କୁଆଡ଼େ ଗଲା ପ୍ରତିଯୋଗିତା

Sep 05, 2026 - 09:31
କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା ଉପରେ ଗୁରୁତର ପ୍ରଶ୍ନ ଉଠାଉଛି। ଓ୍ବାଲର୍‌ଡ ବ୍ୟାଙ୍କ ଇକୋନୋମିକ ରିଭ୍ୟୁରେ ପ୍ରକାଶିତ ବିଜନେସ ଗ୍ରୁପ୍ସ , କନ୍‌ସେନଟ୍ରେଶନ ଆଣ୍ଡ୍‌ ମାର୍କେଟ ପାଓ୍ବାର ଇନ୍‌ ଇଣ୍ଡିଆ ଶୀର୍ଷକ ଏକ ନୂତନ ଅଧ୍ୟୟନ ଅନୁଯାୟୀ ରିଲାଏନ୍ସ, ଆଦାନୀ, ବିର୍ଲା, ଓମ୍‌ ପ୍ରକାଶ ଜିନ୍ଦଲ ଏବଂ ଟାଟା-ଏହି ପାଞ୍ଚଟି ବଡ଼ ପାରିବାରିକ ବ୍ୟବସାୟ ଗୋଷ୍ଠୀ ଗତ ଦୁଇଦଶକ ଧରି ଭାରତୀୟ କର୍ପୋରେଟ୍‌ କ୍ଷେତ୍ରର ଆୟର ୬୦ ପ୍ରତିଶତରୁ ଅଧିକ ଅଂଶ ନିୟନ୍ତ୍ରଣ କରିଆସିଛନ୍ତି। ରିଲାଏନ୍ସ ଓ ଆଦାନୀ ଗୋଷ୍ଠୀ ଏକାକୀ ମିଶି ମୋଟ ଆୟର ଅତି କମ୍‌ରେ ଏକପଞ୍ଚମାଂଶ ଅଂଶ ଦଖଲ କରିଆସିଛନ୍ତି ବୋଲି ଏହି ଅଧ୍ୟୟନ ଦର୍ଶାଉଛି।
ଅଧିକ ଚିନ୍ତାଜନକ କଥା ହେଉଛି, ଉଦାରୀକରଣ ପରେ ବଜାରରେ ପ୍ରତିଯୋଗିତା ବଢ଼ିବା କଥା ଥିଲେ ମଧ୍ୟ, ଏହି ପାଞ୍ଚଟି ଗୋଷ୍ଠୀ ଭାରତର ପ୍ରାୟ ତିନି-ଚତୁର୍ଥାଂଶ ଶିଳ୍ପ କ୍ଷେତ୍ରରେ ଅର୍ଦ୍ଧାଧିକ ରାଜସ୍ବ ଉପରେ ପ୍ରଭାବ ରଖୁଛନ୍ତି। ଅଧ୍ୟୟନ ଏହାକୁ କେବଳ ବଜାରର ସ୍ବାଭାବିକ ପରିଣାମ ଭାବେ ଦେଖୁନାହିଁ; ବଡ଼ ବ୍ୟବସାୟ ଓ ରାଜନୈତିକ କ୍ଷମତା ମଧ୍ୟରେ ଘନିଷ୍ଠ ସମ୍ପର୍କ ଏବଂ କିଛି ନିର୍ଦ୍ଦିଷ୍ଟ ‘ଜାତୀୟ ଚାମ୍ପିଅନ୍‌’ଙ୍କୁ ଅନୁକୂଳ କରୁଥିବା ନୀତିକୁ ମଧ୍ୟ ଏହାର ଏକ କାରଣ ଭାବେ ଉଲ୍ଲେଖ କରୁଛି।
ଏହି ବଜାରୀୟ ଏକାଗ୍ରତାର ଅନ୍ୟ ଏକ ଦିଗ ହେଉଛି ସମ୍ପତ୍ତିର ଅସମାନ ବଣ୍ଟନ। ଓ୍ବାଲର୍‌ଡ ଇନେକ୍ୱାଲିଟି ରିପୋର୍ଟ ୨୦୨୬ ଅନୁଯାୟୀ, ଭାରତର ସର୍ବୋଚ୍ଚ ୧ ପ୍ରତିଶତ ଲୋକଙ୍କ ହାତରେ ଦେଶର ପ୍ରାୟ ୪୦.