ଚାମେଲୀଙ୍କ ବିରୋଧରେ ଅନାସ୍ଥାକୁ ଅସିଦ୍ଧ ଘୋଷଣା କଲେ କୋର୍ଟ: ରହିଲା ସରପଞ୍ଚ ପଦ, ଚାମେଲୀ କହିଲେ…
ମହାକାଳପଡ଼ା/କଟକ,୨୮ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ/ପ୍ରଭୁକଲ୍ୟାଣ ପାଲ୍): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟରୁ ମିଳିଛି ଆଶ୍ବସ୍ତି। ଚାମେଲୀଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ନୋଟିସ୍କୁ ରଦ୍ଦ କରିଦେଇଛନ୍ତି ମାନ୍ୟବର କୋର୍ଟ। ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ଓ ଏ ସମ୍ପର୍କିତ ନିୟମାବଳୀ ଉଲ୍ଲଙ୍ଘନରେ ଅନାସ୍ଥା ପ୍ରସ୍ତାବ ନୋଟିସ୍ ଜାରି କରା ଯାଇଥିବା ଓ ଅନାସ୍ଥା ପାଇଁ ବୈଠକ ବସିଥିବା ହାଇକୋର୍ଟରେ ଶୁଣାଣିବେଳେ ସ୍ପଷ୍ଟ ହୋଇଥିଲା। ସରପଞ୍ଚ ପଦବୀରେ ଚାମେଲୀ ରହିବେ ବୋଲି କୋର୍ଟ ରାୟ ଦେଇଛନ୍ତି।
ଗତ ଅଗଷ୍ଟ ୧୧ ତାରିଖରେ ମାମଲା ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଚାମେଲୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିବା ବେଳେ ଏହାକୁ ବିରୋଧ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ଗତ ଅଗଷ୍ଟ ୧୦ ଏବଂ ୧୧ ତାରିଖ ଦୁଇ ଦିନ ଧରି ମାମଲାର ଶୁଣାଣି ହୋଇଥିଲା। ହାଇକୋର୍ଟ ମଧ୍ୟବର୍ତ୍ତୀ ଆଦେଶରେ ଅନାସ୍ଥା ପାଇଁ ଭୋଟ୍ ହେବ କିନ୍ତୁ ଅଦାଲତଙ୍କ ଅନୁମତି ବିନା ଫଳପ୍ରକାଶ ପାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଚାମେଲୀ ତାଙ୍କ ପିଟିଶନ୍ରେ ଦର୍ଶାଇଥିଲେ ଯେ, ଆଇନ ଅନୁସାରେ ଅନାସ୍ଥା ବୈଠକ ପୂର୍ବରୁ ରିଜୋଲ୍ୟୁସନ, ରିକ୍ୟୁଜିସନ ଓ ନୋଟିସର ନକଲ ତାଙ୍କୁ ଯୋଗାଇ ଦିଆଯାଇ ନାହିଁ। ତେଣୁ ତାଙ୍କ ବିରୋଧରେ ଜାରି ଅନାସ୍ଥା ନୋଟିସ ଓ ପ୍ରକ୍ରିୟାକୁ ରବ୍ଦ ପାଇଁ ସେ ପ୍ରାର୍ଥନା କରିଥିଲେ। ତେଣୁ କୋର୍ଟ ବୁଧବାର ଚାମେଲୀଙ୍କ ଆବେଦନକୁ ଗ୍ରହଣ କରି ଏହି ରାୟ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଚାମେଲୀଙ୍କୁ ଏ ନେଇ ପଚାରିବାରୁ ସେ କହିଛନ୍ତି, ଧର୍ମର ଜୟ ହୋଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।