ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

Sep 11, 2026 - 15:35
ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ ସୁପରନୋଭାର ତଥ୍ୟକୁ ପୁନର୍ୱାର ବିଶ୍ଳେଷଣ କରାଯାଇଛି। ଗବେଷକମାନଙ୍କ କହିବା ଅନୁଯାୟୀ, ଏହି ତଥ୍ୟଗୁଡ଼ିକୁ ତାରାମାନଙ୍କ ବୟସ ସମ୍ପର୍କିତ ପ୍ରଭାବ ସହିତ ଯୋଡ଼ି ଦେଖିବା ପରେ ବ୍ରହ୍ମାଣ୍ଡ ଦ୍ରୁତ ଗତିରେ ପ୍ରସାରିତ ହେଉଥିବାର ଦାବି ଆଉ ସେତେଟା ଦୃଢ଼ ମନେହେଉ ନାହିଁ। ବରଂ ସେମାନଙ୍କ ବିଶ୍ଳେଷଣରୁ ବ୍ରହ୍ମାଣ୍ଡର ପ୍ରସାରଣ ଗତି ଧୀମା ହେବାର ସଙ୍କେତ ମିଳିଛି। ତଥାପି, ସମସ୍ତ ବୈଜ୍ଞାନିକ ଏହି ନିଷ୍କର୍ଷ ସହ ଏକମତ ନୁହନ୍ତି ଏବଂ ଅନ୍ୟ କେତେକ ଗବେଷଣା ଏବେ ମଧ୍ୟ ବ୍ରହ୍ମାଣ୍ଡ ଦ୍ରୁତ ଗତିରେ ପ୍ରସାରିତ ହେଉଥିବା ମତକୁ ସମର୍ଥନ କରୁଛି।

ଏହି ଅଧ୍ୟୟନ ଟାଟା ଇନଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ (TIFR), ମୁମ୍ୱାଇର ଅନିମେଶ ସାହ ଓ ମହମ୍ମଦ ରମିଜ ଏବଂ ଅକ୍ସଫୋର୍ଡ ୟୁନିଭରସିଟିର ପ୍ରଫେସର ସୁବୀର ସରକାରଙ୍କ ସହ ଜଡ଼ିତ ଗବେଷଣା ଉପରେ ଆଧାରିତ। ଏହି ଟିମ Pantheon+ ଡାଟାସେଟରେ ଅନ୍ତର୍ଭୁକ୍ତ ୧,୭୦୦ରୁ ଅଧିକ Type Ia ସୁପରନୋଭାର ତଥ୍ୟ ଯାଞ୍ଚ କରିଛନ୍ତି। ବ୍ରହ୍ମାଣ୍ଡର ପ୍ରସାରଣ ବୁଝିବା ପାଇଁ ଦୀର୍ଘ ଦିନରୁ ଏହି ସୁପରନୋଭାଗୁଡ଼ିକୁ ବ୍ୟବହାର କରାଯାଇ ଆସୁଛି। ଗବେଷକମାନେ ଏପରି ଏକ ପ୍ରଭାବକୁ ମଧ୍ୟ ବିଶ୍ଳେଷଣରେ ସାମିଲ କରିଛନ୍ତି, ଯେଉଁଥିରେ ସୁପରନୋଭାର ଉଜ୍ଜ୍ୱଳତା ସେଗୁଡ଼ିକର ମୂଳ ତାରାମାନଙ୍କ ବୟସ ଦ୍ୱାରା ପ୍ରଭାବିତ ହୋଇପାରେ। ସେମାନଙ୍କ ମତରେ, ଯଦି ଏହି ପ୍ରଭାବକୁ ଅଣଦେଖା କରାଯାଏ, ତେବେ ବ୍ରହ୍ମାଣ୍ଡର ଦ୍ରୁତ ପ୍ରସାରଣ ନେଇ ଭୁଲ ସଙ୍କେତ ମିଳିପାରେ।

