ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

Aug 17, 2026 - 18:06
ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ପୁରୁଷୋତ୍ତମପୁର କଲେଜ ଛକରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଜଣାପଡ଼ିଛି।

ଖଲ୍ଲିକୋଟ ଥାନା ଅଞ୍ଚଳରୁ ଏକ ଜେସିବି ଜଣେ ବ୍ୟକ୍ତି ଚୋରି କରି ଫେରାର ହୋଇଯାଉଥିବା ଖବର ପାଇ ଖଲ୍ଲିକୋଟ, ରମ୍ଭା, ପୁରୁଷୋତ୍ତମପୁର ଓ କବିସୂର୍ଯ୍ୟନଗର ଥାନାର ପୋଲିସ୍‌ ଟିମ୍‌ ତାଙ୍କୁ କାବୁ କରିବା ପାଇଁ ଲାଗି ପଡ଼ିଥିଲେ। ମାତ୍ର, ଏହି ଚୋର ଜଣକ ଚାରି ଥାନାର ପୋଲିସ୍‌କୁ ପାଣି ପିଆଇବା ସହ ପୋଲିସ୍‌ ଆଖିରେ ଧୂଳି ଦେଇ ଚମ୍ପଟ ମାରିଥିଲା।

ପୁରୁଷୋତ୍ତମପୁର ସହରର ବିଭିନ୍ନ ସ୍ଥାନରେ ପୋଲିସ୍‌ ପକ୍ଷରୁ ବ୍ଲକିଂ କରାଯାଇଥିଲେ ମଧ୍ୟ ତାହାକୁ ଖାତିର ନକରି ଚୋର ଜଣକ ଅତ୍ୟନ୍ତ ଦ୍ରୁତ ଗତିରେ ଜେସିବି ଚଳାଇ ଫେରାର ହୋଇଯାଇଥିଲା। ପୋଲିସ୍‌ ତାଙ୍କୁ ପିଛା କରୁଥିବା ଏବଂ ଚୋର ଦ୍ରୁତ ଗତିରେ ଜେସିବି ଚଳାଇ ଖସି ଯାଉଥିବାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ତେବେ, ଶେଷରେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସାମନ୍ତରାପଲ୍ଲୀ-ଗୁଡ଼ିଆଳି ରାସ୍ତା ନିକଟସ୍ଥ ଚାଷଜମିରେ ଜେସିବି ଛାଡ଼ି ଚୋର ଜଣକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୋଲିସ୍‌କୁ ନାକେଦମ କରିଥିବା ଏହି ଚୋରକୁ ଧରିବା ପାଇଁ ପୋଲିସ୍‌ ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀଙ୍କ ସହ ଯୋଗାଯୋଗ କରାଯିବାରେ, ଏହା ତାଙ୍କ ଅଞ୍ଚଳର ମାମଲା ନୁହେଁ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।