କୋଲାବ ନଦୀରେ ଭାସିଗଲେ ଶିକ୍ଷକ, ମାଛ ଧରୁଥିବା ବେଳେ…

Sep 24, 2026 - 14:52
କୋଲାବ ନଦୀରେ ଭାସିଗଲେ ଶିକ୍ଷକ, ମାଛ ଧରୁଥିବା ବେଳେ…

କୋରାପୁଟ, ୨୪ା୯ (ଅମିତାଭ ବେହେରା): କୋଲାବ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଛନ୍ତି । ନିଖୋଜ ଶିକ୍ଷକ ହେଲେ ବନ୍ଦଗୁଡ଼ା ଅଞ୍ଚଳର ଭୀମଧର ନାୟକ। ସେ ମଚଲିପୁଟ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୁରୁବାର ସକାଳେ ଭୀମଧର ଜଣେ ସାଙ୍ଗଙ୍କ ସହ ମାଛ ଧରିବା ପାଇଁ କୋଲାବ ନଦୀକୁ ଯାଇଥିଲେ। କୋରାପୁଟ-ଦାମନଯୋଡ଼ି ରାସ୍ତାର ଇନ୍‌ଟେକ୍‌ ରୋଡ୍‌ ନିକଟରେ ନଦୀକୂଳରେ ଥିବା ସମୟରେ ହଠାତ୍‌ ପ୍ରବଳ ସ୍ରୋତରେ ଭୀମଧର ଭାସିଯାଇଥିବା କୁହାଯାଉଛି । ତାଙ୍କ ସହ ଥିବା ସାଙ୍ଗ କୌଣସିମତେ ପହଁରି କୂଳକୁ ଆସିଥିଲେ।
ଖବର ପାଇ ଅଗ୍ନିଶମ ବିଭାଗର ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ନିଖୋଜ ଶିକ୍ଷକଙ୍କୁ ଖୋଜିବା ପାଇଁ ନଦୀର ବିଭିନ୍ନ ସ୍ଥାନରେ ତଲାସୀ ଓ ଉଦ୍ଧାର ଅଭିଯାନ ଚାଲିଛି । ତେବେ ଲଗାଣ ବର୍ଷା ଯୋଗୁ ନଦୀରେ ସ୍ରୋତ ଅଧିକ ଥିବାରୁ ତଲାସୀ ଅଭିଯାନରେ ସମସ୍ୟା ସୃଷ୍ଟି ହେଉଛି।
ଘଟଣା ପରେ ଭୀମଧରଙ୍କ ପରିବାର ଓ ପରିଚିତଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ଉଦ୍ଧାରକାରୀ ଦଳ ପକ୍ଷରୁ ନିଖୋଜ ଶିକ୍ଷକଙ୍କ ସନ୍ଧାନ ଜାରି ରହିଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।