ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ପୋଲିସ, ୫୫ କେଜି…
ଦେବଗଡ,୪।୯(ଶଶାଙ୍କ ଶେଖର ଝାଙ୍କର): ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ଥାନା ପୋଲିସ । ଚଢାଉ କରାଯାଇ ଏକ ଡିଜାୟାର କାର ସହିତ ୫୫ କିଲୋଗ୍ରାମ ବେଆଇନ ଗଞ୍ଜେଇ ଜବତ କରାଯାଇଛି । ଏଥିସହିତ ଚାରା ଚାଲାଣକାରୀକୁ ଗିରଫ କରାଯାଇଥିବା ଜଣାପଡିଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏକ ଡିଜାୟାର କାର(ନଂ-ଜେଏଚ୍୦୫ଏଏଲ୍୨୭୫୦)ଯୋଗେ ସମ୍ବଲପୁର ପଟୁ ରାଉରକେଲା ଅଭିମୁଖେ ବିପୁଳ ପରିମାଣର ବେଆଇନ ଗଞ୍ଜେଇଚୋରା ଚାଲାଣ ହେଉଥିଲା । କୌଣସି ସୂତ୍ରରୁ ସୂଚନା ପାଇ ବାରକୋଟ ଥାନା ପୋଲିସ ଉକ୍ତ ଥାନାଂଚଳର ବିଭିନ୍ନ ସ୍ଥାନରେ ଛକି ରହିଥିଲା । ଉକ୍ତ କାରଟି ବାରକୋଟ ଥାନା ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥର ସର୍ଭିସ ରୋଡ ଦେଇ ଯାଉଥିବା ବେଳେ ପୋଲିସ ଏହାକୁ ଅଟକାଇ ଯାଂଚ କରିଥିଲା । ଯାଂଚ ସମୟରେ ଉକ୍ତ କାର ମଧ୍ୟରୁ ବିପୁଳ ପରିମାଣର ବେଆଇନ ଗଞ୍ଜେଇ ବାହାରିଥିଲା । ଫଳରେ ପୋଲିସ ଉକ୍ତ ଗଞ୍ଜେଇ ସହିତ ବ୍ୟବହୃତ କାରଟିକୁ ଜବତ କରିବା ସହ ସୁବାସ ପାଣ୍ଡେ ନାମକ ଜଣେ ଚୋରାଚାଲାଣ କାରୀଙ୍କୁ ଗିରଫ କରିଥିଲା । ଏଥିସହ ୭ହଜାର ୪ ଶହ ଟଙ୍କା, ଏକ ଏଟିଏମ୍ କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଜବତ କରିଥିଲା ।
ପଚରା ଉଚରା ସମୟରେ ସେ ଉକ୍ତ ଗଞ୍ଜେଇ ରାଉାରକେଲାକୁ ଚୋରାଚାଲାଣ କରୁଥିବା ପୋଲିସ ସମ୍ମୁଖରେ ପ୍ରକାଶ କରିଥିଲା । ସେହିପରି ଗିରଫ ରାଜେଶର ଘର ବିହାର ରାଜ୍ୟ ଛପ୍ରା ଜିଲା କୋପା ଥାନାଂଚଳର ବାସିଡିଲା ଗ୍ରାମର ଏବଂ ବର୍ତମାନ ସେ ନୂଆଁ ଦିଲ୍ଲୀର ଗାଜିପୁରରେ ରହୁଥିବା ପୋଲିସ ସମ୍ମୁଖରେ ପ୍ରକାଶ କରିଥିଲା । ପୋଲିସ ମାଜିଷ୍ଟ୍ରେଟ ସମ୍ମୁଖରେ ଜବତ ଗଞ୍ଜେଇକୁ ଓଜନ କରିବାରୁ ଏହାର ପରିମାଣ ୫୫ କିଲୋଗ୍ରାମ ରହିଥିବା ଜଣାପଡିଥିଲା ।
ତେବେ ବାରକୋଟ ଥାନା ଚଢଉ କରି କାର ସହିତ ଗଞ୍ଜେଇ ଜବତ କରିଥିବା କହୁଥିବା ବେଳେ ଏ ଘଟଣା ନେଇ ସାଧାରଣରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି । କେହି କେହି ଉକ୍ତ ଗଞ୍ଜେଇ ବୋଝେଇ କାରଟି ଅନୁଗୁଳ ଜିଲାର ପାଳଲହଡା ପଟୁ ୪୯ ନମ୍ବର ଜାତୀୟ ରାଜପଥ ଦେଇ ବାରକୋଟ ପଟକୁ ଆସୁଥିବା କହୁଛନ୍ତି । ଅଂଚଳର କେତେକ ଯୁବକ ଗୋଡାଇବାକୁ କାର ଚାଳକ ଭୟରେ ଦୃତଗତିରେ ସେଠାରୁ ପଳାଇ ଆସିବା ସହ କାର ସହିତ ନିଜେ ବାରକୋଟ ଥାନାରେ ଆତ୍ମ ସମର୍ପଣ କରିଥିବା କୁହାଯାଉଛି । ତେବେ ବାରକୋଟ ଥାନା ଅଧିକାରୀ ସୁଶାନ୍ତ କୁମାର ବଢାଇଙ୍କ ମତାମତ ଲୋଡିବାରୁ ସେ ଏ କଥାକୁ ଅସ୍ୱୀକାର କରିବାସହ ପୁଲିସ ଚଢଉ କରି ଉକ୍ତ ଗଞ୍ଜେଇ ବୋଝେଇ କାରଟିକୁ ଜବତ କରିଥିବା ଉତର ଦେଇଛନ୍ତି । ତେବେ ଦେବଗଡ ଜିଲା ଆରକ୍ଷୀ ଅଧିକ୍ଷକ ବଡକୁଦର ସ୍ଥିତ ଟୋଲଗେଟ୍ର ସିସି କ୍ୟାମେରା ଫୁଟେଜ ଅଧାରରେ ଘଟଣାର ତଦନ୍ତ କଲେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।