୬ ମାସ ପାଇଁ ଛାଡ଼ ହେଲା ଏସସି .ଏସ ଟି ଛାତ୍ରଛାତ୍ରୀଙ୍କ ଟିଉସନ ଫି '
ଭୁବନେଶ୍ୱର : ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଶ୍ୱସ୍ତି । ସରକାରୀ ମେଡିକାଲ ଓ ଇଞ୍ଜିନିଅରିଂ କଲେଜରେ ଆଡ୍ ମିଶନ୍ ବେଳେ ୬ ମାସ ପର୍ଯ୍ୟନ୍ତ ଟିଉସନ୍ ଓ ଅନ୍ୟାନ୍ୟ ଫି ଡିପୋଜିଟ୍ କରିବାକୁ ପଡ଼ିବ ନାହିଁ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍କଲାରସିପ୍ ଟଙ୍କା ପାଇଲା ପରେ ଆଡ୍ ମିଶନ୍ ଓ ଟିଉସନ୍ ଫି ଦେବେ ଛାତ୍ରଛାତ୍ରୀ । ଏନେଇ ଖୁବ୍ ଶୀଘ୍ର ମାର୍ଗଦର୍ଶୀକା ଜାରି ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଛି ।
ରାଜ୍ୟ ସରକାରୀ ମେଡିକାଲ ଓ ଇଞ୍ଜିନିଅରିଂ କଲେଜରେ ଆଡମିଶନ୍ ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମେଧାବୀ ଗରିବ ଛାତ୍ରଛାତ୍ରୀମାନେ ଅନେକ ସମୟରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ବର୍ଗର ମେଧାବୀ ଛାତ୍ରଛାତ୍ରୀମାନେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେବା ସତ୍ୱେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି । କିନ୍ତୁ, ଆଡମିଶନ ବେଳେ ଅର୍ଥ ଜମା କରିବା ପାଇଁ ସେମାନଙ୍କ ପାଖରେ ସମ୍ୱଳ ନଥାଏ । ଏହି ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଡମିଶନ୍ ସମୟରେ ଏବଂ ଆଡମିଶନ୍ର ୬ ମାସ ପର୍ଯ୍ୟନ୍ତ କୌଣସି ଫି ଜମା କରିବାକୁ ପଡ଼ିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଛାତ୍ରଛାତ୍ରୀମାନେ ସାଧାରଣତଃ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ବିଭିନ୍ନ ବୃତ୍ତି ପାଇଥାନ୍ତି । ତେବେ ଏହି ବୃତ୍ତି ଅର୍ଥ ପାଇବାର ପ୍ରକ୍ରିୟା ଶେଷ ହୋଇ ଟଙ୍କା ପାଇବା ବେଳକୁ ୩-୪ ମାସ ଲାଗିଥାଏ । ତେଣୁ ବର୍ତ୍ତମାନ ଏହି ବର୍ଗର ଛାତ୍ରଛାତ୍ରୀମାନେ ସେମାନଙ୍କ ବୃତ୍ତି ଟଙ୍କା ପାଇବା ପରେ ସୁବିଧାରେ ସେମାନଙ୍କ ଆଡମିଶନ ଓ ଟ୍ୟୁସନ ଫି ଜମା କରିପାରିବେ । ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଏକ ମାର୍ଗଦର୍ଶୀକା ଜାରି କରାଯିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।