ଗୁରୁଙ୍କୁ ସମ୍ମାନ, ଶିକ୍ଷକଙ୍କୁ ସମ୍ବର୍ଦ୍ଧନା; ଭଞ୍ଜନଗର ବିଧାୟକ କହିଲେ…

Sep 06, 2026 - 20:38
ଗୁରୁଙ୍କୁ ସମ୍ମାନ, ଶିକ୍ଷକଙ୍କୁ ସମ୍ବର୍ଦ୍ଧନା; ଭଞ୍ଜନଗର ବିଧାୟକ କହିଲେ…

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ରବିବାର ସନ୍ଧ୍ୟାରେ ‘ଗୁରୁ ପୂଜନ ସହ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ବେଲେଶ୍ୱର କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁରୁଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ଜଣାଇବା ସହ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁ ଶିଷ୍ୟ ପରମ୍ପରା ଉପରେ କହିଥିଲେ। ଏଥିସହ ରାଜ୍ୟ ସରକାର ଶିକ୍ଷକ ମାନଙ୍କ ଉନ୍ନତି ପାଇଁ ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି ବୋଲି ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ଲୋପାମୁଦ୍ରା ରଥ, ଶିକ୍ଷକ ନେତା ସରୋଜ କୁମାର ଶତପଥି, ଜଗବନ୍ଧୁ ଜେନା, ଭାଜପା ନେତା
ଧୋବା ଗୌଡ଼, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଗୌଡ଼, ସଚିଦାନନ୍ଦ ତ୍ରିପାଠୀ, ବିଜୟ କୁମାର, ଓଷ୍ଠା ସଭାପତି ଦିଲ୍ଲୀପ କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଯୋଗଦେଇ ଗୁରୁ ଦିବସର ମହତ୍ତ୍ୱ ଉପରେ ମତବ୍ୟକ୍ତ କରିଥିଲେ।

ଏଥିସହ ବକ୍ତାମାନେ କହିଥିଲେ ଯେ, ଶିକ୍ଷକମାନେ କେବଳ ଶିକ୍ଷା ପ୍ରଦାନ କରନ୍ତି ନାହିଁ, ଛାତ୍ରୀଛାତ୍ରଙ୍କ ଚରିତ୍ର ଗଠନ ସହ ସେମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଅନ୍ତି । ଗୁରୁଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ପ୍ରକାଶ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେମାନେ ମତ ଦେଇଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ବହୁ ସଂଖ୍ୟକ ଶିକ୍ଷା ପ୍ରେମୀ ଯୋଗଦେଇଥିଲେ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।