ଛାତ୍ର ଆନ୍ଦୋଳନର ଉଗ୍ର ରୂପ: ୫ହଜାର ଗିରଫ !

Oct 04, 2026 - 18:27
ଛାତ୍ର ଆନ୍ଦୋଳନର ଉଗ୍ର ରୂପ: ୫ହଜାର ଗିରଫ !

ନନ୍ଦିଘୋଷ ଟିଭି: ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଛାତ୍ରଛାତ୍ରୀ । ସ୍କୁଲ ଗେଟ୍ ବନ୍ଦ କରିଦିଆଯାଇଛି । ଡଷ୍ଟବିନରେ ନିଆଁ ଲାଗାଯାଉଛି  ଏବଂ କେତେକ ସ୍ଥାନରେ ପୋଲିସ ସହ ଛାତ୍ରଛାତ୍ରୀଙ୍କର ସଂଘର୍ଷ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଫ୍ରାନ୍ସରୁ ସାମ୍ନାରୁ ଆସିଛି ଏଭଳି ଘଟଣା । ଏଠାରେ ଚାଲିଥିବା ପ୍ରତିବାଦ ଏତେ ଉଗ୍ର ରୂପ ଧାରଣ କରିଛି ଯେ, ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସକୁ କିଛି କିଛି ସ୍ଥାନରେ ଟିୟର ଗ୍ୟାସ ଏବଂ ରବର ବୁଲେଟ ମାଡ କରିବାକୁ ପଡିଥିଲା । ଏହି ଘଟଣାରେ ସୋମବାର ଠାରୁ ଏପର୍ଯ୍ୟନ୍ତ ପାଖାପାଖି ୫,୦୦୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । କେବଳ ଶୁକ୍ରବାର ଦିନ ହିଁ ୧,୭୪୭ ଲୋକଙ୍କୁ ଗିରଫ କରାଯାଇଥିଲା । ଏହାସହ ୭୩୫ ଶିକ୍ଷାନୁଷ୍ଠାନ ପ୍ରଭାବିତ ହୋଇଥିଲା । ଏହା ପୂର୍ବରୁ ଗୁରୁବାର ଏହି ସଂଖ୍ୟା ୧,୦୦୦ ରୁ ଅଧିକ ହାଇସ୍କୁଲ ପର୍ଯ୍ୟନ୍ତ ପହଁଞ୍ଚି ଯାଇଥିଲା । ଅର୍ଥାତ ମାତ୍ର କିଛି ଦିନ ମଧ୍ୟରେ ହିଁ ଏହି ସ୍ଥାନୀୟ ପ୍ରତିବାଦ ଜାତୀୟ ସଙ୍କଟର ରୂପ ନେଇଛି । ଆଉ ଏହାରି ଭିତରେ ଅକ୍ଟୋବର ୬ ତାରିଖରେ ଛାତ୍ର ସଂଗଠନଗୁଡିକ ଦେଶବ୍ୟାପୀ ପ୍ରତିବାଦ କରିବାକୁ ଘୋଷଣା କରିଛନ୍ତି ।

ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଆନ୍ଦୋଳନର ମୂଖ୍ୟ କାରଣ କୌଣସି ଗୋଟିଏ ପ୍ରସଙ୍ଗ ନୁହେଁ , ବରଂ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଦୀର୍ଘ ବର୍ଷ ଧରି ଚାଲିଆସିଥିବା ସ୍କୁଲ ଅବ୍ୟବସ୍ଥା ସହିତ ଜଡିତ । ସବୁଠାରୁ ବଡ ଓ ଗୁରୁତ୍ବପୂର୍ଣ୍ଣ ସମସ୍ୟା ହେଉଛି ଶିକ୍ଷକଙ୍କ ଅଭାବ । ସ୍ଥିତି ଏମିତି ଯେ, ଅନେକ ସ୍କୁଲରେ ଶିକ୍ଷକ ନାହାନ୍ତି ଅଥବା ଦୀର୍ଘ ସମୟ ଧରି ଅନୁପସ୍ଥିତ ରହିବା କାରଣରୁ ତାଙ୍କ ଜାଗାରେ ଅନ୍ୟ ଶିକ୍ଷକ ମିଳୁନାହାନ୍ତି । ଯାହାର ସିଧାସଳଖ ପ୍ରଭାବ ପଡୁଛି ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ । କିଛି ଛାତ୍ର ଅଭିଯୋଗ କରିଛନ୍ତି ଯେ, ଜରୁରୀ ସବଜେକ୍ଟର କ୍ଲାସ ମଧ୍ୟ ବାତିଲ କରାଯାଉଛି । ଆଉ ଏକ ପ୍ରମୁଖ ସମସ୍ୟା ହେଉଛି ଭଙ୍ଗା କୋଠା ଏବଂ କ୍ଲାସରୁମ୍ ର ଅଭାବ । କେଉଁଠି ପାଣିର ଅଭାବ ତ ଆଉ କେଉଁଠି ଗରମରେ ହନ୍ତସନ୍ତ ହେଉଛନ୍ତି ପିଲେ । କିଛି କିଛି ସ୍କୁଲରେ ସକାଳ ୮ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସିଡ୍ୟୁଲ ରହିଥାଏ । ତେଣୁ ଦୀର୍ଘ ସମୟ ଏବଂ ଚାପଯୁକ୍ତ ପଢା ପାଇଁ ଛାତ୍ରଛାତ୍ରୀମାନେ ସଂଘର୍ଷ କରୁଛନ୍ତି ।

ସୁଚନା ଅନୁସାରେ, ଏହି ପୂରା ଆନ୍ଦୋଳନ ୧୭ ସେପ୍ଟେମ୍ବର ରେ ପ୍ୟାରିସ ନିକଟସ୍ଥ କ୍ରେଟିଲର ଆଣ୍ଟେଇନ୍ ଡି ସେଣ୍ଟ- ଏକ୍ଯଜୁପେରୀ ହାଇସ୍କୁଲରେ ଆରମ୍ଭ ହୋଇଥିଲା । ସେଠାରେ କର୍ମଚାରୀ, ସମ୍ବଳ ଅଭାବ ଯୋଗୁଁ ଶିକ୍ଷକମାନେ ଆନ୍ଦୋଳନ ଆରମ୍ଭ କରିଥିଲେ  । ଯାହାପରେ ଧିରେ ଧିରେ ଏହା ସାରା ଦେଶକୁ ବ୍ୟାପି ଯାଇଥିଲା । ତେବେ ଏହି ପ୍ରତିବାଦ କେବଳ ସ୍କୁଲ ସୁବିଧା ବିଷୟରେ ନୁହେଁ ବରଂ ଶିକ୍ଷାଗତ ଅସମାନତା ଏହା ପଛରେ ଏକ ବଡ ମୁଦ୍ଦା ହୋଇ ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।