କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା, ଜାଣନ୍ତୁ କେଉଁ କର୍ମଚାରୀଙ୍କୁ ମିଳିବ କେତେ ଟଙ୍କା

Oct 17, 2026 - 17:11
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା, ଜାଣନ୍ତୁ କେଉଁ କର୍ମଚାରୀଙ୍କୁ ମିଳିବ କେତେ ଟଙ୍କା

ନୂଆଦିଲ୍‌ଲୀ,୧୭।୧୦: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଯାହାକୁ ଅପେକ୍ଷା କରିଥିଲେ, ତାହାର ଘୋଷଣା ସରକାର କରିଦେଇଛନ୍ତି। କେନ୍ଦ୍ର ସରକାର ବର୍ଷ ୨୦୨୫-୨୬ ପାଇଁ ଆଡ-ହକ ବୋନସ (ଦିୱାଲୀ ବୋନସ)କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରିଛି। ଏହା ଅଧୀନରେ ଯୋଗ୍ୟ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୩୦ ଦିନର ଦରମା ସହ ସମାନ ବୋନସ ମିଳିବ।

ବୋନସ ହିସାବ ପାଇଁ ମାସିକ ଦରମାର ସର୍ୱାଧିକ ସୀମା ୭,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଆଧାରରେ ସର୍ୱାଧିକ ବୋନସ ୬,୯୦୮ ଟଙ୍କା ହେଉଛି। ଆସନ୍ତୁ ଜାଣିବା କେଉଁ କର୍ମଚାରୀମାନଙ୍କୁ ଏହି ବୋନସ ମିଳିବ।

କେଉଁ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମିଳିବ ବୋନସ?

* ଏହି ବୋନସ ସେହି କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମିଳିବ, ଯେଉଁମାନେ PLB ଅର୍ଥାତ୍ ପ୍ରଡକ୍ଟିଭିଟି ଲିଙ୍କ୍ଡ ବୋନସ ଯୋଜନା ପରିସରଭୁକ୍ତ ନୁହଁନ୍ତି।
* ଏଥିରେ ଗ୍ରୁପ-ସି (Group-C) ଏବଂ ଗ୍ରୁପ-ବି (Group-B) ର ଅଣ-ଗେଜେଟେଡ (ଅଣ-ରାଜପତ୍ରିତ) କର୍ମଚାରୀମାନେ ଅନ୍ତର୍ଭୁକ୍ତ।
* ଯୋଗ୍ୟତା ସର୍ତ୍ତ ପୂରଣ କରୁଥିବା କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ (ପାରାମିଲିଟାରୀ ଫୋର୍ସ) ଏବଂ ସଶସ୍ତ୍ର ବାହିନୀକୁ ମଧ୍ୟ ଏହି ବୋନସର ଲାଭ ମିଳିବ।
* ଅନ୍ୟପକ୍ଷରେ, କେନ୍ଦ୍ର ସରକାରଙ୍କ ନିୟମାବଳୀ ଅଧୀନରେ ଆସୁଥିବା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର କର୍ମଚାରୀମାନେ ମଧ୍ୟ ଏହି ସୁବିଧା ପାଇବେ।

ବୋନସ କିପରି ହିସାବ କରାଯିବ?

ଆଡ-ହକ ବୋନସ ହିସାବ ପାଇଁ କର୍ମଚାରୀଙ୍କ ହାରାହାରି ମାସିକ ଦରମାକୁ ଆଧାର କରାଯିବ। ଏହାର ସର୍ୱାଧିକ ସୀମା ପ୍ରତି ମାସକୁ ୭,୦୦୦ ଟଙ୍କା ରଖାଯାଇଛି। ଯଦି କୌଣସି କର୍ମଚାରୀଙ୍କ ହାରାହାରି ମାସିକ ମୂଳ ଦରମା (Basic Pay) ୭,୦୦୦ ଟଙ୍କା କିମ୍ୱା ତା’ଠାରୁ ଅଧିକ ମଧ୍ୟ ଥାଏ, ତଥାପି ବୋନସର ଗଣନା ଏହି ସୀମା (୭,୦୦୦ ଟଙ୍କା) ଆଧାରରେ ହିଁ କରାଯିବ।

ବୋନସ ପାଇଁ ବେସିକ-ପେ’ର ସୀମା:୭,୦୦୦ / ମାସିକ
ଗୋଟିଏ ଦିନର ଦରମା: ୭,୦୦୦ ୬ ୩୦.୪ = ୨୩୦.୨୬
ବୋନସ ଅବଧି: ୩୦ ଦିନ
ବୋନସ ରାଶି: ୨୩୦.୨୬ ସ ୩୦ = ୬,୯୦୭.୮୯
ସର୍ୱାଧିକ ବୋନସ:୬,୯୦୮

