ଚଳଚଞ୍ଚଳ କ୍ୟାମ୍ପସ ସରିଲା ନାମାଙ୍କନ, ବୈଧ ପ୍ରାର୍ଥୀ ତାଲିକାକୁ ଅପେକ୍ଷା
ଖୋର୍ଦ୍ଧା,୯।୧୦(ପ୍ରଭାତ ପାଣିଗ୍ରାହୀ): ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଉଠିଛି। ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସ୍ରେ ଛାତ୍ର ସଂସଦନିବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏହି କ୍ରମରେ ଶୁକ୍ରବାର ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏବେ ସମସ୍ତଙ୍କ ନଜର ଏବେ ବୈଧ ପ୍ରାର୍ଥୀ ତାଲିକା ଉପରେ।
ଖୋର୍ଦ୍ଧା ଜିଲାର ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ସମେତ ୮ଟି ଶିକ୍ଷାନୁଷ୍ଠାନରେ ବିଭିନ୍ନ ଛାତ୍ର ସଂଗଠନର ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଆସି ପ୍ରସ୍ତାବକ ଓ ସମର୍ଥକଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ମହାବିଦ୍ୟାଳୟ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା। ଅନ୍ୟପକ୍ଷେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କ୍ୟାମ୍ପସ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ସଦର ଏସ୍ଡିପିଓ ପଙ୍କଜ କୁମାର ମାଝୀ ସୂଚନା ଦେଇଛନ୍ତି।
ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ, ନାମାଙ୍କନପତ୍ର ଦାଖଲ ପରେ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ସା ୫ଟା ସୁଦ୍ଧା ବୈଧ ନାମାଙ୍କନପତ୍ର ତାଲିକା ପ୍ରକାଶ ପାଇବ। ଆସନ୍ତାକାଲି ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଏହାପରେ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ପ୍ରାର୍ଥିପତ୍ର ଯାଞ୍ଚ କରାଯାଇ ସନ୍ଧ୍ୟା ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ।
ଦୀର୍ଘ ବର୍ଷ ପରେ କ୍ୟାମ୍ପନ୍ସ ନିର୍ବାଚନ ହେଉଥିବାରୁ ଛାତ୍ର ସଂଗଠନଗୁଡ଼ିକ ମଧ୍ୟରେ ରାଜନୈତିକ ତତ୍ପରତା ବଢ଼ିଛି। କେଉଁ ପଦବୀ ପାଇଁ କିଏ ପ୍ରାର୍ଥୀ ହେଉଛନ୍ତି ଏବଂ ନିର୍ବାଚନୀ ମଇଦାନରେ କିଏ ବାଜିମାତ୍ କରିବେ, ତାହାକୁ ନେଇ କ୍ୟାମ୍ପସରେ ଚର୍ଚ୍ଚା ଜୋର୍ ଧରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।