ଘିଡ଼ିପାବାଲି ଉଦ୍ଧାର କାର୍ଯ୍ୟ ସାମୟିକ ସ୍ଥଗିତ: ପରମ୍ପରା ଅନୁଯାୟୀ ଶେଷକୃତ୍ୟ ପାଇଁ ପ୍ରଶାସନର ସହଯୋଗ

Nov 04, 2026 - 11:44
ଘିଡ଼ିପାବାଲି ଉଦ୍ଧାର କାର୍ଯ୍ୟ ସାମୟିକ ସ୍ଥଗିତ: ପରମ୍ପରା ଅନୁଯାୟୀ ଶେଷକୃତ୍ୟ ପାଇଁ ପ୍ରଶାସନର ସହଯୋଗ

ଭଞ୍ଜନଗର,୪।୧୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାର ଘିଡ଼ିପାବାଲି ଭୂସ୍ଖଳନ ଘଟଣାରେ ନିଖୋଜ ଲୋକଙ୍କୁ ଉଦ୍ଧାର ପାଇଁ ଚାଲିଥିବା ଅଭିଯାନକୁ ପାଣିପାଗ ଖରାପ ଥିବାରୁ ବୁଧବାର ପାଇଁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ତେବେ ଦୁଇଦିନ ଭଲ ପାଗ ରହିଲେ ପୁଣି ଥରେ ଶେଷ ପ୍ରୟାସ କରାଯିବ।
ମଙ୍ଗଳବାର ଗଞ୍ଜାମ ଜିଲାପାଳ ଓ କନ୍ଧମାଳ ଜିଲାପାଳଙ୍କ ସମେତ କନ୍ଧମାଳ ଏସ୍‌ପିଙ୍କ ନେତୃତ୍ୱରେ ଉଭୟ ଜିଲାର ପ୍ରଶାସନିକ ଅଧିକାରୀମାନେ କିଲାପଙ୍ଗାସ୍ଥିତ ରିଲିଫ କ୍ୟାମ୍ପରେ ରହୁଥିବା ଘିଡ଼ିପାବାଲିର ୯ଟି ପ୍ରଭାବିତ ପରିବାରକୁ ଭେଟିଥିଲେ। ଏହି ଦୁଃଖଦ ବିପର୍ଯ୍ୟୟକୁ ଗ୍ରହଣ କରି ପରିବାରବର୍ଗ ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି। ନିଜ ନିଜ ପରମ୍ପରା ଓ ରୀତିନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରିବାକୁ ସେମାନେ ଇଚ୍ଛା ପ୍ରକାଶ କରିଥିବାବେଳେ ପ୍ରଶାସନ ଏଥିପାଇଁ ସମସ୍ତ ସହଯୋଗ ଯୋଗାଇଦେବ ବୋଲି ଆଶ୍ୱାସନା ଦେଇଛି।

ଉଲ୍ଲେଖଯୋଗ୍ୟ ଯେ, ଉଦ୍ଧାର କାର୍ଯ୍ୟରେ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଇଛି। ଜୀବନ ସନ୍ଧାନକାରୀ ଯନ୍ତ୍ର, ସନ୍ଧାନୀ କୁକୁର, ଆଇଆଇଟି ବିଶେଷଜ୍ଞ, ଏନ୍ଡିଆର୍‌ଏଫ ଟିମ, ରେଳବାଇର ବିଶେଷଜ୍ଞ ଦଳ, ଏସ ଓ ଜି ନିୟୋଜିତ ହେବା ସହ ନିୟନ୍ତ୍ରିତ ବିସ୍ଫୋରଣ ମାଧ୍ୟମରେ ମଧ୍ୟ ଉଦ୍ଧାର ପ୍ରୟାସ କରାଯାଇଛି। ତେବେ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଘଟଣାସ୍ଥଳରେ ପ୍ରାୟ ୩୦ ଫୁଟ ଉଚ୍ଚତାର ମାଟି ଓ ପଥରର ଆବର୍ଜନା ଜମା ହୋଇ ରହିଛି। ଏହି ଅଞ୍ଚଳରେ ତିନିଟି ପର୍ଯ୍ୟାୟରେ ଭୂସ୍ଖଳନ ହୋଇଥିବାରୁ ଏହାକୁ ହଟାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।

ଅଧିକ ବିସ୍ଫୋରଣ କଲେ ପୁଣି ଭୂସ୍ଖଳନ ହେବାର ଆଶଙ୍କା ରହିଥିବାବେଳେ ଏହା ଉଦ୍ଧାରକାରୀ ଦଳର ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିପାରେ। ଏହି ଜଟିଳ ପରିସ୍ଥିତିକୁ ବିଚାରକୁ ନେଇ ପରିବାରବର୍ଗ ମଧ୍ୟ ଉଦ୍ଧାର ଅଭିଯାନର ସମାପ୍ତି ଏବଂ ଶେଷକୃତ୍ୟ ପାଇଁ ପ୍ରଶାସନର ସହଯୋଗ ଲୋଡ଼ିଛନ୍ତି।

ଅନ୍ୟପକ୍ଷରେ, ପ୍ରଭାବିତ ୯ଟି ପରିବାରଙ୍କୁ ପୁନର୍ବାର ଜୀବନ ଆରମ୍ଭ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଉଭୟ ଜିଲାର ପ୍ରଶାସନ ଆଶ୍ୱାସନା ଦେଇଛି। ପାଣିପାଗ ସୱାଭାବିକ ହେବା ପରେ ଆଉ ଥରେ ଉଦ୍ଧାର ଅଭିଯାନ କରାଯାଇ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣେ ଅଧିକାରୀ ଏଠାରେ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।