ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ
ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ଫାଇନାଲରେ ଜାପାନର ୟୁରି ନକାଜାତୋଙ୍କ ବିପକ୍ଷରେ କଡ଼ା ସଂଘର୍ଷ ପରେ ନିତେଶଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲେ ମଧ୍ୟ ତାଙ୍କ ରୌପ୍ୟ ପଦକ ଭାରତୀୟ କୁସ୍ତି ଇତିହାସରେ ଏକ ବଡ଼ ଅଧ୍ୟାୟ ଯୋଡ଼ିଛି।
୧୯୬୨ ମସିହାର ଜାକର୍ତ୍ତା ଏସିଆନ ଗେମ୍ସ ପରେ ଗ୍ରୀକୋ-ରୋମାନ କୁସ୍ତିର ଏହି ବର୍ଗରେ ଭାରତର କୌଣସି ଖେଳାଳି ଫାଇନାଲରେ ପହଞ୍ଚିପାରି ନ ଥିଲେ। ଦୀର୍ଘ ୬୪ ବର୍ଷ ପରେ ନିତେଶ ସିୱାଚ ଏହି ଧାରାକୁ ଭାଙ୍ଗିଛନ୍ତି। ୧୯୬୨ ଏସିଆଡ୍ରେ ଭାରତର ମହାନ କୁସ୍ତିଯୋଦ୍ଧା ଗଣପତ ଅନ୍ଦଲକର ଏହି ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ। ନିତେଶଙ୍କ ଏସିଆନ ଗେମ୍ସ ଅଭିଯାନ ଆରମ୍ଭରୁ ହିଁ ଦମଦାର ରହିଥିଲା। କ୍ୱାର୍ଟର ଫାଇନାଲରେ ସେ ତୁର୍କମେନିସ୍ତାନର ଅମାନବର୍ଦି ଆଗାମମେଦୋଭଙ୍କୁ ୭-୧ରେ ପରାସ୍ତ କରିଥିଲେ।
୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍
ଏହାପରେ ସେମିଫାଇନାଲରେ ମଙ୍ଗୋଲିଆର ଗନ୍ଖୁୟାଗ ଗନବାତାରଙ୍କ ବିପକ୍ଷରେ ଆହୁରି ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ମ୍ୟାଚ୍ର ପ୍ରଥମ ତିନି ମିନିଟ ମଧ୍ୟରେ ୯-୦ରେ ବିଜୟ ହାସଲ କରି ନିତେଶ ଫାଇନାଲରେ ସ୍ଥାନ ପକ୍କା କରିଥିଲେ। ଏହା ସହ ୧୯୬୨ ପରେ ଏହି ବର୍ଗରେ ଏସିଆନ ଗେମ୍ସ ଫାଇନାଲରେ ପହଞ୍ଚିଥିବା ପ୍ରଥମ ଭାରତୀୟ ହୋଇଥିଲେ।
ନିତେଶ ସିୱାଚ ହରିୟାଣାର ସୋନିପତ ଜିଲାର ଜଗସୀ ଗାଁର ବାସିନ୍ଦା। ତାଙ୍କ ବାପା ଆନନ୍ଦ ସିୱାଚ ଛୋଟ ଦୁଗ୍ଧ ବା କ୍ଷୀର ବ୍ୟବସାୟ କରନ୍ତି। ଛୋଟବେଳେ ନିତେଶ କ୍ରିକେଟ ଖେଳୁଥିଲେ। ପରେ ପ୍ରତାପ ସ୍ପୋର୍ଟସ ସ୍କୁଲରେ କୋଚ ଓମ ପ୍ରକାଶ ଦହିଆଙ୍କ ନିର୍ଦ୍ଦେଶନାରେ କୁସ୍ତିରେ ପାଦ ରଖିଥିଲେ।
ତେବେ କ୍ୟାରିୟରର ପ୍ରାରମ୍ଭିକ ସମୟରେ ଗୁରୁତର ଆଣ୍ଠୁ ଆଘାତ ତାଙ୍କୁ କୁସ୍ତିଠାରୁ ଦୂରେଇ ଦେଇଥିଲା। ଏପରିକି ପରିବାରକୁ ସାହାଯ୍ୟ କରିବା ପାଇଁ ସେ ଘର ଘର ବୁଲି କ୍ଷୀର ପହଞ୍ଚାଇବା କାମ ମଧ୍ୟ କରିଥିଲେ। ହେଲେ ହାର ମାନି ନ ଥିଲେ ନିତେଶ। ଆଘାତରୁ ସୁସ୍ଥ ହେବା ପରେ ପୁଣି ମ୍ୟାଚକୁ ଫେରିଥିଲେ ଏବଂ ଆଜି ଏସିଆନ ଗେମ୍ସ ପୋଡିୟଡ୍ରେ ଦେଶର ଗୌରବ ବଢ଼ାଇଛନ୍ତି।
ନିତେଶଙ୍କ କ୍ୟାରିୟର
– ୨୦୧୯: କ୍ୟାଡେଟ ଏସିଆନ ଚାମ୍ପିଅନଶିପ ରୌପ୍ୟ
-୨୦୨୨:ଅଣ୍ଡର-୨୩ ବିଶ୍ୱ ଚାମ୍ପିଅନଶିପ ବ୍ରୋଞ୍ଜ
-୨୦୨୫:ସିନିୟର ଏସିଆନ ଚାମ୍ପିଅନଶିପ ବ୍ରୋଞ୍ଜ
-୨୦୨୬: ଏସିଆନ ଚାମ୍ପିଅନଶିପ ରୌପ୍ୟ
– ୨୦୨୬:ଏସିଆନ ଗେମ୍ସ ଐତିହାସିକ ରୌପ୍ୟ
ନିତେଶଙ୍କ ଏହି ସଫଳତା କେବଳ ଗୋଟିଏ ପଦକ ନୁହେଁ, ବରଂ ଦୀର୍ଘ ୬୪ ବର୍ଷ ପରେ ଭାରତୀୟ ଗ୍ରୀକୋ-ରୋମାନ କୁସ୍ତିର ଏକ ଐତିହାସିକ ପ୍ରତ୍ୟାବର୍ତ୍ତନ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।