ଘରେ ସ୍ତ୍ରୀକୁ ପିଟିପିଟି ହତ୍ୟା, ଘଟଣାସ୍ଥଳରୁ ସ୍ବାମୀ ଫେରାର

Sep 02, 2026 - 21:08
ଘରେ ସ୍ତ୍ରୀକୁ ପିଟିପିଟି ହତ୍ୟା, ଘଟଣାସ୍ଥଳରୁ ସ୍ବାମୀ ଫେରାର

ନୂଆଗାଁ,୨ା୯ (ଧନେଶ୍ୱର ସାହୁ): ନୟାଗଡ ଜିଲା ନୂଆଗାଁ ଥାନା ନୂଆଗାଁ ସଦର ପଂଚାୟତ କାଚପଲି ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ । ଏନେଇ ମୃତକଙ୍କ ମା’ ବୁଧବାର ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ନୟାଗଡ ଏସଡିପିଓ ନୂଅଗାଁ ଥାନା ପୋଲିସ ଓ ସାଇିଫିକ ଡିମ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ମିଳିଥିବା ସୂଚନା ମୁତାବକ କାଚପଲି ଗ୍ରାମର ଜଳନ୍ଧର ଯାନି (40) ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କର ସ୍ତ୍ରୀ, ଗୋଟେ ଝିଅ ଏବଂ ଦୁଇ ପୁଅ ରହିଛନ୍ତି । କିନ୍ତୁ ଜଳନ୍ଧରଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ପ୍ରଥମ ସ୍ତ୍ରୀ ତାଙ୍କୁ ଛାଡି ପଳାଇ ଯାଇଥିଲେ । ଏହାପରେ ଜଳନ୍ଧର ଓଡଗାଁ ଥାନା ଅଧିନ ତଥା ଗୁମୀ ପଂଚାୟତ ବରକୋଳା ଗ୍ରାମର ଦୁଃଖୀ ଡାକୁଆଙ୍କ ଝିଅ ରଜନୀ ପ୍ରଧାନଙ୍କୁ ପ୍ରେମ କରିଥିଲେ । ଯୁବତୀଙ୍କ ପରିବାରର ବିରୋଧ ସତ୍ୱେ ଜଳନ୍ଧର ରଜନୀକୁ ନେଇ ଗୋଟିଏ ବର୍ଷ ବାହାରେ ରଖିବା ପରେ ୨ ବର୍ଷ ପୂର୍ବେ ସେ ଦ୍ୱିତୀୟ ପତ୍ନୀକୁ କାଚପଲୀସ୍ଥିତ ନିଜ ଘରକୁ ଆଣି ରଖିଥିଲେ । ତେବେ ଘରେ ସ୍ବାମୀ ସ୍ତ୍ରୀ ଦୁହେଁ ରହୁିଥିବା ବେଳେ ସ୍ବାମୀ ମଦ ପିଇ ସ୍ତ୍ରୀଙ୍କୁ ସବୁବେଳେ ମାଡ ମାରୁଥିବା ନେଇ ମୃତ ରଜନୀଙ୍କ ମା’ ଦୁଖୀ ଡାକୁଆ ଅଭିଯୋଗ କରିଛନ୍ତି ।

ସୋମବାର ରାତିରେ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେଉଥିବାର ପାଟି ତୁଣ୍ଡ ଶୁଭିଥିବା କଥା ପଡିଶା ଘର ଲୋକେ କହିଛନ୍ତି । ପ୍ରତିଦିନ ରଜନୀ ବାହାରକୁ ଆସି କାମ ଦାମ କରୁଥିବା ବେଳେ ମଙ୍ଗଳବାର ସକାଳୁ ଘରର କବାଟ ବନ୍ଦ ରହିଥିବା ଏବଂ ରଜନୀଙ୍କୁ ଗାଁ ଲୋକେ ନ ଦେଖିବାରୁ ସମସ୍ତଙ୍କ ମନରେ ସନ୍ଦେହ ହୋଇଥିଲା । ତେଣୁ ଗ୍ରାମବାସୀ ରଜନୀଙ୍କ ପରିବାର ଲୋକଙ୍କୁ ଜଣାଇବାରେ ମୃତକଙ୍କ ମା’ ଦୁଖୀ ଓ ଭାଇ ନିରାକାର ବୁଧବାର ଆସି ଜଲନ୍ଧରଙ୍କ ଘର ଖୋଲିଦେଖିବାରେ ରଜନୀ ମରି ପଡିଥିବା ଦେଖିବାକୁ ପାଇଥିଲେ । ଏ ନେଇ ଦୁଃଖୀ ବୁଧବାର ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିବାରେ ନୟାଗଡ ଏସଡିପିଓ ସୃଷ୍ଟି ପ୍ରଧାନ, ନୂଆଗାଁ ଥାନା ଅଧିକାରୀ ରଶ୍ମିରଞନ ସାହୁ , ସାଇିଫିକ୍‌ ଟିମ ପହଂଚି ତଦନ୍ତ କରିଥିଲେ । ପ୍ରାଥମିକ ତଦନ୍ତରେ ମୃତ୍ୟୁର କାରଣ ଜଣା ପଡି ନ ଥିବା ବେଳେ ଶବବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୋଲିସ ପକ୍ଷରୁ କୁହା ଯାଇଛି । ତେବେ ସ୍ବାମୀ ଘଟଣାସ୍ଥଳରୁ ଫେରାର ରହିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।