ଜଣେ ହିନ୍ଦୀ ଶିକ୍ଷକଙ୍କ ଭରସାରେ ଚାଲିଛି ସ୍କୁଲ
ଚକାଚକ ସ୍କୁଲ, ସ୍ମାର୍ଟ କ୍ଲାସରୁମ୍। କମ୍ପ୍ୟୁଟର ଓ ଖେଳ ପଡ଼ିଆ ରହିଛି। ଭିତ୍ତିଭୂମି ଅଛି, ଶୈକ୍ଷିକ ପରିବେଶ ବି ଅଛି । ହେଲେ ନାହାନ୍ତି ଆବଶ୍ୟକ ଶିକ୍ଷକ। ଫଳରେ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ଏ ହେଉଛି କେନ୍ଦୁଝର ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତ ହାଇସ୍କୁଲର ଦୃଶ୍ୟ..। ମାତ୍ର ଜଣେ ହିନ୍ଦୀ ଶିକ୍ଷକଙ୍କ ଭରସାରେ ଚାଲିଛି ସ୍କୁଲ। ତିନୋଟି ଶ୍ରେଣୀରେ ୫୭ରୁ ଅଧିକ ଛାତ୍ରଛାତ୍ରୀ ପଢୁଥିବାବେଳେ ଏଯାଏଁ ବିଜ୍ଞାନ, ଗଣିତ, ଇଂରାଜୀ, ସଂସ୍କୃତ ଭଳି ଅନେକ ବିଷୟରେ ପାଠପଢ଼ା ଆରମ୍ଭ ହୋଇନାହିଁ। କିଭଳି ପରୀକ୍ଷା ଦେବେ ଚିନ୍ତାରେ ଛାତ୍ରଛାତ୍ରୀ।
କେବଳ ପନ୍ଦାଡୋ ହାଇସ୍କୁଲ ନୁହେଁ ଶିକ୍ଷକ ଅଭାବ ଯୋଗୁଁ ଅନେକ ବିଦ୍ୟାଳୟରେ ଶିକ୍ଷାଦାନ ଏକପ୍ରକାର ଠପ୍। ନିଶାକର ହାଇସ୍କୁଲ ମଉଦାରେ ସମାନ ଅବସ୍ଥା। ଜଣେ କଳା ଓ ଜଣେ ବିଜ୍ଞାନ ଶିକ୍ଷକରେ ଚାଲିଛି ସ୍କୁଲ। ତିନୋଟି ଶ୍ରେଣୀରେ ୯୫ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। କିନ୍ତୁ ସଂସ୍କୃତ, ହିନ୍ଦୀ, ଇତିହାସ ଓ ଭୂଗୋଳ ଭଳି ବିଷୟରେ ପାଠପଢ଼ା ଆରମ୍ଭ ହୋଇନାହିଁ। ସେହିଭଳି ଶାଳନିଆ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ସମାନ ଅବସ୍ଥା। ଫଳରେ କିପରି ଶିକ୍ଷାଦାନ ହେବ ଓ ପିଲାମାନେ କିପରି ପରୀକ୍ଷା ଦେବେ ତାକୁ ନେଇ ଉଠିଛି ପ୍ରଶ୍ନ। ହାଟଡିହି ବ୍ଲକର ପ୍ରାୟ ୨୦ଟି ନୂତନ ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଅଭିଯୋଗ ହୋଇଛି।
କେବେ ଶୁଣିବେ ସରକାର? କେବେ ହେବ ଶିକ୍ଷକ ନିଯୁକ୍ତି? ନା ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।