ଗଣେଶ ବିସର୍ଜନ ବେଳେ ଅଘଟଣ! ଜେନେରେଟରରେ ତେଲ ଢାଳୁ ଢାଳୁ ଲାଗିଲା ନିଆଁ, ଯୁବକ…

Sep 16, 2026 - 21:56
ଗଣେଶ ବିସର୍ଜନ ବେଳେ ଅଘଟଣ! ଜେନେରେଟରରେ ତେଲ ଢାଳୁ ଢାଳୁ ଲାଗିଲା ନିଆଁ, ଯୁବକ…

ଝରିଗାଁ, ୧୬।୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମେରା ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜେନେରେଟରରେ ପେଟ୍ରୋଲ ଢାଳିବା ବେଳେ ହଠାତ୍ ନିଆଁ ଲାଗିଯିବା ଫଳରେ ଜଣେ ଯୁବକ ଗୁରୁତର ଭାବେ ପୋଡ଼ି ହୋଇଛନ୍ତି। ଗୁରୁତର ଯୁବକ ଜଣକ ସାନଟେମେରା ଗ୍ରାମର ଚମରୁ ମାଝୀ ବୋଲି ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁଯାୟୀ, ବୁଧବାର ସାନଟେମେରା ଗ୍ରାମରେ ଧୁମଧାମରେ ଗଣେଶ ବିସର୍ଜନ ଚାଲିଥିବା ବେଳେ ଶୋଭାଯାତ୍ରାରେ ବ୍ୟବହୃତ ଜେନେରେଟରଟି ହଠାତ୍ ବନ୍ଦ ହୋଇଯାଇଥିଲା। ତେଲ ଶେଷ ହୋଇଯାଇଥିବା ଜାଣି ଚମରୁ ମାଝୀ ପେଟ୍ରୋଲ ଆଣି ଜେନେରେଟରରେ ଢାଳୁଥିଲେ। ତେବେ କୌଣସି କାରଣବଶତଃ ହଠାତ୍ ସେଠାରେ ନିଆଁ ଧରିଯାଇଥିଲା। ଅଗ୍ନିକାଣ୍ଡ ଏତେ ଦ୍ରୁତ ଥିଲା ଯେ ଚମରୁ ଖସିଯିବାକୁ ସୁଯୋଗ ପାଇନଥିଲେ, ଫଳରେ ତାଙ୍କ ପିଠି ଓ ପଛପଟ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା।

ଘଟଣା ପରେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଉନ୍ନତ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ନିଆଁ କେଉଁ ସୂତ୍ରରୁ ଲାଗିଲା, ସେ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।