ଘଟଣାର ୨୩ ବର୍ଷ ପରେ ଜଣେ ବ୍ୟକ୍ତିଙ୍କୁ ହାଇକୋର୍ଟରୁ ନ୍ୟାୟ ମିଳିଛି

Aug 20, 2026 - 17:36

କଟକ: ଘଟଣାର ୨୩ ବର୍ଷ ପରେ ଜଣେ ବ୍ୟକ୍ତିଙ୍କୁ ହାଇକୋର୍ଟରୁ ନ୍ୟାୟ ମିଳିଛି। ଘରେ ପଶି ଚୋରି କରିବା ଘଟଣାରେ କଟକ ଜେଏମଏଫସି ୨୦୧୩, ଜୁଲାଇ ୩୦ରେ ପ୍ରଦାନ କରିଥିବା ଦଣ୍ଡାଦେଶ ବିରୋଧରେ ଦାୟର ଅପିଲକୁ ଆବେଦନକାରୀଙ୍କ ଅନୁପସ୍ଥିତିରେ ଦୌରା ଅଦାଲତ ଖାରଜ କରିବା ପ୍ରସଂଗକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଦୋଷୀ ବ୍ୟକ୍ତିଙ୍କ ଅପିଲକୁ ଆଇନଜୀବୀ ବା ଆବେଦନକାରୀଙ୍କ ଅନୁପସ୍ଥିତି (ନନ୍‌-ପ୍ରସିକ୍ୟୁସନ)ରେ ଖାରଜ କରିବାକୁ ଆଇନ ଅନୁମତି ଦିଏ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏହା ଅପିଲ୍ ପ୍ରକ୍ରିୟାକୁ ପ୍ରହସନରେ ପରିଣତ କରିଥାଏ। ତଥ୍ୟ ପ୍ରମାଣ ଆଧାରରେ ଅପିଲ ଉପ‌ରେ ନିଷ୍ପତ୍ତି ନିଆଯିବା ଉଚିତ। ନ୍ୟାୟକୁ ଆଇନ କାନୁନର ବୈଷୟିକ ଔପଚାରିକତାରେ ସମାଧି ଦିଆଯାଇ ପାରିବ ନାହିଁ। ଯଦି ମାମଲା ପରିଚଳାନା କରୁଥିବା ଆଇନଜୀବୀ ଅପିଲ ଶୁଣାଣି ବେଳେ ଅନୁପସ୍ଥିତ ରୁହନ୍ତି ତେବେ ଅଦାଲତ ଆମିକସକ୍ୟୁରିଙ୍କୁ ନିଯୁକ୍ତି ଦେଇ ତଥ୍ୟ ପ୍ରମାଣ ଆଧାରରେ ନିର୍ଣ୍ଣୟ କରି ପାରିବେ ବୋଲି କହିବା ସହିତ ଜେଏମଏଫସି ଅଦାଲତଙ୍କ ଦଣ୍ଡାଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ବସନ୍ତ କୁମାର ପାଲଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଘରେ ପଶି ଚୋରି ନେଇ ଅଭିଯୋଗ
ମାମଲାର ବିବରଣୀରୁ ପ୍ରକାଶ ଯେ ଘରେ ପଶି ଚୋରି ଅଭିଯୋଗ ନେଇ ମଙ୍ଗଳାବାଗ ଥାନାରେ ୨୦୦୩, ଅକ୍ଟୋବର ୩୧ରେ ଆବେଦନକାରୀ ଅଭିଯୁକ୍ତ ଥିଲେ। ଜେଏମଏଫସି ଅଦାଲତ ମାମଲାର ୨୦୧୩, ଜୁଲାଇ ୩୦ରେ ଶୁଣାଣି କରି ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ଏକ ବର୍ଷ ଜେଲ ଓ ୨ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଥିଲେ। ଏହି ଦଣ୍ଡାଦେଶ ବିରୋଧରେ ଆବେଦନକାରୀ ଦାୟର କରିଥିବା ଅପିଲକୁ କଟକ ଦୌରା ଅଦାଲତ ୨୦୧୪, ମାର୍ଚ୍ଚ ୧୮ରେ ଖାରଜ କରିଥିଲେ। ଏପରି ନିର୍ଦ୍ଦେଶ ବିରୋଧରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।