କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର
ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା ଇକ୍ୱିଟି ସୂଚକାଙ୍କ ସ୍ଥିତିରେ କ୍ରମାଗତ ହ୍ରାସ ଧାରାରେ ବିରାମ ଲାଗିଛି। ଆମେରିକା ଫେଡେରାଲ ରିଜର୍ଭ ଦ୍ୱାରା ସୁଧହାର ବୃଦ୍ଧି ଆଶଙ୍କା ହ୍ରାସ ପାଇବା ପରେ ଭାରତୀୟ ଶେୟାର ବଜାରରେ ଏହି ସୁଧାର ଦେଖିବାକୁ ମିଳିଛି ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି। ଶୁକ୍ରବାର କାରବାର ଅନୁସାରେ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟିରେ ୦.୧୦ ପ୍ରତିଶତ ବୃଦ୍ଧି ସହ ଏହା ୨୩,୮୯୭.୭୦ ସ୍ତରରେ ବନ୍ଦ ହୋଇଥିବାବେଳେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ସେନ୍ସେକ୍ସରେ ୦.୪୮ ପ୍ରତିଶତ ବୃଦ୍ଧି ପାଇ ଏହା ୭୬,୫୧୫.୪୩ ସ୍ତରରେ ବନ୍ଦ ହୋଇଛି। ଶୁକ୍ରବାରର ସୁଧାର ସତ୍ତ୍ୱେ ନିଫ୍ଟି ସାପ୍ତାହିକ ଭିତ୍ତିରେ ୧.୧୫ ପ୍ରତିଶତ ହ୍ରାସ ପାଇଛି। ସେହିପରି ସେନ୍ସେକ୍ସ ଚଳିତ ସପ୍ତାହ କାରବାର ମଧ୍ୟରେ ପ୍ରାୟ ୭୫୦ ପଏଣ୍ଟ ତଳକୁ ଖସିଛି। ଆମେରିକା ଫେଡେରାଲ ଗଭନର୍ର୍ର କ୍ରିଷ୍ଟୋଫର ୱାଲରଙ୍କ ସକାରାତ୍ମକ ସଙ୍କେତ ଯୋଗୁ ଶୁକ୍ରବାର ଶେୟାର ବଜାର ଉତ୍ସାହ ସ୍ଥିତିକୁ ବଢ଼ାଇବାରେ ସାହାଯ୍ୟ କରିଥିଲା, ଯିଏ କି ପରବର୍ତ୍ତୀ ନୀତିଗତ ବୈଠକରେ ସୁଧହାର ଅପରିବର୍ତ୍ତିତ ରଖିବାକୁ ସମର୍ଥନ କରିଥିଲେ। ଏହାଦ୍ୱାରା ମେଟାଲ୍ସ, ଆର୍ଥିକ ସେବା ଏବଂ ସିମେଣ୍ଟ କ୍ଷେତ୍ର ସବୁଠାରୁ ଅଧିକ ଲାଭ କରିଥିବାବେଳେ ରିଅଲ୍ଟି, ହେଲ୍ଥକେୟାର, ଫାର୍ମା ଏବଂ ଆଇଟି କ୍ଷେତ୍ର ଉପରେ ବିକ୍ରି ଚାପ ଦେଖାଯାଇଥିଲା। ନିଫ୍ଟି ୫୦ ଷ୍ଟକ୍ ମଧ୍ୟରେ ଏସ୍ବିଆଇ ଲାଇଫ୍ , ଟାଟା ଷ୍ଟିଲ୍ ଏବଂ ଏଚ୍ଡିଏଫ୍ସି ଲାଇଫ ସବୁଠାରୁ ଆଗରେ ଥିବାବେଳେ ଏଚ୍ସିଏଲ୍ ଟେକ୍ନୋଲୋଜିସ, ଭାରତୀ ଏୟାରଟେଲ ଏବଂ ମାରୁତି ସବୁଠାରୁ ପଛରେ ରହିଥିଲେ। ତେବେ ଶୁକ୍ରବାର କାରବାରରେ ବଜାରରେ ବ୍ୟାପକ ବିଭାଜିତ ଫଳାଫଳ ଦେଖିବାକୁ ମିଳିଥିଲା। ନିଫ୍ଟି ସ୍ମଲକ୍ୟାପ୍ ୧୦୦ ୦.୨୨ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ନିଫ୍ଟି ମିଡ୍କ୍ୟାପ୍ ୧୦୦ ୦.୨ ପ୍ରତିଶତ ହ୍ରାସ ପାଇଛି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।