କୋରାପୁଟର ପ୍ରକୃତି, ଜୀବନ ଓ ସଂଘର୍ଷର କାହାଣୀ; ଦର୍ଶକଙ୍କ ମନ ଜିଣୁଛି ‘ମାଳିପୁଟ ମେଲୋଡିଜ୍’
ନନ୍ଦିଘୋଷ ବ୍ୟୁରୋ : ‘ମାଳିପୁଟ ମେଲୋଡିଜ୍’ । କାହାଣୀରେ ଭରିରହିଛି କୋରାପୁଟର ପ୍ରକୃତି, ଜୀବନ ଓ ସଂଘର୍ଷର ଜୀବନ୍ତ ଛବି । ଏହାକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରର ମୁକ୍ତିଲାଭ ପରେ ସବୁଠି ଉତ୍ସବ ଓ ଉତ୍ସାହ । ପ୍ରଥମଥର ପାଇଁ ଜୟପୁରରେ ଏହି ଚଳଚ୍ଚିତ୍ରର ପ୍ରିମିୟର ହୋଇଥିବା ବେଳେ ଏଥିରେ ଚଳଚ୍ଚିତ୍ରର କଳାକାର, କାରିଗର, ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସମେତ ସହରର ଅନେକ ବ୍ୟକ୍ତି ଯୋଗଦେଇଥିଲେ । କୋରାପୁଟର ଗାଁଗୁଡ଼ିକର ସାଧାରଣ ଲୋକଙ୍କ ମଧ୍ୟରେ ଥିବା ଅଭିନୟ ପ୍ରତିଭାକୁ ନେଇ ଏହି ଚଳଚ୍ଚିତ୍ର ନିର୍ମିତ ହୋଇଛି । କୌସ୍ତଭ ଡ୍ରିମ୍ ୱାର୍କସ୍ ଷ୍ଟୁଡିଓଜ୍ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ର ‘ୟୁ/ଏ’ ପ୍ରମାଣପତ୍ର ହାସଲ କରିଛି । ଗୋଆରେ ଅନୁଷ୍ଠିତ ୫୬ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-୨୦୨୫ର ଇଣ୍ଡିଆନ୍ ପାନୋରାମା ଫିଚର୍ ଫିଲ୍ମ ବର୍ଗରେ ମନୋନୀତ ହୋଇ ଏହା ପ୍ରଦର୍ଶିତ ହୋଇଥିଲା । ଏଥିସହ ଭାରତ ଓ ବିଦେଶର ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବ ଓ ପୁରସ୍କାର ପ୍ରତିଯୋଗିତାରେ ମଧ୍ୟ ଏହା ମନୋନୀତ ହୋଇଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।
ଚଳଚ୍ଚିତ୍ରର ଗୀତ, ସଙ୍ଗୀତ, କାହାଣୀ, ସଂଳାପ, ଚିତ୍ରନାଟ୍ୟ ଓ କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ଆକର୍ଷିତ କରିଛି । ଆଜି ପ୍ରିମିୟର ସୋ’ ଦେଖିବାକୁ ସିନେମା ହଲ୍ରେ ପ୍ରବଳ ଭିଡ଼ ଲାଗିଥିଲା । ମଞ୍ଚ କଳାକାର ଓ ଗ୍ରାମାଞ୍ଚଳର ପ୍ରତିଭାବାନ କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଚଳଚ୍ଚିତ୍ରର ଗୀତ, ସଙ୍ଗୀତ, କାହାଣୀ, ସଂଳାପ, ଚିତ୍ରନାଟ୍ୟ ଓ କଳାକାରଙ୍କ ଜୀବନ୍ତ ଅଭିନୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଉଚ୍ଚକୋଟୀର ବୋଲି ଦର୍ଶକମାନେ ମତ ଦେଇଥିଲେ । କୋରାପୁଟ ଜିଲ୍ଲାରେ ରହୁଥିବା ଲୋକଙ୍କ ପାରିବାରିକ ଜୀବନକୁ ନେଇ ତିନୋଟି କଥାବସ୍ତୁକୁ ଆଧାର କରି ଚଳଚ୍ଚିତ୍ରଟି ନିର୍ମିତ ହୋଇଛି । ଏହାର ସମସ୍ତ ସୁଟିଂ ମଧ୍ୟ କୋରାପୁଟରେ ହୋଇଛି । ଚଳଚ୍ଚିତ୍ରଟି ସମଗ୍ର ରାଜ୍ୟରେ ମୁକ୍ତିଲାଭ କରିଛି । ଏହା ପୂର୍ବରୁ ବିଭିନ୍ନ ସମୟରେ ଚଳଚ୍ଚିତ୍ରଟି ପ୍ରଶଂସା ସାଉଁଟିଥିବା ବେଳେ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।