ଦାରିଙ୍ଗବାଡ଼ି-ଗାଜଲବାଡ଼ି ରାସ୍ତାରେ ଗଡ଼ିଲା ୪ ଚକିଆ ଗାଡ଼ି: ଭାରୀଯାନ ଉପରେ କଟକଣା ଜାରି
ଦାରିଙ୍ଗବାଡ଼ି, ୭।୧୧ (ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୂସ୍ଖଳନ ଓ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଦାରିଙ୍ଗବାଡ଼ି-ଗାଜଲବାଡ଼ି ରାସ୍ତାରେ ଯାତାୟାତ ପୁଣି ସୱାଭାବିକ ହେବାକୁ ଯାଉଛି। ଏହି ରାସ୍ତାରେ ଦୁଇ ଚକିଆ ଯାନ ସହ ଚାରି ଚକିଆ ଯାନ ଚଳାଚଳକୁ ପ୍ରଶାସନ ଅନୁମତି ଦେଇଛି। ତେବେ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି ରହିଛି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଭାରୀଯାନ ଏହି ରାସ୍ତାରେ ଯାତାୟାତ କରିପାରିବ ନାହିଁ। କନ୍ଧମାଳ ଜିଲାପାଳ ବେଦ ଭୂଷଣ ଏନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଶୁକ୍ରବାର ଅପରାହ୍ନରୁ କନ୍ଧମାଳ ଓ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଚାରି ଚକିଆ ଯାନ ଚଳାଚଳ ପାଇଁ ଅନୁମତି ମିଳିଥିବା ଜଣାପଡ଼ିଛି। ଜାତୀୟ ରାଜପଥ ବିଭାଗର ସୋରଡ଼ା କାର୍ଯ୍ୟାଳୟର ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ରାସ୍ତାର ମରାମତି କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ଏହା ସମ୍ପୂର୍ଣ୍ଣ ହେବାକୁ ଆହୁରି ସମୟ ଲାଗିବ।
ସୂଚନା ଅନୁସାରେ, ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗାଜଲବାଡ଼ି ଘାଟିରେ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ଏହା ସହ ଘାଟି ଶେଷରେ ଥିବା ଅଡ଼ଙ୍ଗୀ ନଦୀରେ ପ୍ରବଳ ଜଳସ୍ରୋତ ଆସି ଭୂତପଙ୍କାଳ ବ୍ରିଜ ଓ ଏହାର ସଂଯୋଗୀକରଣ ରାସ୍ତାକୁ ଧୋଇ ନେଇଥିଲା। ପ୍ରାୟ ୩୬୦ ମିଟର ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାରୁ ଦାରିଙ୍ଗବାଡ଼ିରୁ ଗାଜଲବାଡ଼ି ଦେଇ ବ୍ରହ୍ମପୁର ଓ ଭଞ୍ଜନଗରକୁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା।
ଏହାପରେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଭୂସ୍ଖଳନ ସ୍ଥାନରୁ ବଡ଼ ବଡ଼ ପଥର, ଗଛ ଓ ମାଟି ହଟାଯିବା ସହ ଭୂତପଙ୍କାଳ ବ୍ରିଜ ଓ ସଂଯୋଗୀକରଣ ରାସ୍ତାର ମରାମତି କରାଯାଉଛି। ପ୍ରଥମେ ପରୀକ୍ଷାମୂଳକ ଭାବେ ଦୁଇ ଚକିଆ ଯାନକୁ ଯାତାୟାତ ପାଇଁ ଅନୁମତି ଦିଆଯାଇଥିଲା। ଏବେ ଚାରି ଚକିଆ ଯାନକୁ ମଧ୍ୟ ଅନୁମତି ମିଳିଛି। ତେବେ ମରାମତି କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳକୁ ଅନୁମତି ମିଳିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏନେଇ ଦାରିଙ୍ଗବାଡ଼ି ତହସିଲଦାର ଧୀରଜ ପାତ୍ରଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ସୋରଡ଼ା ତହସିଲଦାର ଓ ଜାତୀୟ ରାଜପଥ ବିଭାଗର ଯନ୍ତ୍ରୀଙ୍କ ସହ ଆଲୋଚନା ପରେ ଉଭୟ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଶନିବାର କେବଳ ଦୁଇ ଓ ଚାରି ଚକିଆ ଯାନ ଚଳାଚଳ କରିପାରିବ। ଭାରୀଯାନ ଉପରେ କଟକଣା ବଳବତ୍ତର ରହିବ।
ସୂଚନାଯୋଗ୍ୟ, ବାତ୍ୟା ଅର୍ଣ୍ଣବ ଆସିବା ପୂର୍ବରୁ ଗତ ୨୭ ତାରିଖରୁ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଜଲବାଡ଼ି ଓ ବାଇମାଳା ଘାଟିରେ ଯାତାୟାତକୁ ନିଷିଦ୍ଧ କରାଯାଇ ରାସ୍ତା ସିଲ କରାଯାଇଥିଲା। ପରେ ୨୯ ତାରିଖରେ ବାଦଲଫଟା ବର୍ଷା ଯୋଗୁ ଭୂତପଙ୍କାଳ ବ୍ରିଜ ଧୋଇଯିବା ସହ ଭୂସ୍ଖଳନ ହୋଇଥିଲା। ତେବେ ପ୍ରଶାସନର ଆଗୁଆ ପଦକ୍ଷେପ ଯୋଗୁ ଏକ ବଡ଼ ବିପଦରୁ ଲୋକଙ୍କୁ ସୁରକ୍ଷା ମିଳିଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।