କ୍ରିକେଟରେ ଖେଳିଗଲା ଚାଞ୍ଚଲ୍ୟ! ୨ ବଳାତ୍କାର ଅଭିଯୋଗରେ ଖେଳାଳି ନିଲମ୍ବିତ, ଜାଣନ୍ତୁ ପୂରା ଘଟଣା

Sep 24, 2026 - 14:52
କ୍ରିକେଟରେ ଖେଳିଗଲା ଚାଞ୍ଚଲ୍ୟ! ୨ ବଳାତ୍କାର ଅଭିଯୋଗରେ ଖେଳାଳି ନିଲମ୍ବିତ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡର ଘରୋଇ କ୍ରିକେଟରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏସେକ୍ସ କାଉଣ୍ଟି କ୍ରିକେଟ କ୍ଲବର ୨୪ ବର୍ଷୀୟ ବ୍ୟାଟର ରବିନ ଦାସଙ୍କ ବିରୋଧରେ ଦୁଇଟି ଗୁରୁତର ବଳାତ୍କାର ଅଭିଯୋଗ ଆସିଛି। ଅଭିଯୋଗ ସାମ୍ନାକୁ ଆସିବା ପରେ ଏସେକ୍ସ କାଉଣ୍ଟି ତାଙ୍କୁ ତୁରନ୍ତ ପ୍ରଭାବରେ ଦଳରୁ ନିଲମ୍ବିତ କରିଛି।
ଏହି ମାମଲାରେ ରବିନ ଦାସଙ୍କୁ ୯ ଅକ୍ଟୋବର ୨୦୨୬ରେ ଇନର ଲଣ୍ଡନ କ୍ରାଉନ କୋର୍ଟରେ ହାଜର ହେବାକୁ ପଡ଼ିବ।

ଲଣ୍ଡନ ମେଟ୍ରୋପଲିଟନ ପୋଲିସର ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୦୨୪ରେ ବ୍ରିକ୍ସଟନରେ ଜଣେ ମହିଳାଙ୍କ ସହ ବଳାତ୍କାର ନେଇ ଅଭିଯୋଗ ଦାଖଲ ହୋଇଥିଲା। ମାମଲାର ତଦନ୍ତ ପରେ ପୋଲିସ ୨୭ ଅଗଷ୍ଟ ୨୦୨୫ରେ ରବିନ ଦାସଙ୍କୁ ଗିରଫ କରିଥିଲା।

ଏହାପରେ ୨୩ ଜୁଲାଇ ୨୦୨୬ରେ ତାଙ୍କ ବିରୋଧରେ ଦୁଇଟି ଔପଚାରିକ ବଳାତ୍କାର ଅଭିଯୋଗ କରାଯାଇଥିଲା। ପୋଲିସ ପକ୍ଷରୁ ପୀଡ଼ିତାଙ୍କୁ ଆବଶ୍ୟକ ଆଇନଗତ ଓ ମାନସିକ ସହାୟତା ଯୋଗାଇ ଦିଆଯାଉଥିବା କୁହାଯାଇଛି।

ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏସେକ୍ସ କାଉଣ୍ଟି କ୍ରିକେଟ କ୍ଲବ ରବିନ ଦାସଙ୍କୁ ନିଲମ୍ବନ କରିଥିବା ନିଶ୍ଚିତ କରିଛି। କ୍ଲବ ପକ୍ଷରୁ କୁହାଯାଇଛି ଯେ, ତାଙ୍କ ଜଣେ ଚୁକ୍ତିବଦ୍ଧ ଖେଳାଳି କ୍ଲବ ବାହାରେ ଘଟିଥିବା ଏକ ଗୁରୁତର ମାମଲା ସମ୍ପର୍କରେ କୋର୍ଟରେ ହାଜର ହୋଇଛନ୍ତି।

କ୍ଲବ ଏହି ମାମଲାରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ (ECB), ପ୍ରଫେସନାଲ କ୍ରିକେଟର୍ସ ଆସୋସିଏଶନ (PCA) ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଥିବା କହିଛି। ଆଇନଗତ ପ୍ରକ୍ରିୟା ଚାଲିଥିବାରୁ ଏହା ଉପରେ ଅଧିକ ମନ୍ତବ୍ୟ ଦେବ ନାହିଁ ବୋଲି କ୍ଲବ ସ୍ପଷ୍ଟ କରିଛି।
୨୦୦୨ ଫେବୃଆରୀରେ ଜନ୍ମିତ ବାଂଲାଦେଶୀ ବଂଶୋଦ୍ଭବ ଇଂଲିଶ କ୍ରିକେଟର ରବିନ ଦାସ ଜଣେ ଡାହାଣହାତୀ ବ୍ୟାଟର। ସେ ଏପର୍ଯ୍ୟନ୍ତ ୯ଟି ଫର୍ଷ୍ଟ କ୍ଲାସ ମ୍ୟାଚରେ ୨୫.୧୫ ହାରରେ ୩୨୭ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ରହିଛି।

ସେହିପରି ୨୯ଟି ଲିଷ୍ଟ-ଏ ମ୍ୟାଚରେ ୩୧.୦୦ ହାରରେ ୮୦୫ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ରହିଛି।
ରବିନ ଦାସ ଶେଷଥର ପାଇଁ ୨୧ ଜୁଲାଇ ୨୦୨୬ରେ ମିଡିଲସେକ୍ସ ବିପକ୍ଷରେ ୱାନ୍ଡେ କପ୍ରେ ଖେଳିଥିଲେ। ଏହାପରଠାରୁ ସେ କ୍ରିକେଟରୁ ଦୂରେ ରହିଛନ୍ତି ଏବଂ ନିଲମ୍ବିତ ଅଛନ୍ତି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।