କୁକୁଡ଼ା ପାଇଁ ୨ ଦିନ ଅଟକିଲା ଶବ ସଂସ୍କାର, ସାମାଜିକ ବାସନ୍ଦ ଅଭିଯୋଗ; ଗାଁରେ ପହଞ୍ଚିଲା ପୋଲିସ
ନନ୍ଦିଘୋଷ ବ୍ୟୁରୋ : ସାମାନ୍ୟ କୁକୁଡ଼ା ପାଇଁ ଅଟକିଲା ଶବ ସଂସ୍କାର । ଦୁଇଦିନ ଧରି ପଡ଼ିରହିଛି ମୃତଦେହ । ଆଦିବାସୀ ପରମ୍ପରାକୁ କେନ୍ଦ୍ର କରି ସୃଷ୍ଟି ହୋଇଛି ତୀବ୍ର ବିବାଦ । ଯାହା ଶେଷରେ ସାମାଜିକ ବାସନ୍ଦର ରୂପ ନେଇଛି । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଲୁହାମାଳିଆ ଗ୍ରାମରେ । ପରିସ୍ଥିତି ଏପରି ହୋଇଛି ଯେ, ଶେଷରେ ଶବ ସଂସ୍କାର ପାଇଁ ପୋଲିସକୁ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ପଡ଼ିଛି । ଆଦିବାସୀ ସମ୍ପ୍ରଦାୟର ପରମ୍ପରା ଅନୁଯାୟୀ ମହିଳାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ତଥା ଗ୍ରାମ ଶୁଦ୍ଧି ନିମନ୍ତେ ମୃତକଙ୍କ ପରିବାର ପକ୍ଷରୁ ୩ଟି କୁକୁଡ଼ା ପ୍ରଦାନ କରିବାର ନିୟମ ରହିଛି । ତେବେ ଏହାକୁ ମହିଳାଙ୍କ ପୁଅ ମାନିବାକୁ ରୋକଠୋକ୍ ମନା କରିଦେଇଥିଲେ । ପାରମ୍ପରିକ ନିୟମକୁ ଅବମାନନା କରିବା ସହ ଗାଁରେ ଆପୋସ ସମାଧାନ ବଦଳରେ ପୋଲିସ ଥାନାର ଦ୍ୱାରସ୍ଥ ହେବାରୁ ଗ୍ରାମରେ ସାମାଜିକ ବାସନ୍ଦ ଭଳି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲେ । ଫଳରେ ଦୁଇଦିନ ଧରି ଗାଁରୁ ଶବ ଉଠିପାରି ନଥିବା ବେଳେ ଖବର ପାଇ ସ୍ଥାନୀୟ ପୋଲିସ ପ୍ରଶାସନ ପହଞ୍ଚି ଗ୍ରାମବାସୀ ଓ ପରିବାର ବର୍ଗଙ୍କୁ ବୁଝାସୁଝା କରି ଶବ ସଂସ୍କାର ପାଇଁ ଉଦ୍ୟମ ଜାରି କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।