ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ହତ୍ୟା ପଛରେ ଗ୍ୟାଙ୍ଗଷ୍ଟର !

Oct 04, 2026 - 12:10
ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ହତ୍ୟା ପଛରେ ଗ୍ୟାଙ୍ଗଷ୍ଟର !

ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବୀ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ମେକଅପ୍ ଆର୍ଟିଷ୍ଟ ମ୍ୟାଡ ସନ୍ଧୁଙ୍କ ହତ୍ୟା ମାମଲାରେ ଆସିଛି ନୂଆ ମୋଡ । ତାଙ୍କର ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ଢିଲୋନ୍ ନିଜକୁ ଦାୟୀ କରିଛି । କେବଳ ଗୋଲ୍ଡି ଢିଲୋନ୍ ନୁହେଁ ବରଂ ଜଗତର ତରନ ତାରନ୍ ଏକ ଭାଇରାଲ ପୋଷ୍ଟରେ ହତ୍ୟାକାଣ୍ଡରେ ସେମାନଙ୍କ ସମ୍ପୃକ୍ତି ଥିବା ନେଇ ସ୍ବୀକାର କରିଛନ୍ତି । ଗୋଲ୍ଡି ଢିଲୋନଙ୍କ ନାମରେ ଏକ ଭାଇରାଲ ପୋଷ୍ଟରେ ଲେଖାଯାଇଛି ଯେ,”ରଞ୍ଜିତ ଆଭେନ୍ୟୁରେ ମ୍ୟାଡ ସନ୍ଧୁଙ୍କ ହତ୍ୟା ପାଇଁ ଜଗ୍ୟା ତରନତାରନ ଏବଂ ମୁଁ ଦାୟୀ । ସେ ଆମର ନୂତନ ପିଢିକୁ ନଷ୍ଟ କରୁଥିଲେ । “ ଏହାସହ ଏହି ଭାଇରାଲ ପୋଷ୍ଟରେ ସେମାନଙ୍କୁ ଚେତାବନୀ ଦିଆଯାଇଛି, ଯେଉଁମାନେ ତାଙ୍କୁ ସମର୍ଥନ କରୁଥିଲେ । ସ୍କୁଲରେ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରୁଥିଲେ । ସେମାନେ ବି ପ୍ରସ୍ତୁତ ରୁହନ୍ତୁ । ଏହା ସେମାନଙ୍କୁ ଲାଷ୍ଟ ଓ୍ବାର୍ଣ୍ଣିଂ । ଏଭଳି କାମ କରୁଥିବା ଲୋକ ପଞ୍ଜାବ ବାହାରେ ରହିବା ଉଚିତ ବୋଲି ପୋଷ୍ଟରେ ସ୍ପଷ୍ଟ ଭାବେ ଲେଖାଯାଇଥିଲା । ଶନିବାର ଅମୃତସରରେ ଦୁଇଜଣ ଅଜ୍ଞାତ ବ୍ୟକ୍ତି ଏକ ମୋଟରସାଇକେଲରେ ଆସି ମ୍ୟାଡ୍ ସନ୍ଧୁଙ୍କ ହତ୍ୟା କରିଥିଲେ । ପୋଲିସର ସୁଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ସନ୍ଧୁ ତାଙ୍କ କାର ନେବା ପାଇଁ ଏକ ଦୋକାନକୁ ଯାଇଥିଲେ, ଯେଉଁଠାରେ ସେ ତାଙ୍କ କାର ଧୋଇବାକୁ ଦେଇଥିଲେ । ଆଉ ସେହି ସମୟରେ ହଠାତ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ସେପଟେ ଏଡିସିପି କହିଛନ୍ତି ଯେ,ପୋଲିସକୁ କିଛି ସୁରାକ ମିଳିଛି । ଯାହକୁ ନେଇ ବିଭିନ୍ନ ଦିଗରୁ ପୋଲିସ ତଦନ୍ତ କରୁଛି । ଆଉ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ।  ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ପ୍ରାୟ ଦୁଇରୁ ତିନି ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କୁ ଅତି ନିକଟରୁ ଗୁଳି କରାଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସେ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡି ରହିଥିଲେ । ପରେ କିଛି ଲୋକ ଆସି ତାଙ୍କୁ ଉଦ୍ଧାର କରିଥିଲେ ।

ସୁଚନା ମୁତାବକ, ସନ୍ଧୁ ପୋଡକାଷ୍ଟ ଏବଂ ଡିଜିଟାଲ ପ୍ଲାଟଫର୍ମରେ ମେକଅପ୍ କଳା ଏବଂ ଲିଙ୍ଗଗତ ସମସ୍ୟା ବିଷୟରେ ଆଲୋଚନା କରୁଥିଲେ । ତାଙ୍କ ପ୍ରକୃତ ନାମ ଥିଲା ମଧୁସୂଦନ । ଇନଷ୍ଟାଗ୍ରାମରେ ତାଙ୍କର ୨୨୬,୦୦୦ ଫଲୋଅର୍ସ ଥିଲେ ।  ଏହାସହ ସେ ପଞ୍ଜାବି ଫିଲ୍ମ “ଓୟେ ଭୋଲେ ଓୟେ” ରେ ଅଭିନୟ ମଧ୍ୟ କରିଥିଲେ । ହେଲେ ତାଙ୍କ କଣ୍ଟେଣ୍ଟ ଏବଂ ଫ୍ୟାଶନକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । କିଛି ମାସ ପୂର୍ବରୁ ଜଣେ ନିହାଙ୍ଗ ଶିଖ ତାଙ୍କର ସୋସିଆଲ ମିଡିଆ କଣ୍ଟେଣ୍ଟ ଏବଂ ପୋଷାକୁ ନେଇ ଆପତ୍ତି ଉଠାଇଥିଲେ ଏବଂ କହିଥିଲେ ଯେ, ତାଙ୍କ ଭିଡିଓ ଯୁବପିଢିଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଉଛି । ଏପରିକି ସନ୍ଧୁକୁ ଏଥିପାଇଁ ଧମକ ମଧ୍ୟ ଦିଆଯାଉଥିଲା, ଯାହା ବିଷୟରେ ଅନେକ ଥର ସେ ତାଙ୍କ ସୋସିଆଲ ମିଡିଆରେ ଆଲୋଚନା କରିଥିଲେ । ତେବେ ସତରେ ଏହି ଘଟଣା ପଛରେ ଲିଙ୍ଗଗତ କାରଣ ରହିଛି ନା ଅନ୍ୟ କିଛି କାରଣ ରହିଛି, ତାହାର ଅସଲ ସତ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ପୋଲିସ ତଦନ୍ତକୁ ଜୋରଦାର କରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।