ଗୋରୁ ଗୁହାଳରୁ ୧୫ ଫୁଟର ବଉଳା କୁମ୍ଭୀର ଉଦ୍ଧାର: ଖେଲିଗଲା ଆତଙ୍କ

Sep 23, 2026 - 14:26
ଗୋରୁ ଗୁହାଳରୁ ୧୫ ଫୁଟର ବଉଳା କୁମ୍ଭୀର ଉଦ୍ଧାର: ଖେଲିଗଲା ଆତଙ୍କ

ମହାକାଳପଡ଼ା,୨୩।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ନଦୀ-ନାଳରେ ଏବେ ମାଳ ମାଳ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳୁଛି। ନଦୀରେ ପ୍ରାକୃତିକ ଖାଦ୍ୟ ମାଛ ଓ କଙ୍କଡ଼ାର ଘୋର ଅଭାବ ଦେଖାଦେବାରୁ କୁମ୍ଭୀରଗୁଡ଼ିକ ଖାଦ୍ୟ ସନ୍ଧାନରେ ଗାଁ ଗହଳି, ଗାଡ଼ିଆ, ପୋଖରୀ ଓ ନାଳ ଦେଇ ମଣିଷ ବସତି ଆଡ଼କୁ ମୁହାଁଉଛନ୍ତି। ଏହାଯୋଗୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ମହାକାଳପଡ଼ା ବ୍ଲକ ଅଧୀନ ଗୋବରୀ ନଦୀ ପାର୍ଶସ୍ଥ ବଗଗହଣ ଗ୍ରାମରେ ବିଳମ୍ବିତ ରାତିରେ ଏକ ୧୫ ଫୁଟ ଲମ୍ବର ବଉଳା କୁମ୍ଭୀର ଗୋରୁ ଶିକାର କରିବା ଲକ୍ଷ୍ୟରେ ଜଣଙ୍କ ଗୁହାଳ ଘରେ ପ୍ରବେଶ କରିଥିଲା। ସକାଳୁ ଗ୍ରାମବାସୀଙ୍କୁ ଦେଖି କୁମ୍ଭୀରଟି ନିକଟସ୍ଥ ପୋଖରୀକୁ ଖସି ପଳାଇଥିଲା। ଘଟଣା ସମ୍ପର୍କରେ ପରିବାର ଲୋକେ ଗ୍ରାମବାସୀଙ୍କୁ ଜଣାଇବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା।

ଖବର ପାଇ ବନ ବିଭାଗ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଜାଲ ପକାଇ କୁମ୍ଭୀରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର କୁମ୍ଭୀରକୁ ଭିତରକନିକା ସଂରକ୍ଷିତ ନାଳରେ ଛାଡ଼ି ଦିଆଯିବ ବୋଲି ମହାକାଳପଡ଼ା ରେଞ୍ଜ ଅଧିକାରୀ ଶାନ୍ତନୁ କୁମାର ଦଳାଇ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।