୧ ପ୍ରତିଶତ ସମ୍ପତ୍ତି କେନ୍ଦ୍ରୀଭୂତ ଥିବାବେଳେ, ତଳସ୍ତରର ୫୦ ପ୍ରତିଶତ ଲୋକଙ୍କ ଅଂଶ ମାତ୍ର ୬.୪ ପ୍ରତିଶତ। ସେହିପରି, ଶୀର୍ଷ ୧୦ ପ୍ରତିଶତ ଲୋକ ଦେଶର ପ୍ରାୟ ୬୫ ପ୍ରତିଶତ ସମ୍ପତ୍ତି ଧାରଣ କରୁଛନ୍ତି। ଓ୍ବାଲର୍‌ଡ ଇନେକ୍ୱାଲିଟି ଲାବ୍‌ର ଅଧ୍ୟୟନ ମଧ୍ୟ ଦର୍ଶାଉଛି ଯେ ୨୦୨୨-୨୩ରେ ଶୀର୍ଷ ୧ ପ୍ରତିଶତଙ୍କ ସମ୍ପତ୍ତି ଓ ଆୟର ଅଂଶ ଯଥାକ୍ରମେ ୪୦.୧ ପ୍ରତିଶତ ଓ ୨୨.୬ ପ୍ରତିଶତରେ ପହଞ୍ଚିଥିଲା। ୨୦୧୯ରୁ ୨୦୨୫ ମଧ୍ୟରେ ୧,୦୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଥିବା ଭାରତୀୟଙ୍କ ସଂଖ୍ୟା ୭୭ ପ୍ରତିଶତ ବଢ଼ିଥିବା ବେଳେ, ସେମାନଙ୍କ ସମୁଦାୟ ସମ୍ପତ୍ତି ୨୨୭ ପ୍ରତିଶତ ବଢିଛି।
ଗୌତମ ଆଦାନୀଙ୍କ ସମ୍ପତ୍ତି ୨୦୧୯ରୁ ୨୦୨୫ ମଧ୍ୟରେ ସାତଗୁଣରୁ ଅଧିକ ବଢ଼ିଥିବା ବେଳେ, ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପ୍ରାୟ ଅଢ଼େଇଗୁଣ ବୃଦ୍ଧି ପାଇଛି। ଏହି ସମୟରେ ଶୀର୍ଷ ପାଞ୍ଚ ଧନୀ ବ୍ୟକ୍ତିଙ୍କ ସମୁଦାୟ ସମ୍ପତ୍ତି ପ୍ରାୟ ୪୦୦ ପ୍ରତିଶତ ବଢ଼ିଛି। ଅନ୍ୟପଟେ ସାଧାରଣ ପରିବାରଗୁଡ଼ିକ ଜୀବନଧାରଣର ଖର୍ଚ୍ଚ ମେଣ୍ଟାଇବା ପାଇଁ ଅଧିକ ଋଣ ଉପରେ ନିର୍ଭରଶୀଳ ହେଉଛନ୍ତି। ଭାରତୀୟ ପରିବାରଗୁଡ଼ିକର ମୋଟ ଋଣ ପ୍ରାୟ ୬୯.୯ ଲକ୍ଷ କୋଟି ଟଙ୍କାରୁ ବଢି ୧୩୬.୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବା ତଥ୍ୟ ଏହି ବିରୋଧାଭାସକୁ ଆହୁରି ସ୍ପଷ୍ଟ କରୁଛି।
ଏଠାରେ ମୂଳ ପ୍ରଶ୍ନ କେବଳ କିଏ କେତେ ଧନୀ ହେଲେ ତାହା ନୁହେଁ। ପ୍ରଶ୍ନ ହେଉଛି, ଆମ ଅର୍ଥନୀତିରେ ଆର୍ଥିକ ଶକ୍ତି କେତେ ହାତରେ କେନ୍ଦ୍ରୀଭୂତ ହେବ? ଯଦି କିଛି ବଡ଼ ବ୍ୟବସାୟ ଗୋଷ୍ଠୀ ବଜାର, ପୁଞ୍ଜି, ସମ୍ପତ୍ତି ଓ ନୀତି ନିର୍ଦ୍ଧାରଣ ଉପରେ ଅସମାନ ପ୍ରଭାବ ରଖନ୍ତି, ତେବେ ଉଦାରୀକରଣର ମୂଳ ଉଦ୍ଦେଶ୍ୟ, ସୁସ୍ଥ ପ୍ରତିଯୋଗିତା, ଦୁର୍ବଳ ହେବା ସ୍ବାଭାବିକ।
