ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍‌ଶାରେ ଉତ୍ତେଜନା

Oct 11, 2026 - 08:37
ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍‌ଶାରେ ଉତ୍ତେଜନା

କଟକ,୧୧ା୧୦(କାର୍ତ୍ତିକ ସାହୁ): ଛାତ୍ର ସଂସଦ ନିର୍ୱାଚନ ପାଇଁ ଏଆଇଡିଏସ୍‌ଓ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଖାରଜକୁ ବିରୋଧ କରି ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ସହ ପୋଲିସର ବଚସା କାରଣରୁ ଏଭଳି ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡ଼ିଛି। ଅପରପକ୍ଷରେ ରେଭେନ୍‌ଶା ନିର୍ୱାଚନ ପରିଚାଳନା ପ୍ରଶାସନ ପକ୍ଷରୁ ଶନିବାର ସନ୍ଧ୍ୟାରେ ସ୍ୱପ୍ନାରାଣୀଙ୍କ ପ୍ରାର୍ଥିପତ୍ର କାଏମ ରହିବା ଘୋଷଣା କରାଯାଇଛି। ଏଥିସହ ସାରା ରାତି ଅନଶନରେ ବସିଥିବା ସ୍ୱପ୍ନାରାଣୀଙ୍କ ଅନଶନ ଭଙ୍ଗ କରାଯାଇଛି। ସୂଚନାନୁସାରେ, ଏଆଇଡିଏସ୍‌ଓ ପକ୍ଷରୁ ସଭାପତି ପ୍ରାର୍ଥୀ ଭାବେ ସ୍ୱପ୍ନାରାଣୀ ପ୍ରଧାନ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ମାତ୍ର ତାଙ୍କ ପ୍ରାର୍ଥିପତ୍ର ଖାରଜକୁ ବିରୋଧ କରି ତାଙ୍କ ସମର୍ଥକ ଛାତ୍ରୀଛାତ୍ରମାନେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାରଠାରୁ ଧାରଣା ଦେଇଥିଲେ। ସେମାନଙ୍କ ସହ ସ୍ୱପ୍ନାରାଣୀ ଆମରଣ ଅନଶନରେ ବସିଥିଲେ। ତେବେ ଶୁକ୍ରବାର ବିଳମ୍ୱିତ ରାତିରେ ସେମାନଙ୍କୁ ବୁଝାଶୁଝା କରିବାକୁ ଯାଇଥିବା ଜଣେ ପୋଲିସ କର୍ମଚାରୀଙ୍କ ସହ ବଚସା ହୋଇଥିଲା। ଏହାପରେ ପୋଲିସ ଓ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବଚସା ଓ ଠେଲାପେଲା ହେବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏ ସଂକ୍ରାନ୍ତୀୟ
ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଏଆଇଡିଏସ୍‌ଓ ସଭାପତି ପ୍ରାର୍ଥୀ ସ୍ୱପ୍ନାରାଣୀଙ୍କ ପ୍ରାର୍ଥିପତ୍ର କାଏମ ରହିବା ଘୋଷଣା ପରେ ରେଭେନ୍‌ଶା କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ଆନ୍ଦୋଳନରତ ଛାତ୍ରୀଛାତ୍ରମାନେ ସ୍ୱାଗତ କରି ଏହା ଛାତ୍ରୀଛାତ୍ର ଶକ୍ତିର ବିଜୟ ବୋଲି କହିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।