍ଗ ,ପୁରୀ
ମୋ:୯୭୭୮୬୯୭୦୩୬

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।