ବାପାଙ୍କୁ ହତ୍ୟା ଧମକ ଦେଇ ନାବାଳିକାଙ୍କୁ ମନ୍ଦିରରେ ବିବାହ, ମା’ ପୋଲିସକୁ ଖବର ଦେବାରୁ ଘଟିଲା ଏମିତି…
କୁଜଙ୍ଗ,୧୮।୧୦(ମନୋଜ ପ୍ରଧାନ): ନାବାଳିକା ଝିଅଙ୍କୁ ମନ୍ଦିରକୁ ଆଣିବା ପାଇଁ ମଦ ଦେଇ ପ୍ରଲୋଭିତ କରିବା ସହ ନ ଶୁଣିଲେ ହତ୍ୟା କରିବାକୁ ବାପାଙ୍କୁ ଧମକ ଦିଆଯାଇଥିଲା। ଏଥିରେ ଭୟଭୀତ ହୋଇ ବାପା ଝିଅଙ୍କୁ ନେଇ ମନ୍ଦିରରେ ପହଁଚିବା ପରେ ସେଠାରେ ନାବାଳିକାଙ୍କୁ ଜୋରଜବରଦସ୍ତ ବିବାହ କରାଯାଇଥିବା ଅଭିଯୋଗ ହୋଇଛି। ଜଗତ୍ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ଗଡ଼କୁଜଙ୍ଗ ମନ୍ଦିରରେ ଶନିବାର ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ପୀଡ଼ିତାଙ୍କ ମା’ କୁଜଙ୍ଗ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା (ନଂ. ୨୬୭/୨୬) ରୁଜୁ କରିଛି।
ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କ ଆଈ କର୍କଟ ରୋଗରେ ପୀଡ଼ିତ ହୋଇ କଟକସ୍ଥିତ ଆଚାର୍ଯ୍ୟ ହରିହର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅଭିଯୋଗକାରିଣୀ ତାଙ୍କ ପାଖରେ ରହୁଛନ୍ତି। ଏହାର ସୁଯୋଗ ନେଇ ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ଗଡକୁଜଙ୍ଗ ଗ୍ରାମର ବାବାଜୀ ସାହୁ ନାବାଳିକାଙ୍କ ବାପାଙ୍କୁ ମଦ ପିଆଇ ଝିଅକୁ ଗଡ କୁଜଙ୍ଗ ମନ୍ଦିରକୁ ଆଣିବାକୁ ଧମକ ଦେଇଥିଲେ। ଏପରି ନ କଲେ କଙ୍କରଡିଆ ଗ୍ରାମକୁ ମାଛ ବିକ୍ରୟ କରିବାକୁ ଆସିଲେ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ଝିଅକୁ ନେଇ ବାପା ଗଡକୁଜଙ୍ଗ ମନ୍ଦିରରେ ପହଞ୍ଚତ୍ଥିଲେ। ସେଠାରେ ଝିଅର ବିବାହ କରାଉଥିବା ବେଳର ଫଟୋ ସାମାଜିକ ଗଣମାଧ୍ୟମରେ ଦେଖିବା ପରେ ପୀଡ଼ିତାଙ୍କ ମା’ ଏବିଷୟରେ ଜାଣିବାକୁ ସ୍ବାମୀଙ୍କୁ କଲ୍ କରିଥିଲେ। ମାତ୍ର ସେ ଫୋନ ନ ଉଠାଇବାରୁ ବାଧ୍ୟହୋଇ ୧୧୨କୁ ଫୋନ ଲଗାଇ ସମସ୍ତ ଘଟଣା କହିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ସେତେବେଳକୁ ବାବାଜୀ ଓ ଅନ୍ୟମାନେ ମନ୍ଦିରରୁ ପଳାଇଯାଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ପୂର୍ବରୁ ଏହିପରି ଉଦ୍ୟମ ହୋଇଥିବା ବେଳେ ସେତେବେଳେ ନାବାଳିକାଙ୍କୁ ଉଦ୍ଧାର କରି ପୋଲିସ ଜିମା ଦିଆଯାଇଥିଲା। ତେବେ ନାବାଳିକାଙ୍କ ବାପାଙ୍କ କାରଣରୁ ଏହି ଘଟଣା ଘଟିଥିବା କୁଜଙ୍ଗ ଥାନା ଅଧିକାରୀ ଶିବାଶିଷ ଦାସ ପ୍ରକାଶ କରିଛନ୍ତି। ଏନେଇ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।