05 SEPTEMBER 2026

Welcome!

Unlock your personalized experience.
Sign Up

ଖMining Law Amendment Issues: ଣି ଆଇନ ସଂଶୋଧନ ପ୍ରସଙ୍ଗ: ବିଜେପି ସାଂସଦମାନଙ୍କୁ ନବୀନଙ୍କ ଚିଠି, ଉତ୍ତର ରଖିଲେ ଧର୍ମେନ୍ଦ୍ର

Aug 30, 2026 - 06:08
ଖMining Law Amendment Issues: ଣି ଆଇନ ସଂଶୋଧନ ପ୍ରସଙ୍ଗ: ବିଜେପି ସାଂସଦମାନଙ୍କୁ ନବୀନଙ୍କ ଚିଠି, ଉତ୍ତର ରଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ନିକଟରେ ସଂସଦରେ ବିବାଦୀୟ ଖଣି ଓ ଖଣିଜ ବିକାଶ ଓ ନିୟନ୍ତ୍ରଣ (ଏମ୍‌ଏମ୍‌ଡିଆର୍‌) ସଂଶୋଧନ ଅଧିନିୟମ ଗୃହୀତ ହୋଇ ଆଇନରେ ପରିଣତ ହୋଇଛି। ନୂଆ ଆଇନକୁ ନେଇ ରାଜନୈତିକ ବିତର୍କ ଚାଲିଛି। ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଓଡ଼ିଶାରୁ ନିର୍ବାଚିତ ୨୦ ଜଣ ବିଜେପି ସାଂସଦଙ୍କୁ ପତ୍ର ଲେଖି ଓଡ଼ିଶା  ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ଏମ୍‌ଏମ୍‌ଡିଆର୍‌ ଆଇନ ସଂଶୋଧନକୁ ପ୍ରତ୍ୟାହାର ପାଇଁ ଦାବି କରିବାକୁ ଆହ୍ୱାନ ଜଣାଇଛନ୍ତି।

Narendra Modi: ‘ବିକଶିତ ଭାରତ’ ଓ ‘ୟଙ୍ଗି ଉଜବେକିସ୍ତାନ’ର ସମାନ ଦୃଷ୍ଟିକୋଣକୁ ଆଗେଇ ନେବା ନେଇ ମୁଁ ଆଶାବାଦୀ: ମୋଦୀ

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସାଂସଦ ଭାବେ ଆପଣମାନେ ସଂସଦରେ ଓଡ଼ିଶାବାସୀଙ୍କ ପ୍ରତିନିଧିତ୍ୱ କରିଆସୁଛନ୍ତି। ଓଡ଼ିଶାବାସୀ ସେମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଶ୍ୱାସର ସହ ଆପଣମାନଙ୍କୁ ନିର୍ବାଚିତ କରିଛନ୍ତି। କିନ୍ତୁ ଉଦ୍‌ବେଗର ବିଷୟ ହେଉଛି ଆପଣମାନେ ଏଭଳି ଏକ ମନମୁଖୀ ବିଧେୟକକୁ ସମର୍ଥନ କରି କେବଳ ଓଡ଼ିଶାର କ୍ଷତି କରିନାହାନ୍ତି, ବରଂ ଲୋକଙ୍କ ବିଶ୍ୱାସ ଉପରେ କୁଠାରଘାତ କରିଛନ୍ତି। ଅଗଷ୍ଟ ୧୩, ୨୦୨୬ ଦିନ ଆପଣମାନଙ୍କ ସମର୍ଥନରେ ଲୋକସଭାରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଗୃହୀତ ହୋଇଥିଲା। ଏହି ଦିନଟିକୁ ଓଡ଼ିଶାବାସୀ ଏକ କଳା ଦିବସ ଭାବେ ମନେ ରଖିବେ। ଓଡ଼ିଶାର ସ୍ୱାର୍ଥ ଓ ଆମ ପିଲାଙ୍କ ଭବିଷ୍ୟତ ଉପରେ ଗଭୀର ପ୍ରଭାବ ପକାଉଥିବା ଏହି ଆଇନ ଆପଣମାନଙ୍କ ଉପସ୍ଥିତିରେ ମାତ୍ର ଦଶ ମିନିଟ୍‌ର ଆଲୋଚନାରେ ଗୃହୀତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।  

