ଗଣତନ୍ତ୍ର ଓ ରାଜନୀତି

Sep 09, 2026 - 08:40
ଗଣତନ୍ତ୍ର ଓ ରାଜନୀତି

ଭାରତୀୟ ସମାଜର ଧାରା, ଦର୍ଶନ, କ୍ରିୟାକଳାପ, ପାଶ୍ଚାତ୍ୟ ଧାରାରୁ ସମ୍ପୂର୍ଣ୍ଣ ଅଲଗା। ଭାରତୀୟ ସମାଜ ବ୍ୟଷ୍ଟିତନ୍ତ୍ର ଆଧାରରେ ଅଧିଷ୍ଠିତ। ପ୍ରାଚୀନ ଯୁଗରେ ମୁନି ଋଷିମାନଙ୍କ ବ୍ୟକ୍ତିଗତ ସତ୍ତା କେବଳ ଜଗତର ମଙ୍ଗଳ ନିମନ୍ତେ ନିୟୋଜିତ ହେଉଥିଲା। ସେଇ ଆଦର୍ଶରେ ସମାଜରେ ପ୍ରତ୍ୟେକ ବ୍ୟକ୍ତିର ସତ୍ତା ବ୍ୟଷ୍ଟିର ମଙ୍ଗଳ ନିମନ୍ତେ ନିୟୋଜିତ ହେଉଥିଲା। ବେଦ ବର୍ଣ୍ଣିତ ‘ସମାଜ ’ ଉପରେ ବି ବ୍ୟଷ୍ଟିଭାବର ବର୍ଣ୍ଣନା ଅଛି – ଆମ୍ଭେମାନେ ଏକାଠି ହେଉ, ଅଭିବ୍ୟକ୍ତି ପ୍ରସାରରେ ଏକ ସ୍ବର ହେଉ, ଆମ୍ଭମାନଙ୍କ ମନ ଐକ୍ୟସୂତ୍ରରେ ଆବଦ୍ଧ ହେଉ। (ଋକ୍‌ବେଦ ଦଶମ ମଣ୍ଡଳ ୧୯୧, ଦୁଇ)
ଐକ୍ୟ ଓ ସତ୍ୟରେ ଅଧିଷ୍ଠିତ ସମାଜରେ ଆର୍ଯ୍ୟମାନେ ସ୍ବରାଜ୍ୟ ଉପଭୋଗ କରୁଥିଲେ। ପ୍ରତି ବ୍ୟକ୍ତିର ଗୁଣକର୍ମ ବିଭାଗ ଅନୁସାରେ ତାହାର କର୍ତ୍ତବ୍ୟ ନିର୍ଦ୍ଦେଶିତ ହୋଇଥାଏ। ଐକ୍ୟ ଓ ସତ୍ୟରେ ପ୍ରତିଷ୍ଠିତ ହେଉ ଯେଯାହାର କର୍ତ୍ତବ୍ୟ ପରିସର ଭିତରେ ସୁଶୃଙ୍ଖଳ ଥିଲେ। ଏଣୁ ଅଧିକାର ନେଇ ଶାସକ ଓ ଶାସିତର ବିବାଦ ଭାରତୀୟ ସମାଜରେ ନ ଥିଲା। ଭାରତୀୟ ସମାଜ କର୍ତ୍ତବ୍ୟ ପ୍ରଧାନ ଥିଲା ଏବଂ ନିଜର କର୍ତ୍ତବ୍ୟ ଦ୍ୱାରା ଜଣଙ୍କ ଅଧିକାର ନିର୍ଦ୍ଦେଶିତ ହେଉଥିଲା। କହିବାକୁ ଗଲେ କର୍ତ୍ତବ୍ୟ କରିବା ଅଧିକାର ହିଁ ମୁଖ୍ୟ ଅଧିକାର ଥିଲା। ଭରତୀୟ ସାମାଜିକ ଦର୍ଶନରେ କର୍ତ୍ତବ୍ୟରୁ ଅଧିକାର ଜାତ।
