କିଙ୍ଗ୍‌ପିନ୍‌ ଚନ୍ଦ୍ରକର ଓମାନ୍‌ରୁ ପ୍ରତ୍ୟର୍ପିତ

Nov 02, 2026 - 08:42
କିଙ୍ଗ୍‌ପିନ୍‌ ଚନ୍ଦ୍ରକର ଓମାନ୍‌ରୁ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ,୨ା୧୧: ବେଆଇନ ବେଟିଂ ସିଣ୍ଡିକେଟ୍‌ର କିଙ୍ଗ୍‌ପିନ୍‌ କୁହାଯାଉଥିବା ମହାଦେବ ଅନ୍‌ଲାଇନ ବୁକ୍‌ ଆପ୍‌ର ପ୍ରମୋଟର ସୌରଭ ଚନ୍ଦ୍ରକରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓମାନ୍‌ରୁ ପ୍ରତ୍ୟର୍ପଣ କରାଇଛି। ସିବିଆଇର ଏକ ସ୍ବତନ୍ତ୍ର ଟିମ୍‌ ମସ୍କାଟ୍‌ ଯାଇ ଚନ୍ଦ୍ରଶେଖରଙ୍କୁ ଭାରତ ଆଣିଛି। ସୋମବାର ତାଙ୍କୁ ରାୟପୁରର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବ।
୨ଟି ସିବିଆଇ ମାମଲାରେ ଚନ୍ଦ୍ରକରଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ ହୋଇଛି। ଏଥିସହିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ବିରୋଧରେ ଅନ୍ୟ ଏକ ମାମଲା ରୁଜୁ କରିଛି। ତାଙ୍କ ପ୍ରତ୍ୟର୍ପଣ ପରେ ରାୟପୁରରେ ଡାକ୍ତରୀ ପରୀକ୍ଷା କରାଯାଇ ଟ୍ରାଞ୍ଜିଟ୍‌ ରିମାଣ୍ଡ ଲାଗି କୋର୍ଟରେ ହାଜର କରାଯିବ।
ସିବିଆଇ ତଦନ୍ତରୁ ଜଣାପଡ଼ିଛି ଯେ ମହାଦେବ ଅନ୍‌ଲାଇନ ବୁକ୍‌ ଦେଶର ସର୍ବବୃହତ୍‌ ବେଆଇନ ଅନ୍‌ଲାଇନ ବେଟିଂ ସିଣ୍ଡିକେଟ, ଯାହା ଭାରତ ବାହାରୁ ପରିଚାଳିତ ହେଉଥିଲା। ଉକ୍ତ ପ୍ଲାଟ୍‌ଫର୍ମ ସାରା ଦେଶରେ ଚାଲିଥିବା ଏହାର ଫ୍ରାଞ୍ଚାଇଜ୍‌ ପ୍ୟାନେଲ୍‌ ଓ ଶାଖା ନେଟ୍‌ଓ୍ବର୍କ ଜରିଆରେ କ୍ରିକେଟ, ଫୁଟ୍‌ବଲ, କାର୍ଡ ଗେମ୍‌ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବେଟିଂକୁ ସହଜ କରିଥିଲା। ବେଆଇନ ବେଟିଂ କାରବାରରୁ ମିଳୁଥିବା ଟଙ୍କାକୁ କେତେକ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ବହୁସ୍ତରୀୟ କାରବାର ଦେଇ ହାଓ୍ବଲା ଚ୍ୟାନେଲ ଜରିଆରେ ବିଦେଶକୁ ପଠାଯାଉଥିଲା। ଏହି କାରବାରର ଏକ ଅଂଶ ସରକାରୀ କର୍ମଚାରୀମାନଙ୍କୁ ସୁରକ୍ଷା ଓ ଲାଞ୍ଚ ବାବଦରେ ଦିଆଯାଉଥିବା ଅଭିଯୋଗ ହୋଇଛି, ଯେପରି ଅପରାଧୀ ଗୋଷ୍ଠୀ ବିନା ପ୍ରତିବନ୍ଧକରେ ଏହାର କାର୍ଯ୍ୟ ଚଳାଇପାରିବେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।