ଛାତ୍ର ସଂସଦ ନିର୍ବାଚନ ପାଇଁ ଜାରି ହେଲା ଗାଇଡ଼ ଲାଇନ
ଭୁବନେଶ୍ୱର: ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ହେବ ଛାତ୍ରସଂସଦ ନିର୍ବାଚନ। ଶନିବାର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଛାତ୍ର ସଂସଦ ନିର୍ବାଚନର ଘୋଷଣା କରିଛନ୍ତି । ଏହା ପରେ ସାରା ରାଜ୍ୟର କଲେଜ୍ ଏବଂ ବିଶ୍ଵ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀ ମହଲରେ ଖୁସିର ଲହରି ଖେଳି ଯାଇଛି । ତେବେ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ କେତେକ ନିୟମ ଓ ସର୍ତ୍ତାବଳୀ ରହିଛି । ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା ଓ ଅଯୋଗ୍ୟତା ସମ୍ପର୍କରେ କଡ଼ା ନିୟମ ଲାଗୁ ହୋଇଛି। ନିର୍ବାଚନରେ ଛିଡ଼ା ହେବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ବୟସ, ଉପସ୍ଥାନ, ଶିକ୍ଷାଗତ ଯୋଗ୍ୟତା ସହ ଶୃଙ୍ଖଳା ଓ ଆଚରଣ ସମ୍ପର୍କିତ ନିୟମ ପାଳନ କରିବାକୁ ପଡ଼ିବ ।
ନିୟମ ଅନୁଯାୟୀ, UG ଛାତ୍ରଛାତ୍ରୀଙ୍କ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସେହିପରି PG ଛାତ୍ରଛାତ୍ରୀଙ୍କ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବା ଦରକାର । ପ୍ରାର୍ଥୀଙ୍କର କୌଣସି ବିଷୟରେ ଏକାଡେମିକ୍ ବ୍ୟାକ୍ ନଥିବା ସହ ଅତିକମରେ ୭୫ ପ୍ରତିଶତ କ୍ଲାସ୍ ଉପସ୍ଥାନ ରହିବା ବାଧ୍ୟତାମୂଳକ କରାଯାଇଛି।ନିର୍ବାଚନ ଲଢ଼ିବାର ସୁଯୋଗକୁ ନେଇ ମଧ୍ୟ ନିୟମ ରହିଛି। ଜଣେ ପ୍ରାର୍ଥୀ ଗୋଟିଏ ପଦ ପାଇଁ କେବଳ ଥରେ ନିର୍ବାଚନ ଲଢ଼ିପାରିବେ । ସେଲ୍ଫ ଫାଇନାନ୍ସିଂ କୋର୍ସ ଛାତ୍ରଛାତ୍ରୀ ପ୍ରାର୍ଥୀ ହୋଇପାରିବେ ନାହିଁ । ତେବେ ଏକ୍ସକ୍ୟୁଟିଭ ମେମ୍ବର ପଦ ପାଇଁ ଦୁଇଥର ନିର୍ବାଚନ ଲଢ଼ିବାର ସୁଯୋଗ ରହିବ।
ଅନ୍ୟପକ୍ଷରେ, ପ୍ରାର୍ଥୀଙ୍କ ପୂର୍ବ ଆଚରଣ ଓ ରେକର୍ଡକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। କୌଣସି ପୂର୍ବ ଅପରାଧିକ ରେକର୍ଡ ଥିଲେ ପ୍ରାର୍ଥୀ ହୋଇପାରିବେ ନାହିଁ। ସେହିପରି କୌଣସି ଛାତ୍ରଛାତ୍ରୀଙ୍କ ବିରୋଧରେ ପୂର୍ବରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ମଧ୍ୟ ସେ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହେବେ । ଏଭଳି କଡ଼ା ଯୋଗ୍ୟତା ମାନଦଣ୍ଡ ମଧ୍ୟରେ ଚଳିତ ଛାତ୍ର ସଂସଦ ନିର୍ବାଚନରେ କିଏ କିଏ ପ୍ରାର୍ଥୀ ହେବେ, ତାହାକୁ ନେଇ କ୍ୟାମ୍ପସରେ ଚର୍ଚ୍ଚା ଜୋର ଧରିଛି । ତେବେ ନିର୍ବାଚନ ତାରିଖ ଘୋଷଣା ପରେ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇ ପଡ଼ିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।