ଆବହମାନ କାଳରୁ ଭାରତୀୟ ଦର୍ଶନରେ ରାଜା ପ୍ରଜାର ସମ୍ପର୍କ ପାଶ୍ଚାତ୍ୟ ସଭ୍ୟତାରୁ ବହୁଗୁଣେ ପୃଥକ। ଭାରତର ରାଜନୀତି ସମାଜବାଦ ସମସ୍ତ ଧର୍ମ ବା କର୍ତ୍ତବ୍ୟ ଉପରେ ଆଧାରିତ। ପ୍ରଜଗଣ ରାଜାଙ୍କୁ ସମସ୍ତ ଅଧିକାର ଦେବାକୁ ପ୍ରସ୍ତୁତ, ରାଜା ପ୍ରଜାମାନଙ୍କ ମଙ୍ଗଳ ନିମନ୍ତେ ସମସ୍ତ ରାଜ୍ୟସମ୍ପଦ ଉତ୍ସର୍ଗ କରିବା ଲାଗି ଅନୁଷ୍ଠିତ। ସୁତରାଂ ରାଜା ପ୍ରଜା ଭିତରେ କୌଣସି ଟଣାଟଣିର ଅବସର ନ ଥିଲା। ପ୍ରଜାମାନଙ୍କ ଅସମ୍ମତିରେ ରାଜା କିଛି ବି କରୁ ନ ଥିଲେ। ପ୍ରଜା ପୀଡ଼ା ରାଜଧର୍ମ ବିରୁଦ୍ଧ, ସୁତରାଂ ସର୍ବତ୍ର ରାଜାଙ୍କର ଅକର୍ତ୍ତବ୍ୟ ଥିଲା। ପ୍ରଜା ଶବ୍ଦର ଆକ୍ଷରିକ ଅର୍ଥ ପ୍ରକୃଷ୍ଟ ଭାବରେ ଜାତ। ଶତ ଶତ ବର୍ଷ ପାଶ୍ଚାତ୍ୟ ଶାସନ ଥିଲେ ବି ଭାରତୀୟଙ୍କ ମନୋବୃତ୍ତି ଅକ୍ଷୁଣ୍ଣ ରହିଥିଲା।
ଏହି ପରିପ୍ରେକ୍ଷୀରେ କୁହାଯାଏ ଯେ, ଭାରତରେ ସୃଷ୍ଟି ହେଉଥିବା ନୂତନ ଗଣତାନ୍ତ୍ରିକ ଚେତନାରେ ଗୋପବନ୍ଧୁ ଭାରତର ପ୍ରାଚୀନ ଗଣତନ୍ତ୍ର ପରମ୍ପରାର ପ୍ରାସଙ୍ଗିକତାକୁ ନିର୍ଦ୍ଦେଶ କରୁଥିଲେ। ଗୋପବନ୍ଧୁଙ୍କ ମତରେ ପ୍ରତିଦେଶର ଜଳ, ବାୟୁ, ସୂକ୍ଷ୍ମବାତାବରଣ, ଆଚାର ବିଚାର ଓ ସଂସ୍କାର ଆଦିରୁ ଯେଉଁ ଦେଶ ଧର୍ମର ଉଦ୍‌ଭବ ହୋଇଥାଏ ସେଇଥିରେ ସମାଜର ମୌଳିକ ସତ୍ୟ ପ୍ରତିଷ୍ଠିତ ଥାଏ। ଏହି ମୌଳକ ସତ୍ୟ ହିଁ ‘ସମାଜ’ର ସ୍ଥିତି ବଦଳାଇଥାଏ।
ପ୍ରାଚୀନ ଗଣତନ୍ତ୍ର ନୀତିରେ ନେତା ଓ ଜନତାଙ୍କ ଭିତରେ ଏକପ୍ରକାର ବ୍ୟବଧାନ ନ ଥିଲା କହିଲେ ଚଳେ। ବୈଦିକ ଯୁଗରେ ଜାତୀୟ ଜୀବନ ଓ କାର୍ଯ୍ୟାବଳୀ ‘ସମିତି’ (ଗଣସମ୍ମିଳନୀ)ରୁ ଜାତ ଗଣମତ ଦ୍ୱାରା ନିୟନ୍ତ୍ରିତ ହେଉଥିଲା ଏବଂ ଜନସାଧାରଣଙ୍କ ନିକଟରେ ନିର୍ବାଚିତ ପ୍ରତିନିଧିମାନେ ଉତ୍ତରଦାୟୀ ରହୁଥିଲେ। ଋକ୍‌ବେଦରେ ‘ସମିତି’ର ସ୍ବରୂପ ନିର୍ଣ୍ଣୟ କରିବାକୁ ଯାଇ କୁହାଯାଇଛି ”ସମାନୋ ମନ୍ତ୍ର ସମିତି ସମାନ, ସମାନଂ ବ୍ରତ ସହ ଚିତ୍ତମେସମ୍‌ “ ,ଅର୍ଥାତ୍‌ ସମାନ ନୀତି ହେଉ, ସମାନ ସମିତି ହେଉ, ସମାନ ସଂକଳ୍ପ ସହ ଚିନ୍ତାଧାରା ସମାନ ହେଉ।