ଗବେଷକମାନେ କେବଳ ସୁପରନୋଭାର ଉଜ୍ଜ୍ୱଳତା ହିଁ ନୁହେଁ, ବରଂ କଥିତ ମହାଜାଗତିକ ତ୍ୱରଣ (Cosmic Acceleration) ବିଭିନ୍ନ ଦିଗରେ କିପରି ଦେଖାଯାଏ ତାହା ମଧ୍ୟ ପରୀକ୍ଷା କରିଛନ୍ତି। ସେମାନଙ୍କ ବିଶ୍ଳେଷଣ ଅନୁଯାୟୀ, ଏହି ପ୍ରଭାବ ମୁଖ୍ୟତଃ ସେହି ଦିଗରେ ହିଁ ଦେଖାଯାଏ ଯେଉଁ ଦିଗକୁ ଆମର ସ୍ଥାନୀୟ ଗାଲାକ୍ସି ସମୂହ (Local Group) ଗତି କରୁଛି। ଏହି ଦିଗଟି କସ୍ମିକ ମାଇକ୍ରୋୱେଭ ବ୍ୟାକଗ୍ରାଉଣ୍ଡ (CMB)ରେ ଥିବା ଏକ ହଟସ୍ପଟ ସହିତ ଜଡ଼ିତ ଏବଂ ଦୂରତା ବଢ଼ିବା ସହିତ ଏହି ପ୍ରଭାବ କମିଯାଇଥାଏ। ଗବେଷକଙ୍କ ଯୁକ୍ତି ଅନୁଯାୟୀ, ଯଦି ଏହି ପ୍ରଭାବ ଦିଗ-ର୍ନିଦ୍ଦିଷ୍ଟ (directional), ତେବେ ଏହାକୁ ଡାର୍କ ଏନର୍ଜି ଦ୍ୱାରା ବୁଝାଇବା କଷ୍ଟକର ହେବ; କାରଣ ଡାର୍କ ଏନର୍ଜିର ମାନକ ମଡେଲରେ କୌଣସି ର୍ନିଦ୍ଦିଷ୍ଟ ଦିଗ ସହ ଜଡ଼ିତ ପ୍ରଭାବ ଆଶା କରାଯାଏ ନାହିଁ।

ଅବଶ୍ୟ, ଏହାର ଅର୍ଥ ନୁହେଁ ଯେ ବୈଜ୍ଞାନିକମାନେ ଡାର୍କ ଏନର୍ଜିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏହି ପ୍ରସଙ୍ଗରେ ଅନ୍ୟ ଏକ ଅଧ୍ୟୟନ, ଯେଉଁଥିରେ ଅକ୍ସଫୋର୍ଡର ପ୍ରଫେସର ମାରିଆ ଭିଞ୍ଚେଞ୍ଜି ସହ-ଲେଖିକା ଅଛନ୍ତି, ଉପଲବ୍ଧ ତଥ୍ୟ ଆଧାରରେ ଏବେ ବି ବ୍ରହ୍ମାଣ୍ଡର ଦ୍ରୁତ ପ୍ରସାରଣକୁ ସମର୍ଥନ କରୁଛି। ତେଣୁ ବର୍ତ୍ତମାନ ବୈଜ୍ଞାନିକ ମହଲରେ ଏହି ବିଷୟକୁ ନେଇ କୌଣସି ସର୍ୱସମ୍ମତ ନିଷ୍କର୍ଷ ଆସିପାରିନାହିଁ। ଆଗାମୀ ବର୍ଷଗୁଡ଼ିକରେ ରୁବିନ ଅବଜରଭେଟୋରୀ (Rubin Observatory)ର ‘ଲେଗାସି ସର୍ଭେ ଅଫ ସ୍ପେସ ଆଣ୍ଡ ଟାଇମ’ (LSST) ଏହି ବିତର୍କକୁ ଅଧିକ ସ୍ପଷ୍ଟ କରିପାରେ। ଏଥିରୁ ଲକ୍ଷାଧିକ ସୁପରନୋଭାର ତଥ୍ୟ ମିଳିବାର ଆଶା କରାଯାଉଛି। ଏତେ ବଡ଼ ଡାଟା ବୈଜ୍ଞାନିକମାନଙ୍କୁ ଯାଞ୍ଚ କରିବାରେ ସାହାଯ୍ୟ କରିବ ଯେ ବ୍ରହ୍ମାଣ୍ଡ ପ୍ରକୃତରେ ଦ୍ରୁତ ଗତିରେ ଫୁଲୁଛି, ଏହାର ପ୍ରସାରଣ ଧୀମା ହେଉଛି ନା ଦୃଶ୍ୟମାନ ପ୍ରଭାବ କେବଳ ଆମର ସ୍ଥାନୀୟ ଗତି ଏବଂ ସୁପରନୋଭା ସମ୍ପର୍କିତ ଅନ୍ୟ କାରଣ ଯୋଗୁଁ ହେଉଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।