ଶ୍ରୀ ପଟ୍ଟନାୟକ କହିଛନ୍ତି, ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ ଏକ ସାଧାରଣ ଆଇନ ନୁହେଁ। ଏହି ଆଇନ ଦ୍ୱାରା ଓଡ଼ିଶା ବାର୍ଷିକ ୧୨ ହଜାର କୋଟି ଟଙ୍କାର କ୍ଷତି ସହିବ। ସମୟକ୍ରମେ ଏହି କ୍ଷତି ଲକ୍ଷ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ। ସବୁଠାରୁ  ଦୁଃଖର କଥା ହେଉଛି ଏତେ ବଡ଼ ଅନ୍ୟାୟ ଆପଣମାନଙ୍କ ଗୋଚରରେ ହିଁ ଘଟଛି। ଆପଣମାନଙ୍କ ଗୋଚରରେ ହିଁ ଆମେ ଆମ ଖଣି ଓ ଖଣି ଅଞ୍ଚଳ ଉପରୁ ଅଧିକାର ହରାଇଛୁ। ଏହି ଆଇନ ଓଡ଼ିଶାର ଯୁବ ସମାଜ ଓ  ପିଲାମାନଙ୍କ ଭବିଷ୍ୟତ ପ୍ରତି ଗଭୀର ଅନ୍ୟାୟ କରିଛି। ଦୀର୍ଘ ଦିନ ଧରି ଖଣି ପାଇଁ ପ୍ରଦୂଷଣ, ବିସ୍ଥାପନ, ପରିବେଶ ଅବକ୍ଷୟ  ଓ ଖଣି କାର୍ଯ୍ୟର  ବିପଜ୍ଜନକ କୁପ୍ରଭାବ ସହୁଥିବା  ଓଡ଼ିଶାବାସୀଙ୍କ  ପ୍ରତି ଏହା କେବଳ ଅନ୍ୟାୟ ନୁହେଁ ବରଂ ସଶକ୍ତ ଓଡ଼ିଶାର ସ୍ବପ୍ନ ପ୍ରତି ଏକ ଶକ୍ତ ଆଘାତ। ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ ବିଜେପି ସାଂସଦମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ,  ସେମାନେ ସେମାନଙ୍କ ବିବେକର ସ୍ୱରକୁ ଶୁଣନ୍ତୁ , ଓଡ଼ିଶାର ଭବିଷ୍ୟତ ପିଢ଼ି ପାଇଁ ଚିନ୍ତା କରନ୍ତୁ।

ଉତ୍ତର ରଖିଲେ ଧର୍ମେନ୍ଦ୍ର, ବିଭ୍ରାନ୍ତ କରିବା ଅନୁଚିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଅଧିନିୟମ, ୨୦୨୬କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶାର ବିଜେପି ସାଂସଦମାନଙ୍କୁ ଲେଖିଥିବା ଚିଠିର ପ୍ରତ୍ୟୁତ୍ତର ରଖିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତଥ୍ୟକୁ ଗୋପନ ରଖି ଏବଂ ମିଛରେ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଗ୍ରହଣୀୟ ନୁହେଁ ବୋଲି ସେ ମତ ରଖିଛନ୍ତି। ସାଂସଦ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଗଣତନ୍ତ୍ରରେ ରାଜନୈତିକ ଆଲୋଚନା ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ହେଁ ସଂସଦରେ ଓଡ଼ିଶାର ସ୍ୱର ଭାବରେ ଜାତୀୟ ବିକାଶ ସହ ରାଜ୍ୟ ଅର୍ଥନୀତିର ବ୍ୟାପକତା ଏବଂ ସଂରଚନାଗତ ସ୍ୱାର୍ଥ ରକ୍ଷା କରିବା ଆମର ପ୍ରାଥମିକ ଦାୟିତ୍ୱ। ଏମ୍‌ଏମ୍‌ଡିଆର ସଂଶୋଧନ ଅଧିନିୟମ-୨୦୨୬ ହେଉଛି ଏକ ଐତିହାସିକ ପଦକ୍ଷେପ ଯାହା ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ, ରାଜ୍ୟ ରାଜସ୍ୱର ସୁରକ୍ଷା ଏବଂ ନାଗରିକମାନଙ୍କୁ ମୁଦ୍ରାସ୍ଫୀତିରୁ ରକ୍ଷା କରିବ। 

