ଖବର ପ୍ରକାଶକୁ ନେଇ ସାମ୍ବାଦିକଙ୍କୁ ମାରଣାନ୍ତକ ଆକ୍ରମଣ ଅଭିଯୋଗ

Aug 27, 2026 - 23:52
ଖବର ପ୍ରକାଶକୁ ନେଇ ସାମ୍ବାଦିକଙ୍କୁ ମାରଣାନ୍ତକ ଆକ୍ରମଣ ଅଭିଯୋଗ

ଯାଜପୁର ୨୫/୦୮(ନି.ପ୍ର): ଖବର ପ୍ରସାରଣକୁ ନେଇ ଜଣେ ସାମ୍ବାଦିକଙ୍କୁ ମାରଣାନ୍ତକ ଆକ୍ରମଣ ଅଭିଯୋଗକୁ କେନ୍ଦ୍ର କରି ଯାଜପୁର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ଗୁରୁକୁଳ ପଞ୍ଚାୟତର ସରପଞ୍ଚ ସତ୍ୟାନନ୍ଦ ମହାପାତ୍ରଙ୍କ ସମ୍ପର୍କିତ ବିଭିନ୍ନ ଅଭିଯୋଗ ଉପରେ ଖବର ପ୍ରସାରଣ କରିବା ପରେ ଫୋକସ୍ ପ୍ଲସ୍‌ର ରିପୋର୍ଟର ସଞ୍ଜୟ ନାୟକଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ସରପଞ୍ଚଙ୍କ ସମ୍ପର୍କିତ ଖବର ବାରମ୍ବାର ପ୍ରସାରଣ କରାଯାଉଥିବାରୁ ସଞ୍ଜୟଙ୍କ ଉପରେ କିଛି ବ୍ୟକ୍ତିଙ୍କ ଜରିଆରେ ଆକ୍ରମଣ କରାଯାଇଥିଲା। ଆକ୍ରମଣରେ ସାମ୍ବାଦିକ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ପ୍ରଥମେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଶାରୀରିକ ଅବସ୍ଥା ଅଧିକ ଗୁରୁତର ହେବାରୁ ପରେ ତାଙ୍କୁ ଯାଜପୁର ଟାଉନ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସଞ୍ଜୟ ନାୟକ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।

ଘଟଣାକୁ ନେଇ ସଞ୍ଜୟଙ୍କ ବାପା ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଯୋଗରେ ଆକ୍ରମଣ ପଛରେ ସରପଞ୍ଚଙ୍କ ସମ୍ପୃକ୍ତି ଥିବା ଦାବି କରାଯାଇ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଏହି ଘଟଣା ପରେ ସାମ୍ବାଦିକ ମହଲରେ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇଛି। ସାମ୍ବାଦିକମାନଙ୍କ ମତରେ, ଖବର ପ୍ରକାଶ କିମ୍ବା ପ୍ରସାରଣକୁ ନେଇ ଯଦି ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୁଏ, ତେବେ ଏହା ସ୍ୱାଧୀନ ସାମ୍ବାଦିକତା ପାଇଁ ଏକ ଗୁରୁତର ଚିନ୍ତାର ବିଷୟ।

ସେପଟେ, ଥାନାରେ ଅଭିଯୋଗ ପରେ ପୋଲିସର ପରବର୍ତ୍ତୀ ପଦକ୍ଷେପ କଣ ହେବ, ତାହାକୁ ନେଇ ମଧ୍ୟ ନଜର ରହିଛି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ବାଦିକ ମହଲରୁ ଦାବି ହୋଇଛି।

ସାମ୍ବାଦିକ ସଞ୍ଜୟ ନାୟକଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଜିଲ୍ଲାବ୍ୟାପୀ ସାମ୍ବାଦିକ ସଂଗଠନଗୁଡ଼ିକର ପରବର୍ତ୍ତୀ ପଦକ୍ଷେପ କଣ ହେବ, ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।