ଗାନ୍ଧୀ ମାର୍ଗରେ ନବୀନଙ୍କ ରଣହୁଙ୍କାର
ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ନବୀନଙ୍କ ରଣହୁଙ୍କାର । ଓଡ଼ିଶା ବିରୋଧୀ MMDR ସଂଶୋଧିତ ଆଇନକୁ ତୀବ୍ର ବିରୋଧ । ଏହି କଳା ଆଇନ ପାରିତ ହେବା ପ୍ରଥମ ଦିନରୁ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବିରୋଧ କରିଥିଲେ । ଆଜି ରାଜରାସ୍ତାରେ ଏହା ବିରୋଧରେ ଜନସଚେତନତା ସୃଷ୍ଟି କରିଛନ୍ତି ନବୀନ । କହିଛନ୍ତି, ସାଢେ ଚାରି କୋଟି ଓଡିଆଙ୍କ ପାଇଁ ବିଜେଡି ଏକାଠି ହୋଇ ଲଢେଇ କରୁଛି । ଜେନ-ଜିଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ବିଜେଡି ଲଢେଇ କରୁଛି । ଓଡିଶାର ଅଧିକାର ପାଇଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢିବେ ବୋଲି ଗର୍ଜନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଲୋୟର ପିଏମଜିରେ ବିଜେଡିର ଏମଏମଡିଆର ଲଢେଇରେ ସାମିଲ ହୋଇ ସେ କହିଛନ୍ତି MMDR ସଂଶୋଧନ ବିଲ ଏକ ସାଧାରଣ ବିଲ ନୁହେଁ । ରାଜ୍ୟର ଅଧିକାର ସହ ଏ ବିଲ ଜଡିତ। ଓଡିଶାର ଖଣି, ଓଡିଶାର ଜମି ଉପରେ ଓଡିଶାବାସୀ ହେଉଛନ୍ତି ମାଲିକ। ଦୁଃଖର କଥା ବିନା ଆଲୋଚନାରେ ଏ ଭଳି ଗୁରୁତ୍ବପୂର୍ଣ୍ଣ ବିଲ ପାର୍ଲିଆମେଣ୍ଟରେ ପାସ ହୋଇଗଲା। ଆଉ ଆମର କୋଡିଏ ବିଜେପି ସାଂସଦ ଚୁପ ରହିଲେ । ଓଡିଶା ସରକାର ବି ଚୁପ ରହିଲେ । ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ସହ ଆଇନକୁ ବିରୋଧ କରି ସଂକଳ୍ପ ପାଇଁ ଚିଠି ଲେଖିଲେ ହେଲେ ସରକାରଙ୍କ କୌଣସି ଉତ୍ତର ରଖିଲେନି । ନାହିଁ ନାହିଁର ଏ ସରକାର କେବଳ ବାକ୍ୟବୀର । ଓଡିଶା ହଜାର ହଜାର କୋଟି ଟଙ୍କା କ୍ଷତି ପ୍ରତିବର୍ଷ ସହିବ। ଓଡିଶାର ସ୍ୱାର୍ଥ ପାଇଁ ସରକାର ନିରବ କାହିଁକି ? ସବୁ ଦଳଙ୍କୁ ଅନୁରୋଧ କରି କହିଛନ୍ତି, ଏ ଲଢେଇରେ ସାମିଲ ହୁଅନ୍ତୁ । ସଂକଳ୍ପ କରି ଏମଏମଡିଆର ସଂଶୋଧିତ ଆଇନକୁ ଓଡିଶାରେ କାର୍ଯ୍ୟକାରୀ କରାଇ ଦେବା ନାହିଁ । ଆମେ ଲଢ଼ିବା ଆମ ହକ ଫେରାଇ ଆଣିବା ବୋଲି ନବୀନ ଆହ୍ବାନ ଦେଇଛନ୍ତି ।