Weekly Horoscope 2026 August 30 to September 05: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ଓଡ଼ିଶା ନିଜର ରାଜସ୍ୱ ଅଂଶ ହରାଇବ ବୋଲି ବିରୋଧୀ ଦଳ ନେତାଙ୍କ ଆଶଙ୍କା ସମ୍ପୂର୍ଣ୍ଣ ତଥ୍ୟହୀନ। ନୂତନ ଆଇନ ଅନୁଯାୟୀ, ଖଣି କ୍ଷେତ୍ରରୁ ମିଳୁଥିବା ମୋଟ ରାଜସ୍ୱର ପ୍ରାୟ ୯୦% ସିଧାସଳଖ ରାଜ୍ୟ ରାଜକୋଷକୁ ଯିବ। ଓଡ଼ିଶା ନିଜର ନିଲାମ ପ୍ରିମିୟମ୍‌ର ୧୧୦%, ରୟାଲଟିର ୧୫% ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିର ସମସ୍ତ ଅଂଶ ପୂର୍ବପରି ପାଇବ। ଅନ୍ୟପକ୍ଷରେ ୨୦୧୪ ପୂର୍ବରୁ ମନମୁଖୀ ଭାବରେ ଅସ୍ୱଚ୍ଛ ଉପାୟରେ ନିଜ ପସନ୍ଦର ପରିବାର ଓ ସଂସ୍ଥାମାନଙ୍କୁ ଖଣି ବଣ୍ଟନ କରାଯାଉଥିଲା। ଯାହାଫଳରେ ଓଡ଼ିଶାର ବାର୍ଷିକ ଖଣି ରାଜସ୍ୱ ମାତ୍ର ୫,୦୦୦ କୋଟି ଟଙ୍କାରେ ସୀମିତ ଥିଲା। ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଦ୍ୱାରା ସ୍ୱଚ୍ଛ ଇ-ନିଲାମ ଏବଂ ରୟାଲଟି ୧୦%ରୁ ୧୫%କୁ ବୃଦ୍ଧି କରାଯାଇଥିଲା। ଫଳରେ ରାଜ୍ୟର ବାର୍ଷିକ ଖଣି ରାଜସ୍ୱ ଦଶଗୁଣ ବୃଦ୍ଧି ପାଇ ପ୍ରାୟ ୫୦,୦୦୦ କୋଟି ଟଙ୍କାରେ ପହଞ୍ଚିଛି। 

ଏଥିସହିତ ଓରିସେଡ୍‌ (ଓଡ଼ିଶା ଗ୍ରାମୀଣ ଭିତ୍ତିଭୂମି ଓ ସାମାଜିକ-ଅର୍ଥନୈତିକ ବିକାଶ) ଆଇନ, ୨୦୦୪କୁ ୨୦୦୫ରେ ହାଇକୋର୍ଟ ରଦ୍ଦ କରିବା ପରେ ବିଜେଡି ସରକାର ଆଇନଗତ ତ୍ରୁଟି ସୁଧାରିବା ପାଇଁ ବିଧାନସଭାରେ କୌଣସି ସଂଶୋଧନ ନଆଣି ୧୮ ବର୍ଷ ଧରି ସୁପ୍ରିମକୋର୍ଟରେ ମାମଲା ଚଳାଇ ସମୟ ନଷ୍ଟ କରିଥିଲେ। ଓଡ଼ିଶାର ସାଂସଦମାନେ ରାଜ୍ୟର ବୃହତ୍ତର ସ୍ୱାର୍ଥ, ଶିଳ୍ପ ସମୃଦ୍ଧି ଏବଂ ଯୁବପିଢ଼ିଙ୍କ ନିଯୁକ୍ତି ସୁରକ୍ଷା ପାଇଁ ସଂସଦରେ ଏମ୍‌ଏମ୍‌ଡିଆର୍ ସଂଶୋଧନ ବିଲ୍, ୨୦୨୬କୁ ସମର୍ଥନ କରିଛନ୍ତି। ବିରୋଧୀ ଦଳ ନେତା ଦଳୀୟ ମନୋଭାବରୁ ଊର୍ଦ୍ଧ୍ୱକୁ ଯାଇ ରାଜ୍ୟର ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରୁଥିବା ଏହି ଐତିହାସିକ ଆଇନକୁ ସମର୍ଥନ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।