ବୋନସ ପାଇଁ ସାଧାରଣ ଯୋଗ୍ୟତା ସର୍ତ୍ତ ଅନୁସାରେ, କର୍ମଚାରୀ ଜଣକ ଆର୍ଥିକ ବର୍ଷ ୨୦୨୫-୨୬ ମଧ୍ୟରେ ଅତି କମରେ ଲଗାତାର ୬ ମାସର ସେବା ପୂରଣ କରିଥିବା ଆବଶ୍ୟକ। ଏହା ସହିତ ସାଧାରଣ ନିୟମ ଅନୁଯାୟୀ, କର୍ମଚାରୀ ଜଣକ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ସେବାରେ ଥିବା ଜରୁରୀ।

୬ ମାସରୁ ୧ ବର୍ଷ ପର୍ଯ୍ୟନ୍ତ ଯୋଗ୍ୟ ସେବା ପୂରଣ କରିଥିବା କର୍ମଚାରୀମାନଙ୍କୁ ଆନୁପାତିକ (Proportionate) ଆଧାରରେ ପ୍ରଦାନ କରାଯିବ। ଯୋଗ୍ୟ ସେବାର ଅବଧି ମାସ ହିସାବରେ ଗଣନା କରାଯିବ ଏବଂ ନିକଟତମ ପୂର୍ଣ୍ଣ ମାସ ଭାବେ ଧରାଯିବ।

ଏହି ଆଦେଶରେ କିଛି ସୱତନ୍ତ୍ର କ୍ଷେତ୍ର ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ଯେଉଁ କର୍ମଚାରୀମାନେ ୩୧ ମାର୍ଚ୍ଚ ୨୦୨୬ ପୂର୍ୱରୁ ଅବସର ନେଇସାରିଛନ୍ତି, ଚିକିତ୍ସାଜନିତ କାରଣରୁ ଚାକିରିରୁ ଅବ୍ୟାହତି ନେଇଛନ୍ତି କିମ୍ୱା ଯାହାଙ୍କର ମୃତ୍ୟୁ ଘଟିଛି, ସେମାନେ ମଧ୍ୟ ବୋନସ ପାଇପାରିବେ। ଏଥିପାଇଁ ଆବଶ୍ୟକ ଯେ ସେମାନେ ଆର୍ଥିକ ବର୍ଷ ୨୦୨୫-୨୬ ମଧ୍ୟରେ ଅତି କମରେ ୬ ମାସ ନିୟମିତ ସେବା ପ୍ରଦାନ କରିଥିବେ। ଏପରି କ୍ଷେତ୍ରରେ ପାଉଣା ଆନୁପାତିକ ଆଧାରରେ ପ୍ରଦାନ କରାଯିବ।

କାଜୁଆଲ ଲେବରର୍ସ (ଅନିୟମିତ ଶ୍ରମିକ)ଙ୍କୁ କେତେ ବୋନସ ମିଳିବ?

କେନ୍ଦ୍ର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଯୋଗ୍ୟ ଅନିୟମିତ ଶ୍ରମିକ (କାଜୁଆଲ ଲେବରର୍ସ) ମଧ୍ୟ ଏହି ଆଡ-ହକ ବୋନସର ଲାଭ ପାଇବେ। ତେବେ ଏମାନଙ୍କ ପାଇଁ କାର୍ଯ୍ୟ ଦିବସର ଏକ ସୱତନ୍ତ୍ର ସର୍ତ୍ତ ଧାର୍ଯ୍ୟ କରାଯାଇଛି:

୬ ଦିନିଆ କାର୍ଯ୍ୟ ସପ୍ତାହ (6-Day Work Week) ଥିବା କାର୍ଯ୍ୟାଳୟ: ବିଗତ ତିନି ବର୍ଷ ବା ତା’ଠାରୁ ଅଧିକ ସମୟ ଧରି ପ୍ରତିବର୍ଷ ଅତି କମରେ ୨୪୦ ଦିନ କାମ କରିଥିବା ଆବଶ୍ୟକ।

୫ ଦିନିଆ କାର୍ଯ୍ୟ ସପ୍ତାହ (5-Day Work Week) ଥିବା କାର୍ଯ୍ୟାଳୟ: ବିଗତ ତିନି ବର୍ଷ ବା ତା’ଠାରୁ ଅଧିକ ସମୟ ଧରି ପ୍ରତିବର୍ଷ ଅତି କମରେ ୨୦୬ ଦିନ କାମ କରିଥିବା ଆବଶ୍ୟକ।

ଏହି ଶ୍ରମିକମାନଙ୍କ ବୋନସ ଗଣନା ପାଇଁ ମାସିକ ପାଉଣାର ସର୍ୱାଧିକ ସୀମା ୧,୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହି ହିସାବରେ ୩୦ ଦିନର ସର୍ୱାଧିକ ବୋନସ ୧,୧୮୪ ଟଙ୍କା ହେଉଛି। ଯଦି କୌଣସି କାଜୁଆଲ ଲେବରଙ୍କ ମାସିକ ପାଉଣା ୧,୨୦୦ ଟଙ୍କାରୁ କମ ହୋଇଥାଏ, ତେବେ ସେହି କମ ରାଶିକୁ ଆଧାର କରି ବୋନସର ଗଣନା କରାଯିବ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।