ଗୁଡ଼ାରି ସ୍ନାତକ ମହାବିଦ୍ୟାଳୟର ଛାତ୍ର ସଂସଦ ନେତା ନେଲେ ଶପଥ, ସଭାପତି କହିଲେ ଯାହାକିଛି…
ଗୁଡ଼ାରି,୧୬ା୧୦(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଗୁରୁବାରଠାରୁ ଘୋଷଣା ହୋଇଛି। ଏହି ମହାବିଦ୍ୟାଳୟରେ ଛାତ୍ର ସଂସଦର ମୋଟ୍ ୭ଟି ପଦବୀ ନିମନ୍ତେ ଇଲେକ୍ସନ ବଦଳରେ ପ୍ରାର୍ଥିପତ୍ର ଦାଖଲ ଦିନ ସିଲେକ୍ସନ କରାଯାଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷ ଅମୂଲ୍ୟ କୃଷ୍ଣ ପ୍ରଧାନ ଏବଂ ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା ନିର୍ବାଚନ ଅଧିକାରୀ ସୁରେଶ ମହାଙ୍କୁଡଙ୍କ ଉପସ୍ଥିତିରେ ଶୁକ୍ରବାର କଲେଜ ପରିସରରେ ଛାତ୍ରୀଛାତ୍ରଙ୍କ ଗହଣରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ନିର୍ବାଚିତ ନେତ୍ରୀ ଓ ନେତା ଶପଥ ଗ୍ରହଣ କରିଥିଲେ। ଶପଥ ଗ୍ରହଣ କଲା ପରେ ଛାତ୍ର ସଂସଦ ସଭାପତି କାହ୍ନା ମହାନନ୍ଦିଆ କହିଛନ୍ତି, ଆମ କଲେଜର ଅନେକଗୁଡ଼ିଏ ସମସ୍ୟା ରହିଛି ସେଗୁଡ଼ିକର କିପରି ସ୍ଥାୟୀ ସମାଧାନ ହୋଇ ପାରିବ ସେ ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ଏବଂ ଛାତ୍ରୀଛାତ୍ରଙ୍କ ସମସ୍ତ ପ୍ରକାର ସୁଖ ଦୁଃଖରେ ଛିଡ଼ା ହେବି। ସଭାପତିଙ୍କ ସମେତ ଉପସଭାପତି ଅଭିରାମ ଶବର, ସାଧାରଣ ସମ୍ପାଦକ ଜିତେନ୍ଦ୍ର ମାମ୍ବାଲାକା, ସହସମ୍ପାଦକ ରିବିକା ଜାଗରାଙ୍ଗା, କଲ୍ଚୁରାଲ ସମ୍ପାଦିକା ତୃପ୍ତିମୟୀ ପାଢ଼ୀ, ଡ୍ରାମାଟିକ୍ ସମ୍ପାଦିକା ଛାତ୍ରୀ ଲକ୍ଷ୍ମୀପ୍ରିୟା ଦେଓ ଏବଂ ଆଥଲେଟିକ୍ ସମ୍ପାଦକ ରଞ୍ଜନ ମହାନ୍ତି ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ଶପଥ ଗ୍ରହଣ କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।