କୋଟିଆ ସୀମା ବିବାଦ: ଓଡ଼ିଶାର ସ୍ୱାର୍ଥ ପାଇଁ ଏକଜୁଟ ହେବାକୁ ମନ୍ତ୍ରୀଙ୍କ ଆହ୍ୱାନ
ସମ୍ବଲପୁର, ୨୦।୧୦ (ପ୍ରମୋଦ ବହିଦାର): ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାର କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମା ବିବାଦ ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ସମସ୍ତ ରାଜନୈତିକ ଦଳ ଓ ରାଜ୍ୟବାସୀଙ୍କୁ ଏକଜୁଟ ହେବାକୁ ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ଆହ୍ୱାନ ଦେଇଛନ୍ତି। ସମ୍ବଲପୁରଠାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ କୋଟିଆ ସମେତ ୨୩ଟି ଗ୍ରାମର ସୀମା ବିବାଦ ଓ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଆଡଭୋକେଟ୍ ଜେନେରାଲ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୋରାପୁଟ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗଦେଇ ବିସ୍ତୃତ ଆଲୋଚନା କରିଥିଲେ।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ଏହି ସୀମା ବିବାଦ ବହୁ ପୁରୁଣା। ୧୯୬୮ ମସିହାରେ ତତ୍କାଳୀନ ସରକାର ସୁପ୍ରିମକୋର୍ଟରେ ଏନେଇ ମାମଲା ଦାୟର କରିଥିଲେ। ସେତେବେଳେ କୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ୨୦୦୬ ମସିହାରେ ଓଡ଼ିଶା ମାମଲାରେ ପରାଜିତ ହେବା ପରେ ରିଭ୍ୟୁ ପିଟିସନ୍ ଓ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରାଯାଇଥିଲେ ମଧ୍ୟ ସେଗୁଡ଼ିକ ଖାରଜ ହୋଇଥିଲା। ଏହାପରେ ୨୦୨୧ ମସିହାରେ ସ୍ଥିତାବସ୍ଥା ନିର୍ଦ୍ଦେଶର ଅବମାନନା ଅଭିଯୋଗରେ କଣ୍ଟେମ୍ପ୍ଟ ପିଟିସନ୍ (ନଂ. ୧୭୨/୨୦୨୧) ଦାଖଲ ହୋଇଥିଲା, ଯାହାର ଫଇସଲା ଏଯାବତ୍ ହୋଇନାହିଁ।
ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଅଞ୍ଚଳର ଲୋକଙ୍କୁ ବେଆଇନ ଭାବେ ଅତିରିକ୍ତ ଆଧାର କାର୍ଡ ଓ ଭୋଟର ପରିଚୟପତ୍ର ପ୍ରଦାନ କରି ନିର୍ବାଚନରେ ତାହାର ବ୍ୟବହାର ମାଧ୍ୟମରେ ନିଜ ଦାବିକୁ ମଜବୁତ କରିବାକୁ ଚକ୍ରାନ୍ତ କରୁଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି। ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ନିର୍ବାଚନରେ ଏଭଳି ଉଦ୍ୟମକୁ ପ୍ରତିହତ କରିବା ପାଇଁ ଏକ ସ୍ୱତନ୍ତ୍ର ପଞ୍ଚସୂତ୍ରୀ ଯୋଜନା ପ୍ରସ୍ତୁତ କରାଯାଇଛି।
ସୀମାନ୍ତ ଅଞ୍ଚଳର ଲୋକଙ୍କୁ ସରକାରୀ କଲ୍ୟାଣମୂଳକ ଯୋଜନାର ସଠିକ୍ ସୁଫଳ ପ୍ରଦାନ କରିବା ସହ ଆଇନଗତ ଲଢ଼େଇକୁ ଆଗକୁ ବଢ଼ାଇବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ କୋଟିଆ ଅଞ୍ଚଳରେ ଓଡ଼ିଶାର ସ୍ଥିତି ଅଧିକ ମଜବୁତ ରହିଥିବା ଦାବି କରି ଆବଶ୍ୟକ ପଡ଼ିଲେ ମାମଲାକୁ ପୁନର୍ବାର ଆଇନଗତ ଭାବେ ଆଗକୁ ବଢ଼ାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।