ଦେବତା ଓ ଅସୁରମାନେ ଯୁଦ୍ଧ କରୁଥିଲେ, ଅସୁରମାନେ ଦେବତାଙ୍କୁ ପରାସ୍ତ କଲେ। ଦେବତାମାନେ କହିଲେ ଆମର ରାଜା ନ ଥିବାରୁ ଅସୁରମାନେ ହରାଇଦେଲେ। ଅତଏବ ଆସୁରୀୟ ଶକ୍ତିର ବିନାଶ ନିହାତି ଆବଶ୍ୟକ।
”ତୁମକୁ ରାଜ୍ୟ ଶାସନ କରିବା ପାଇଁ ପ୍ରଜାମାନେ ନିର୍ବାଚିତ କରିଛନ୍ତି।“ ବେଦରେ ଥିବା ଉପରୋକ୍ତ ବାକ୍ୟାବଳୀରୁ ଆମେ ପ୍ରାଚୀନ ଗଣତନ୍ତ୍ରରେ ନିର୍ବାଚନ ପରମ୍ପରାର ଆଭାସ ପାଉ। ଏହି ନିର୍ବାଚିତ ପ୍ରତିନିଧିମାନେ ଖାଲି ମନମୁଖି ଶାସନ କରୁ ନ ଥିଲେ, ପରନ୍ତୁ ପ୍ରାକୃତିକ ସମ୍ପଦର ସୁଷମ ବଣ୍ଟନ କରିବା ସଙ୍ଗେ ସଙ୍ଗେ ଦେଶର ମଙ୍ଗଳ ପାଇଁ କର ଆଦାୟ କରୁଥିଲେ।
ସମିତି (ଗଣସମ୍ମିଳନୀ)ରେ ନିର୍ବାଚିତ ପ୍ରତିନିଧିମାନେ ଯିବାକୁ ବାଧ୍ୟତା ଥିଲା ଓ ଶାସନ ବ୍ୟବସ୍ଥାର ସମସ୍ତ କ୍ରିୟା ଲୋକଲୋଚନକୁ ଆଣିବା ଜରୁରୀ ଥିଲା। ”ରାଜା ନ ସତ୍ୟ ସମିତୋରୀଯାନ“ (ଋକ୍‌ ବେଦ); ଅର୍ଥାତ ସମିତିକୁ ଯାଇ ନ ଥିବା ରାଜା ଅସତ ଅଟନ୍ତି।
ଏଇଥିରୁ ଜଣାଯାଏ ଯେ ପ୍ରାଚୀନ ଭାରତୀୟ ଗଣତନ୍ତ୍ରରେ ନିର୍ବାଚିତ ପ୍ରତିନିଧିମାନେ ପ୍ରଜାମାନଙ୍କ ପାଖରେ ପ୍ରତ୍ୟକ୍ଷ ଉତ୍ତରଦାୟୀ ରହୁଥିଲେ। ଗଣମତ ବିରୋଧରେ କାର୍ଯ୍ୟ କଲେ ‘ସମିତି’ ପ୍ରତିନିଧିକୁ ପଦଚ୍ୟୁତ କରି ନିର୍ବାସିତ କରୁଥିଲେ। ସ୍ଥଳ ବିଶେଷରେ ନୂତନ ନେତା ନିର୍ବାଚିତ ହେଉଥିଲେ। କହିବାକୁ ଗଲେ ପ୍ରାଚୀନ ଭାରତୀୟ ରାଜନୀତିର ମୂଳଦୁଆ କର୍ତ୍ତବ୍ୟ ପରାୟଣ ହୋଇଥିବାରୁ, ଏଥିରେ ନିର୍ବାଚିତ ପ୍ରତିନିଧିର ପ୍ରଜାଙ୍କ ଉପରେ ଉତ୍ତର ଦାୟିତ୍ୱର ଚାପ ରହୁଥିଲା।
