ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ରାଜନୀତି, ଦଳର ମୁଖିଆମାନଙ୍କୁ ଭେଟୁଛନ୍ତି…
ଭୁବନେଶ୍ୱର, ୧୮।୧୦(ସୁନିତ୍ ମିଶ୍ର): ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜ୍ୟ ରାଜନୀତି ଜୋର୍ ଧରିବାରେ ଲାଗିଛି। ନିଜ ନିଜ ଦଳର ବିଜୟୀ ଛାତ୍ର ନେତାମାନେ ସେମାନଙ୍କ ଦଳର ମୁଖିଆମାନଙ୍କୁ ଆସି ସାକ୍ଷାତ କରିବାରେ ଲାଗିଛନ୍ତି। ସେହିକ୍ରମରେ କେତେଗୁଡ଼ିଏ କଲେଜର ଛାତ୍ର ନେତାମାନେ ଶନିବାର ନବୀନ ନିବାସ ଆସି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି, ସମ୍ପ୍ରତି ଶେଷ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ୬୦ ପ୍ରତିଶତରୁ ଅଧିକ କଲେଜରେ ଓ ୫୦ ପ୍ରତିଶତ ବିଶ୍ୱବିଦ୍ୟାଳୟରେ ବିଜୟ ଲାଭ କରିଛି। ରାଜ୍ୟ ଭାଜପା ସରକାରଙ୍କ ଅର୍ଥବଳ, ବାହୁବଳ ଓ ପ୍ରବଳ ସରକାରୀ ଚାପ ସତ୍ତ୍ୱେ ପିଲାମାନେ ବିଜେଡି ଆଦର୍ଶରେ ବିଶ୍ୱାସ ରଖି ବିପୁଳ ବିଜୟ ଆଣିଛନ୍ତି। ବିଜେଡି ପକ୍ଷରୁ ଦାବି କରାଯାଇଛି, ୩୮୪ କଲେଜରେ ନିର୍ବାଚନ ହେବା ଲାଗି ଘୋଷଣା କରାଯାଇଥିଲେ ମଧ୍ୟ ୨୮୬ଟିରେ ଫଳ ପ୍ରକାଶ ପାଇଛି। ଏହା ମଧ୍ୟରୁ ୧୭୩ଟି କଲେଜରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିପରି ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ନିର୍ବାଚନ ବାତିଲ ହୋଇଥିଲା। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ସ୍ବାଧୀନ ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ ବିଜୁ ଛାତ୍ର ଜନତା ଦଳର ସମର୍ଥିତ ପ୍ରାର୍ଥୀମାନେ ରେଭେନ୍ଶା ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ନର୍ଥ ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀରେ ବିସିଜେଡି ବିଜୟ ଲାଭ କରିଛି।
ନବୀନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଓଡ଼ିଶାରେ ଦୁଇ ଦିନ ତଳେ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି, ଯାହା ଗତ ୮ ବର୍ଷ ହେଲା ହୋଇପାରୁ ନ ଥିଲା। ଛାତ୍ର ସଂସଦ ନିର୍ବାଚନକୁ ଓଡ଼ିଶାରେ ବନ୍ଦ କରିବାରେ ନବୀନବାବୁ ଓ ତାଙ୍କ ପ୍ରରୋଚକମାନଙ୍କ ଭୂମିକାକୁ ବର୍ତ୍ତମାନ ମଧ୍ୟ ଓଡ଼ିଶାର ଛାତ୍ର ଓ ଯୁବ ସମାଜ ଏକ କଳଙ୍କିତ ଅଧ୍ୟାୟର ଆଖ୍ୟା ଦେଇଛନ୍ତି। ନବୀନ ବାବୁ ତାଙ୍କ ଦଳକୁ ବଞ୍ଚାଇବା ଲାଗି ଏବଂ ବିଜେଡିର ନୂଆ ମୁଖିଆଙ୍କ ଗ୍ରହଣୀୟତାକୁ ସୁରକ୍ଷା ଦେବାକୁ ଯାଇ ଛାତ୍ର ସଂସଦ ନିର୍ବାଚନ ନେଇ ଅସତ୍ୟ ତଥ୍ୟ ରଖିଛନ୍ତି। ତାଙ୍କ ପାଖରେ ଥିବା ଲୋକମାନେ ନବୀନବାବୁଙ୍କ ଭଳି ଜଣେ ଅନୁଭବୀ ନେତୃତ୍ୱଙ୍କ ମୁହଁରୁ ଛାତ୍ର ନିର୍ବାଚନ ସମ୍ପର୍କରେ ଅମୂଳକ ଉଚ୍ଚାରଣ କରାଇ ତାଙ୍କ ଛବିକୁ ଆହୁରି ମଳିନ କରୁଛନ୍ତି। ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନ ଯେଉଁ ବାର୍ତ୍ତା ଦେଉଛି, ତାହା ଓଡ଼ିଶାର ଛାତ୍ର ଓ ଯୁବ ସମାଜ ଭଲ ଭାବେ ଜାଣିପାରିଛନ୍ତି। କେଉଁ ଦଳ କୋଉ ସଙ୍ଗଠନର ସମର୍ଥନରେ କେତେଜଣ ଛାତ୍ର ନେତା ନିର୍ବାଚିତ ହୋଇଛନ୍ତି, ତାହା ରାଜ୍ୟବାସୀ ଜାଣିଛନ୍ତି। ବାରମ୍ବାର ମିଛ କହି ତାହାକୁ ସତ୍ୟରେ ପରିଣତ କରିବା ପାଇଁ ଚେଷ୍ଟାକରିବା ନବୀନବାବୁଙ୍କ ଭଳି ବ୍ୟକ୍ତିଙ୍କ ପକ୍ଷେ କଦାପି ଶୋଭନୀୟ ନୁହେଁ। ଏହି ସମୟରେ ନବୀନ ଛାତ୍ର ସମାଜକୁ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲେ, ତାହା ଅଧିକ ଭଲ ହୋଇଥାଆନ୍ତା। ଓଡ଼ିଶାର ଛାତ୍ର ଓ ଯୁବ ସମାଜକୁ ଭ୍ରମ ଏବଂ ଭ୍ରାନ୍ତିଠାରୁ ଦୂରରେ ରଖି ରାଷ୍ଟ୍ର ନିର୍ମାଣରେ ସେମାନଙ୍କୁ ପ୍ରେରିତ କରିବା ଦରକାର ଥିଲା ବୋଲି ସୂର୍ଯ୍ୟବଂଶୀ କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।