କୁକୁର ଖାଦ୍ୟ ପ୍ୟାକେଟ୍ରୁ ୧.୮୫କୋଟି ବିଦେଶୀ ଗଞ୍ଜେଇ ଜବତ
ଭୁବନେଶ୍ୱର,୧୮।୧୦(ତ୍ରିନାଥ ମହାନ୍ତି): ବିଜୁପଟ୍ଟନାୟକ ବିମାନ ବନ୍ଦରକୁ ନିଶା ଚାଲାଣକାରୀମାନେ ଏକ ସୁରକ୍ଷିତ ଗଳାବାଟ ବାଛି ନେଇଛନ୍ତି। ଶନିବାର ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇଥିବା ୪ଜଣ ଯାତ୍ରୀଙ୍କ ବ୍ୟାଗ୍ରୁ ୫.୨୯୧ କେଜିର ହାଇଡ୍ରୋପୋନିକ୍ ଗଞ୍ଜେଇ କଷ୍ଟମ ଏବଂ ଡିଆର୍ଆଇ ବିଭାଗ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧.୮୫କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଘଟଣାରେ ୪ଜଣ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ବିମାନରେ ବ୍ୟାଙ୍କ୍କରୁ ଅଭିଯୁକ୍ତମାନେ ଭୁବନେଶ୍ୱର ଆସିଥିଲେ। କଷ୍ଟମ ଓ ଡିଆର୍ଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ୟାଙ୍କକରୁ ଉଡ଼ାଣ ଭରିଥିବା ଏକ ବିମାନ ସକାଳ ସମୟରେ ଭୁବନେଶର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା। ପୂର୍ୱରୁ ସୂଚନାପାଇ କଷ୍ଟମ୍ ଓ ଡିଆର୍ଆଇର ମିଳିତ ଟିମ୍ ଯାତ୍ରୀମାନଙ୍କୁ ସନ୍ଦେହ କରି ଯାଞ୍ଚ କରିଥିଲେ। ସମସ୍ତଙ୍କ ଲଗେଜ ବ୍ୟାଗ୍ ସ୍କାନ କରାଯିବା ସହ ସନ୍ଧାନୀ କୁକୁରର ମଧ୍ୟ ସାହାଯ୍ୟ ନିଆଯାଇଥିଲା। ଡଗ୍ ଫୁଡ୍ ପ୍ୟାକେଟ ବା କୁକୁର ଖାଦ୍ୟ ପ୍ୟାକେଟରେ କୌଶଳର ସହ ମାରିଜୁଆନା ଭର୍ତ୍ତି କରାଯାଇଥିଲା। ସନ୍ଧାନୀ କୁକୁର ଡଗ୍ ଫୁଡ୍କୁ ଶୁଙ୍ଘିବା ପରେ ସବୁ ଧରାପଡ଼ିଯାଇଥିଲା।
ଏହି ଗୋଟିଏ ଘଟଣା ନୁହେଁ। ପୂର୍ୱରୁ ଅନେକ ଥର ଏଭଳି ଚାଲାଣ ଧରାପଡିଛି। ଗତ ଜୁଲାଇ ଦିତୀୟ ଜୁଲାଇ ୮ରେ ୧୧ କେଜିର ମାରିଜୁଆନା ଜବତ କରାଯାଇଥିଲା। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେହିପରି ମେ ୧୨ରେ ବିମାନବନ୍ଦରରୁ ୧୧ କେଜିର ମାରିଜୁଆନା ଜବତ ହୋଇଥିଲା। ତାମିଲନାଡୁର ୨ ଯାତ୍ରୀଙ୍କୁ ଡିଆର୍ଆଇ ପକ୍ଷରୁ ଗିରଫ କରାଯାଇଥିଲା। ସେହିପରି ଗତ ମାର୍ଚ୍ଚ ୨୫ରେ ବିମାନବନ୍ଦରରୁ ୫କେଜି ମାରିଜୁଆନା ଜବତ ହୋଇଥିଲା। ବ୍ୟାଙ୍କ୍କରୁ ଭୁବନେଶ୍ୱରକୁ ଆସୁଥିବା ତାମିଲନାଡୁର ଦୁଇ ଯାତ୍ରୀଙ୍କ ପାଖରୁ ଏହି ମାରିଜୁଆନା ଜବତ କରାଯାଇଥିଲା। ଜାନୁଆରୀ ୪ରେ ଡିଆରଆଇ ଟିମ ୮ କେଜି ମାରିଜୁଆନା ଜବତ କରିଥିଲା। ଏହି ଘଟଣାରେ ମୁମ୍ୱାଇର ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା। ସେହିପରି ୨୦୨୫ ଡିସେମ୍ୱର ୩୦ରେ ଡିଆର୍ଆଇ ଟିମ ୪ କେଜି ମାରିଜୁଆନା ଜବତ କରିଥିଲା। ଉକ୍ତ ମାମଲାରେ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।