ପାଶ୍ଚାତ୍ୟ ଗଣତନ୍ତ୍ର ଧାରାର ତ୍ରୁଟିପୂର୍ଣ୍ଣ ନୀତି ଗୋପବନ୍ଧୁଙ୍କ ଦୃଷ୍ଟିରେ ପଡିଥିଲା। ଏଣୁ ଭାରତରେ ପ୍ରବେଶ କରୁଥିବା ନୂତନ ଗଣତନ୍ତ୍ରରେ ପ୍ରାଚୀନ ଗଣତନ୍ତ୍ରର ପ୍ରସଙ୍ଗିକତାକୁ ନିର୍ଦ୍ଦେଶ କରି ୧୯୨୬ କାଉନସିଲ ନିର୍ବାଚନରେ ‘ମତଦାତା ପରିଷଦ’ ଭୋଟର କାଉନସିଲମାନ ଗଠନ କରି, ନିର୍ବାଚନ ସମୟ ମଧ୍ୟରେ ବେଳେ ବେଳେ ସମ୍ମୁଖୀନ ହୋଇ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବା ଓ ସୁଖ ଦୁଃଖକୁ ବୁଝି ଗଣସ୍ବାର୍ଥ ନିହିତ ନୀତିକୁ ବ୍ୟବସ୍ଥା ସଭାରେ ପ୍ରତିଫଳିତ ତଥା ନିଜର ଦଳ ନିକଟରେ ପ୍ରତି ମାସରେ ନିଜର କାର୍ଯ୍ୟାବଳୀର ବିବରଣୀ ଦାଖଲ କରିବାକୁ ରଖୁଥିବା ସର୍ତ୍ତ ଅପ୍ରାସଙ୍ଗିକ ମନେହୁଏନାହିଁ।
ଗୋପବନ୍ଧୁଙ୍କ ବିଚାର ଧାରାକୁ ଗୁରୁତ୍ୱର ସହ ବିଚାର ନ କରି, ଆଜି ଓଡ଼ିଶାର ରାଜନୀତି ପରିସ୍ଥିତିର ଚାପ ଦ୍ୱାରା ବାରମ୍ବାର ଆଘାତପ୍ରାପ୍ତ ଏକ ଦିଶାହୀନ ନୌକା ପରି ଗତିକରୁଛି। ଗଣତନ୍ତ୍ରର ମୂଲ୍ୟବୋଧ ରାଜନେତାମାନଙ୍କ ପାଖରେ ଅର୍ଥହୀନ। ଦିଗହୀନ ରାଜନୀତି, କଳୁଷିତ ସମାଜ ଏହି ଧାରାରେ ଏବେ ଚାଲିଛି।
ଅର୍ଥସର୍ବଶ୍ୱ ଜୀବନ। ପ୍ରାକୃତିକ ସମ୍ପଦ ଜନହିତରେ ନୁହେଁ ରାଜନେତାଙ୍କ ସ୍ବାର୍ଥରେ ବ୍ୟବହାର ହେଉଛି। ପୁଣି ଦିନ ଆସିବ ଯାହା ଆଜିର ଯୁବସମାଜ ପ୍ରମାଣିତ କରିସାରିଛନ୍ତି-” ଡରାଇ ଶାସିବା ନୀତି ଭାଙ୍ଗି ଯିବ/ପ୍ରଜାଙ୍କ ହାତରେ ଶାସନ ଚାଲିବ“।

ଜୟଶ୍ରୀ ମହାପାତ୍ର
ମୋ: ୮୯୧୭୬୦୮୮୫୮


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।