ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

Sep 20, 2026 - 16:56
ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରବିବାର ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ଯାଇ ରେଡ୍‌କ୍ରସ ପାଣ୍ଠିରୁ ୩ ଜଣ ଶିଶୁଙ୍କ ପରିବାରକୁ ୧୫ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହା ସହ ନିଆଁ ମଧ୍ୟରୁ ଶିଶୁଙ୍କୁ ଉଦ୍ଧାର କରିବା ବେଳେ ଆହତ ହୋଇଥିବା ଗୋପାଳ ନାହାକଙ୍କୁ ମଧ୍ୟ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଆହତ ତିନି ଜଣ ଶିଶୁ
ପୁରୁଷୋତ୍ତମପୁର ସୀତାରାମପୁର ଆଗ୍ରାହରମର ଇତିଶ୍ରୀ ନାୟକ( ୪), ସୁହାନି ନାୟକ(୧୦), ଭୂମି ନାୟକ (୮) ବର୍ତ୍ତମାନ ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ରହିଥିବାବେଳେ ଜିଲାପାଳ ଭି.କୀର୍ତ୍ତିଭାସନ ନିଜେ ସେମାନଙ୍କ ଚିକିତ୍ସାର ତଦାରଖ କରିବାରେ ଲାଗିଛନ୍ତି। ଏପରିକି ସେମାନଙ୍କ ଶରୀରରେ ପୋଡ଼ି ଯାଇଥିବା ସ୍ଥାନକୁ ପ୍ଲାଷ୍ଟି ସର୍ଜରି କରାଯିବା ନେଇ ମଧ୍ୟ ଜିଲାପାଳ ଗୁରୁତ୍ୱ ଦେଇଥିବାର ନେଇ ତହସିଲଦାର କହିଛନ୍ତି।
ସୂଚନାଯୋଗ୍ୟ, ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଟ୍ରାକ୍ଟର ଉପରେ ଗଣେଶ ଭର୍ତ୍ତି ସମେତ ଜେନେରେଟର ସହ ପେଟ୍ରୋଲ ଜାର୍‌ ରଖାଯାଇଥିବାବେଳେ ଶିଶୁମାନେ ମଧ୍ୟ ସେହି ନିକଟରେ ଥିଲେ। ଜେନେରେଟର ଅତ୍ୟଧିକ ଗରମରେ ହଠାତ୍‌ ପେଟ୍ରୋଲ ଜାର୍‌କୁ ନିଆଁ ଲାଗିଯାଇଥିଲା। ଯାହାଦ୍ୱାରା ପାଖରେ ଥିବା ଶିଶୁମାନେ ପୋଡ଼ି ଆହତ ହେଇଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।