ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ, ହନ୍ତସନ୍ତ ହେଉଛନ୍ତି ରୋଗୀ

Sep 03, 2026 - 18:23
ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଛତ୍ରପୁର,୩ା୯(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ରୋଗ ପରୀକ୍ଷଣ, ଚକ୍ଷୁ, ପ୍ରସୂତୀ, ଶିଶୁରୋଗ, ଦୁର୍ଘଟଣା ଜନିତ ଜରୁରୀକାଳୀନ ପରିସ୍ଥିତି ଭଳି ଅନେକ ମାମଲାରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥାଏ । କେବଳ ସେତିକି ନୁହେଁ, ଯେକୌଣସି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଲେ ଭିତ୍ତିଭୂମି ଥାଇ ବି ରୋଗୀଙ୍କୁ ଅନକେ ସମୟରେ ଉନ୍ନତମାନର ଚିକିତ୍ସା ସେବା ପାଇଁ ବ୍ରହ୍ମପୁର ବଡମେଡିକାଲ କିମ୍ବା ଭୁବନେଶ୍ଵରର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବାକୁ ପଡୁଛି ।
ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡଃ ଅଲେଖ ପ୍ରଧାନଙ୍କ କହିବା ଅନୁଯାୟୀ, ଚିକିତ୍ସାଳୟର ନବୀକରଣ ପରେ ଭିତ୍ତିଭୂମିର ବିକାଶ ହୋଇଛି । ଡାକ୍ତରଙ୍କ ସଂଖ୍ୟା ଅଭାବ ହେଉଛି ଏହାର ପ୍ରମୁଖ କାରଣ । ଯାହାଫଳରେ ରୋଗୀ ସଠିକ ସମୟରେ ଚିକିତ୍ସା ସେବା ପାଇପାରୁ ନାହାଁନ୍ତି। ମୋଟ ୫୧ଟି ଡାକ୍ତରଙ୍କ ଆବଶ୍ୟକତା ରହିଥିବା ବେଳେ କେବଳ ୧୦ଟି ଡାକ୍ତର ରୋଗୀଙ୍କ ଚିକିତ୍ସା କରୁଛନ୍ତି ବୋଲି ଅଧିକ୍ଷକ କହିଛନ୍ତି।
ସେହିପରି ନର୍ସଙ୍କ ସଂଖ୍ୟା ମଧ୍ଯ ଆବଶ୍ୟକ ଅନୁସାରେ ଖୁବ କମ ଥିବା ସେ କହିଛନ୍ତି। ନର୍ସିଂ ସେବା ପ୍ରଦାନ କରିବା ପାଇଁ ବି ମାତ୍ର ୧୦ ଜଣ ନିଯୁକ୍ତ ଅଛନ୍ତି ଏବଂ ସେମାନେ ଶିଫ୍ଟ ଡ୍ୟୁଟିରେ କାର୍ଯ୍ୟ କରୁଛନ୍ତି।
ଏହି ଅବସରରେ ଡଃ ପ୍ରଧାନ କହିଛନ୍ତି ଯେ ମାନବସମ୍ବଳ ବୃଦ୍ଧି କରିବା କ୍ଷେତ୍ରରେ ଆଉ ୧୦ – ୧୫ ଡାକ୍ତର ଓ ୧୫ – ୨୬ ନର୍ସଙ୍କ ନିଯୁକ୍ତି ହୁଏ, ତା ହେଲେ ସ୍ୱାସ୍ଥ୍ୟସେବା ସେବା ପ୍ରଦାନ କ୍ଷେତ୍ରରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରାଜ୍ୟର ଉନ୍ନତମାନ ଚିକିତ୍ସାଳୟ ମଧ୍ୟରେ ଗଣାଯାଇପରିବ ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।