ଖୋର୍ଦ୍ଧା - କଟକରେ ୫୦୦ କୋଟିର ପ୍ରକଳ୍ପ କରିବ ହଳଦୀରାମ

Aug 22, 2026 - 11:52
ଖୋର୍ଦ୍ଧା - କଟକରେ  ୫୦୦ କୋଟିର ପ୍ରକଳ୍ପ କରିବ ହଳଦୀରାମ

ଭୁବନେଶ୍ୱର : ରାଜ୍ୟରେ ଶିଳ୍ପାୟନ ତଥା ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୯ତମ ରାଜ୍ୟସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷ ବୈଠକରେ ୨,୭୮୦.୧୦ କୋଟି ଟଙ୍କାର ୧୪ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି ।

ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ପ୍ରାୟ ୧୪,୧୦୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଅନୁଗୋଳ, ବଲାଙ୍ଗିର, କଟକ, ଢେଙ୍କାନାଳ, ଗଞ୍ଜାମ, କେନ୍ଦୁଝର, ଖୋରଧା, ନୟାଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲାରେ ଏହି ପ୍ରକଳ୍ପଗୁଡ଼ିକ ସ୍ଥାପନ ହେବ। ଏଥିରେ ହଳଦୀରାମର ୫୦୦ କୋଟିର ପ୍ରକଳ୍ପ ରହିଛି । ରସାୟନ, ବୟନ, ଇସ୍ପାତ ଓ ମେଡିକାଲ୍ ଡିଭାଇସ୍ କ୍ଷେତ୍ରରେ ମଧ୍ୟ ନିବେଶ ହେବ । 

ପ୍ରମୁଖ ପ୍ରସ୍ତାବ ମଧ୍ୟରେ ହଳଦୀରାମ ସ୍ନାକ୍ସ ଫୁଡ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧା / କଟକ ଅଞ୍ଚଳରେ ୫୦୦ କୋଟି ନିବେଶରେ ସ୍ନାକ୍ସ ଓ ବେକେରୀ ଉତ୍ପାଦ ପ୍ରସ୍ତୁତି ୟୁନିଟ୍ ସ୍ଥାପନ କରିବ । ଏଥିରେ ପ୍ରାୟ ୮୦୦ ଜଣଙ୍କୁ ନିଯୁକ୍ତି ମିଳିବା ସମ୍ଭାବନା ରହିଛି। ଢେଙ୍କାନାଳରେ ହେବ ଗାର୍ମେଣ୍ଟ ୟୁନିଟ୍। ନିଯୁକ୍ତି ସୃଷ୍ଟି ଦୃଷ୍ଟିରୁ ସବୁଠାରୁ ବଡ଼ ପ୍ରକଳ୍ପ ହେବ ସାହାନା କ୍ଲୋଦିଂ କମ୍ପାନୀ ପ୍ରାଇଭେଟ୍ ଲିମିଟେଡ୍ ର ଢେଙ୍କାନାଳ ୟୁନିଟ୍। କମ୍ପାନୀ ୨୫୧.୪୫ କୋଟି ନିବେଶରେ ଶିଶୁ ଓ କିଶୋରଙ୍କ ପାଇଁ ରେଡିମେଡ୍ ପୋଷାକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ।

ଏହି ପ୍ରକଳ୍ପରୁ ୫ ହଜାରନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ସେହିପରି ଗଞ୍ଜାମରେ ପ୍ରାସୋଲ୍ କେମିକାଲ୍ସ ୪୫୦ କୋଟି ବ୍ୟୟରେ ଫସ୍ ଫରସ୍ ଭିତ୍ତିକ ରସାୟନ ପ୍ରକଳ୍ପ ସ୍ଥାପନ କରିବ। ଯେଉଁଥିରେ ୪୫୮ ଜଣଙ୍କୁ ନିଯୁକ୍ତି ମିଳିବ। କଟକରେ ଟିୱାନା ନ୍ୟୁଟ୍ରିସନ୍ ୧୪୦ କୋଟିର ଗୋଖାଦ୍ୟ ପ୍ରସ୍ତୁତି ୟୁନିଟ୍ ସ୍ଥାପନ କରିବ । ଏଥିରୁ ପ୍ରାୟ ୨,୫୦୦ ନିଯୁକ୍ତି ସୃଷ୍ଟି ହେବ। ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ସିର୍ମା SGS ଟେକ୍ନୋଲୋଜି ଖୋର୍ଦ୍ଧାରେ ୩୦୦ କୋଟି ବିନିଯୋଗରେ ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ (PCB) ଉତ୍ପାଦନ ପ୍ରକଳ୍ପ ସ୍ଥାପନ କରିବ । ଏହି ପ୍ରକଳ୍ପରେ ପ୍ରାୟ ୫୦୦ ଜଣଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।