ଜମ୍ମୁ-କାଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୪ ଆତଙ୍କବାଦୀ ନିହତ

Oct 12, 2026 - 21:34
ଜମ୍ମୁ-କାଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୪ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ କୃଷ୍ଣା ଘାଟି ସେକ୍ଟରରେ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ନିୟନ୍ତ୍ରଣ ରେଖା (LoC) ନିକଟରେ ଏକ ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟି ୪ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଜଣେ ଟପ୍ କମାଣ୍ଡର ମଧ୍ୟ ଥିବା ଜଣାପଡ଼ିଛି। ଘନ ଜଙ୍ଗଲ ଓ ଖରାପ ପାଗର ଫାଇଦା ଉଠାଇ ଏହି ଆତଙ୍କବାଦୀ ଦଳ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ନିହତ ଆତଙ୍କବାଦୀମାନେ ପାକିସ୍ତାନ ଅଧିକୃତ କାଶ୍ମୀର (PoK)ର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ହାଜିରା ତହସିଲର ମାଦରପୁର ଅଞ୍ଚଳର ବାସିନ୍ଦା। ଏଲ୍‌ଓସିର ସତୱାଲ-ନାକି ସେକ୍ଟର ଦେଇ ପାକିସ୍ତାନ ପଟରୁ ଏକ ସଶସ୍ତ୍ର ଆତଙ୍କବାଦୀ ଗୋଷ୍ଠୀ ଭାରତୀୟ ସୀମାକୁ ପଶିବାକୁ ସୁଯୋଗ ଖୋଜୁଥିଲେ। ସେହି ସମୟରେ ସୀମା ନିକଟସ୍ଥ ଏକ ଗାଁରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ପ୍ରକୃତ କାରଣ ଏବଂ ପରିସ୍ଥିତି ସମ୍ପର୍କରେ ସେନା ଓ ସୁରକ୍ଷା ବାହିନୀ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ତେବେ ଏହି ବିସ୍ଫୋରଣ ଘଟଣା ପରେ ସୁରକ୍ଷା ବାହିନୀ ପକ୍ଷରୁ ସମଗ୍ର କୃଷ୍ଣା ଘାଟି ସେକ୍ଟର ଏବଂ ଆଖପାଖ ଅଞ୍ଚଳରେ ହାଇ-ଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ଅନ୍ୟ କୌଣସି ଆତଙ୍କବାଦୀ ଦଳ ଲୁଚି ରହିଥିବା ସନ୍ଦେହରେ ଭାରତୀୟ ସେନା ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ ଓ ଖୋଜାଖୋଜି ଅଭିଯାନ ଜାରି ରହିଛି। ଏଲ୍‌ଓସିରେ ନଜର ରଖାଯିବା ସହ ସୀମାନ୍ତ ଗ୍ରାମଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।