ସେପଟେ ବିଜେଡିର MMDR ଆଇନ ବିରୋଧୀ ଆନ୍ଦୋଳନରେ ଜନନୀ ଜନ୍ମଭୂମିଷ୍ୟ କହି ଅଭିଭାଷଣ ଆରମ୍ଭ କରିଥିଲେ ବରିଷ୍ଠ ବିଜେଡି ନେତ୍ରୀ ସୁଜାତା ରାଉତ । ଅତି ପ୍ରାଞ୍ଜଳ ଭାବେ ସେ ପୁଣି ଏହି ଆଇନର ଓଡ଼ିଶା ବିରୋଧୀ ଦିଗକୁ ପ୍ରତିପାଦନ କରିଛନ୍ତି । ବିଜେପି ନେତା ମାଆ, ମାଟି ଓ ମାତୃଭୂମି ପ୍ରତି ଅନ୍ୟାୟ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସୁପ୍ରିମକୋର୍ଟ ଓଡ଼ିଶା ସପକ୍ଷରେ ଯେଉଁ ନିଷ୍ପତ୍ତି ଦେଇଥିଲେ ତାଦ୍ବାରା ଏକ ଲକ୍ଷ କୋଟି ଆଦାୟ ହୋଇଥାନ୍ତା । ଓଡ଼ିଶା ଋଣମୁକ୍ତ ହୋଇ ରୋଜଗାର ମିଳିଥାନ୍ତା, ପେନସନ ମିଳି ଥାନ୍ତା, ପେନସନ ହାର ବୃଦ୍ଧି ହୋଇ ପାରିଥାନ୍ତା । ଓଡ଼ିଶା ଚାଷୀଙ୍କୁ ଲାଭ ମିଳିଥାନ୍ତା । ଚାଷୀ ଋଣମୁକ୍ତ, ଜଳ ସେଚନ ପ୍ରକଳ୍ପ, ଅନ୍ତର୍ଜାତୀୟ ସ୍ତରର ସ୍କୁଲ, ମଧ୍ୟାହ୍ନ ସହ ପ୍ରାତଃଭୋଜନ, ମେଟ୍ରୋ ହୋଇ ପାରିଥାନ୍ତା । ସମସ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଥାନ୍ତେ । ବର୍ଷ ବର୍ଷ ଧରି ଏକ ନମ୍ବର ରାଜ୍ୟ ହୋଇ ପାରିଥାନ୍ତା ଓଡ଼ିଶା । କଣ ପାଇଁ ବିଜେପି ଓଡ଼ିଶାରୁ ଲକ୍ଷ୍ମୀଙ୍କୁ ଫେରାଇଦେଲେ ? ଏହାର ଜବାବ ମାଗିଛନ୍ତି ସୁଜାତା । ଏ ମୁରବୀଙ୍କୁ କି ଦଣ୍ଡ ଦିଆଯିବ ? ବିଜେପି ସାଂସଦ କହୁଛନ୍ତି ଖଣି ରାଜସ୍ୱ ଯଥେଷ୍ଟ ଆସୁଛି ଯାହାକି ମିଛ କଥା । ବିଜେପିର ରିମୋଟ କଣ୍ଟ୍ରୋଲ ଦିଲ୍ଲୀରେ ଅଛି ଏହା ପ୍ରମାଣ ହୋଇଗଲା । ବିଜେଡି ଏକ ମାତ୍ର ଦଳ ଯାହାର ରିମୋଟ କଣ୍ଟ୍ରୋଲ ଓଡ଼ିଶାବାସୀଙ୍କ ପାଖରେ ଅଛି । ଯେ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାର ନ ମିଳିବ ବିଜେଡି ଏହି ଲଢେଇ ଜାରି ରଖିବ । ସେପଟେ ସଂସଦରେ ବିନା ଆଲୋଚନାରେ ଆଇନ ପାରିତ ହୋଇଥିବାରୁ ବିଜେଡି ସଂସଦୀୟ ଦଳ ନେତା ମାନସ ରଞ୍ଜନ ମଙ୍ଗରାଜ ଆପତ୍ତି ଉଠାଇଛନ୍ତି । ଆଜି ବିଜେପି ନେତା ଖଣି ମାଲିକଙ୍କ ସ୍ୱର ସହ ସ୍ୱର ମିଳାଉଥିବାରୁ ସେ ଉଦବେଗ ପ୍ରକାଶ କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।