ବିଶ୍ୱ ବ୍ୟାଙ୍କ ଅଧ୍ୟୟନରେ ବଡ଼ ବ୍ୟବସାୟ ଗୋଷ୍ଠୀର ବଜାର ଅଂଶ ଉପରେ ସୀମା ଧାର୍ଯ୍ୟ କରିବା ଏବଂ ସେହି ସୀମା ଅତିକ୍ରମ ହେଲେ ବିନିବେଶ ପାଇଁ ବ୍ୟବସ୍ଥା କରିବାର ପ୍ରସ୍ତାବ ରହିଛି। ଏହା ସହିତ, ଅତ୍ୟଧିକ ଧନୀ ବର୍ଗ ଉପରେ ମଧ୍ୟମ ହାରର ସମ୍ପତ୍ତି କର ଲାଗୁ କରିବାର ଯୁକ୍ତି ମଧ୍ୟ ଗୁରୁତ୍ୱର ସହ ବିଚାର କରାଯିବା ଉଚିତ। ଉଦାହରଣସ୍ବରୂପ, ଅତିଧନୀ ବର୍ଗ ଉପରେ ୨ ପ୍ରତିଶତ ସମ୍ପତ୍ତି କର ଲାଗୁ କରାଗଲେ, ସ୍ବାସ୍ଥ୍ୟ, ଶିକ୍ଷା ଓ ସାମାଜିକ ସୁରକ୍ଷା ଭଳି କ୍ଷେତ୍ରରେ ବହୁତ ବଡ଼ ସାର୍ବଜନୀନ ନିବେଶ ସମ୍ଭବ ହୋଇପାରେ।
ଭାରତର ଆର୍ଥିକ ବିକାଶ କେବଳ ଜିଡିପି ବୃଦ୍ଧି କିମ୍ବା କିଛି ବଡ଼ କମ୍ପାନୀର ବିଶ୍ୱସ୍ତରୀୟ ସଫଳତା ଦ୍ୱାରା ମାପାଯିବା ଉଚିତ ନୁହେଁ। ବଜାରରେ ପ୍ରତିଯୋଗିତା, ସମ୍ପତ୍ତିର ନ୍ୟାୟସଙ୍ଗତ ବଣ୍ଟନ ଏବଂ ସମାଜର ବ୍ୟାପକ ଅଂଶର ଆର୍ଥିକ ସଶକ୍ତୀକରଣ, ଏହି ତିନୋଟି ମାପଦଣ୍ଡ ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ।
ଆର୍ଥିକ ଶକ୍ତିର ଏହି କେନ୍ଦ୍ରୀକରଣ ସ୍ବାଭାବିକ ପରିଣାମ ନୁହେଁ; ଏହା ଦୀର୍ଘଦିନର ନୀତିଗତ ପସନ୍ଦର ଫଳ। ତେଣୁ ନୀତି ବଦଳିଲେ ଏହି ପ୍ରବୃତ୍ତିକୁ ମଧ୍ୟ ବଦଳାଯାଇପାରିବ। ଭାରତର ବିକାଶର ଲକ୍ଷ୍ୟ କିଛି ହାତରେ ଅଧିକ ସମ୍ପତ୍ତି କେନ୍ଦ୍ରୀଭୂତ କରିବା ନୁହେଁ; ବରଂ ଏକ ପ୍ରତିଯୋଗିତାମୂଳକ, ସମାବେଶୀ ଓ ସାମାଜିକ ଭାବେ ନ୍ୟାୟସଙ୍ଗତ ଅର୍ଥନୀତି ଗଢ଼ିବା ଉଚିତ।
-ଭୁବନେଶ୍ୱର,
ମୋ: ୯୯୩୮୦୬୩୨୭୫

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।