ଗ୍ରୀନ୍ବାଡ଼ିକୁ ଗଡୁନି ମୁଖ୍ୟମନ୍ତ୍ରୀ ବସ୍, ଚଳାଚଳ ପାଇଁ ଦାବି କରି ଅଞ୍ଚଳବାସୀ…
ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ): ଗତ ସରକାରରେ ଲୋକଙ୍କ ଯାତାୟାତର ସୁବିଧା ପାଇଁ ପଞ୍ଚାୟତ ମୁଖ୍ୟାଳୟରୁ ବ୍ଲକ ମୁଖ୍ୟାଳୟକୁ ସଂଯୋଗ ତଥା ଯାତାୟାତ ପାଇଁ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ ହୋଇଥିଲା। ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ପଞ୍ଚାୟତକୁ ଏହି ବସ୍ ସେବା ମିଳୁଛି କିନ୍ତୁ ଦାରିଙ୍ଗବାଡ଼ି ବ୍ଲକର ଗ୍ରୀନବାଡ଼ି ପଞ୍ଚାୟତ ଦେଇ ଆଗକୁ ପର୍ତ୍ତମାହା ପଞ୍ଚାୟତକୁ ଏହି ସେବା ଉପଲବ୍ଧ ରହିଥିବା ବେଳେ ଗ୍ରୀନବାଡ଼ି ପଞ୍ଚାୟତର ଏକାଧିକ ଗାଁ ଏହି ବସ୍ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଏହି ଯୋଜନା ଆରମ୍ଭରୁ ଗ୍ରୀନବାଡ଼ି ପଞ୍ଚାୟତର ତଗାପାଙ୍ଗା ଗ୍ରାମ ସମେତ ସାଙ୍ଗୁଡ଼ିମାହାକୁତୁବାଡ଼ି, ଜିଡ଼ିଙ୍ଗିମାଲା, ଡଙ୍ଗାମାଲା, ମିଡ଼ିଆଗୁଟା, ସିଙ୍ଗେରିପାଦେରୀ, କିଲାବାଡ଼ି ଗ୍ରାମକୁ ଏହି ବସ୍ସେବା ମିଳୁନାହିଁ। ଯଦିବି ଦାରିଙ୍ଗବାଡ଼ିରୁ ୨ଟି ବସ୍ ଗ୍ରୀନବାଡ଼ି ଦେଇ ସେ ଗୋଟିଏ ରାସ୍ତାରେ ପର୍ତ୍ତମାହା ଓ ବୁଡ଼ାଗୁଡ଼ା ଯାତାୟାତ କରୁଛି ସେଥିମଧ୍ୟରୁ ଗୋଟିଏ ବସ୍କୁ ତଗାପାଙ୍ଗା, କୁତୁବାଡି ଆଦି ଦୁର୍ଗମ ଗ୍ରାମଡେଇ ପର୍ତ୍ତମାହା ଚଳାଚଳ କଲେ ଗ୍ରାମବାସୀଙ୍କ ସମେତ ବିଦ୍ୟାର୍ଥୀମାନେ ନିଜ ବିଦ୍ୟାଳୟ, ମହାବିଦ୍ୟାଳୟକୁ ଯାତାୟାତ କରିପାରିବେ ବୋଲି ଗ୍ରୀନବାଡ଼ିର ଯୁବ ସମାଜସେବୀ ଅକ୍ଷୟ ପରିଛାଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି।
ସେ ଦାବି କରିଛନ୍ତି ଯେ, ଉକ୍ତ ପଞ୍ଚାୟତର ପ୍ରାୟ ୨୦ରୁ ୨୨ଟି ଗ୍ରାମ ରହିଥିବା ବେଳେ ଯାତାୟାତ ସୁବିଧାର ଅଭାବ ଯୋଗୁ ଅଞ୍ଚଳବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିଛି ହାତ ଗଣତି ଗ୍ରାମ ମୁଖ୍ୟମନ୍ତ୍ରୀ ବସ୍ ସେବାର ଫାଇଦା ନେଉଥିବା ବେକେ ଅନ୍ୟ ଗ୍ରାମବାସୀ ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛନ୍ତି ବୋଲି ଅଭିଯୋଗ ହୋଇଛ। ଅଞ୍ଚଳବାସୀ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ ଜଣାଇ କହିଛନ୍ତି ଯେ, ଦୁଃଖର ବିଷୟ ଆଜିର ଆଧୁନିକ ଯୁଗରେ ମଧ୍ୟ ଆମ ଅଞ୍ଚଳର ଅନେକ ଛାତ୍ରୀଛାତ୍ର ସ୍କୁଲ, କଲେଜ ଯିବା ପାଇଁ ଚାଲିଚାଲି ଦାରିଙ୍ଗବାଡ଼ି ଆସୁଛନ୍ତି। ବୃଦ୍ଧ ବାପା, ମାଆମାନେ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଏବଂ ସାଧାରଣ ଲୋକ ରାଶନ ସାମଗ୍ରୀ ନେବା ପାଇଁ ଯାତାୟାତରେ ଅନେକ ଅସୁବିଧା ଭୋଗୁଛନ୍ତି। ଏହି ସମସ୍ୟା କେବଳ ଜଣେ ବ୍ୟକ୍ତିଙ୍କର ନୁହେଁ, ଏହା ହେଉଛି ଅନେକ ଗ୍ରାମର ଜନସାଧାରଣଙ୍କ ଦୈନନ୍ଦିନ ଜୀବନ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା। ବିକାଶର ଅଧିକାର ସମସ୍ତଙ୍କର ତେଣୁ ଯାତାୟାତର ସୁବିଧା ମଧ୍ୟ ସମସ୍ତଙ୍କୁ ମିଳୁ ବୋଲି ଦାବି ଜଣାଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।